ଭୁବନେଶ୍ବର : କ୍ଷମତାର ବିକେନ୍ଦ୍ରୀକରଣ ଏବଂ ପଞ୍ଚାୟତଗୁଡ଼ିକୁ ଆର୍ଥିକ ସଶକ୍ତୀକରଣ ଉପରେ ଗୁରୁତ୍ବ ଦିଆଯାଉଛି। କିନ୍ତୁ ପଞ୍ଚାୟତ, ବିଦ୍ୟାଳୟ, କଲେଜ, ବିକାଶ ଏଜେନ୍ସିଗୁଡ଼ିକୁ ସରକାରଙ୍କ ଆର୍ଥିକ ସହାୟତାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିନାହିଁ। ଭାରତର ମହାଲେଖାକା ନିୟନ୍ତ୍ରକ ଏବଂ ମହାସମୀକ୍ଷକ (ସିଏଜି) ରିପୋର୍ଟରେ ଏଭଳି ଚିତ୍ରକୁ ଆଜି ସାମ୍ନାକୁ ଅଣାଯାଇଛି। ରାଜ୍ୟର ସ୍ବାୟତ୍ତ ଶାସନ ସଂସ୍ଥା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ସହାୟତା ଓ ଋଣ ବାବଦରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଅର୍ଥ ପ୍ରଦାନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଉକ୍ତ ସହାୟତା ରାଶି ୨୮୪୬୫ କୋଟି ଟଙ୍କା ରହିଥିଲା।

Advertisment

କେବଳ ପୌରସଂସ୍ଥାକୁ ବାଦ୍ ଦେଲେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ (ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଆଦି) ଜିଲ୍ଲା ପରିଷଦ ଓ ଅନ୍ୟାନ୍ୟ ପଞ୍ଚାୟତିରାଜ ଅନୁଷ୍ଠାନ, ବିକାଶମୂଳକ ଏଜେନ୍ସି ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ରାଜ୍ୟ ସରକାରଙ୍କ ସହାୟତା ରାଶି ୨୦୧୯-୨୦ ତୁଳନାରେ ୨୦୨୧-୨୧ରେ କମିଛି। ଏଠାରେ ଦିଆଯାଇଥିବା ତଥ୍ୟରୁ ଜଣାଯାଇଛି ଯେ ସ୍ବାୟତ୍ତ ଶାସନ ସଂସ୍ଥା ଓ ଅନ୍ୟାନ୍ୟ ପ୍ରତି‌ଷ୍ଠାନକୁ ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ୧୧୯୬ କୋଟି ଟଙ୍କା ବା ୪.୨୦ ପ୍ରତିଶତ କମ୍ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟତଃ ଗ୍ରାମାଞ୍ଚଳର ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ୧୯୦୬ କୋଟି ଟଙ୍କା, ଶିକ୍ଷାନୁଷ୍ଠାନଗୁଡ଼ିକୁ ୭୪ କୋଟି ଟଙ୍କା, ବିକାଶ ଏଜେନ୍ସିଗୁଡ଼ିକୁ ୬୭୧ କୋଟି ଟଙ୍କାର କମ୍ ସହାୟତା ପ୍ରଦାନ କରାଯାଇଛି।