ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ର ବଙ୍ଗୋପସାଗର କୂଳରେ ରହିଛି ସାତଭାୟା। ସାତଟି ଗାଁକୁ ନେଇ ଅତୀତ ଉତ୍କଳର ନୌବାଣିଜ୍ୟ ଇତିହାସ ଓ ସାଧବ ଝିଅ ତଅପୋଈର ସ୍ବାକ୍ଷର ବହନ କରୁଥିବା ସାତଭାୟା ଏବେ ବିଲୁପ୍ତ। ୭ଟି ଗାଁ ସମୁଦ୍ର ଗର୍ଭରେ ଲୀନ ହେବା ପରେ ଧ୍ବସ୍ତବିଧ୍ବସ୍ତ ସାତଭାୟାରେ ଇତିହାସର ସ୍ବାକ୍ଷର କେବଳ ରହିଛି। ସାତଭାୟାରେ ଗଡ଼ଚଣ୍ଡୀ ରୂପେ ପୂଜା ପାଉଥିଲେ ପ୍ରତ୍ୟକ୍ଷ ଦେବୀ ମା’ପଞ୍ଚୁବରାହୀ। ସାତଭାୟା ଅଧିବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯିବା ପରେ ୨୦୧୮ ମସିହାରୁ ମା’ବଗପାଟିଆରେ ଭବ୍ୟ ମନ୍ଦିରରେ ପୂଜା ପାଉଛନ୍ତି। ସାତଭାୟା ଥଇଥାନସ୍ଥଳୀ ବଗପାଟିଆର ପ୍ରବେଶ ପଥରେ ପଡ଼େ ଅଞ୍ଚଳର ପ୍ରତ୍ୟକ୍ଷ ଓ ଆରାଧ୍ୟ ଦେବୀ ‘ପଞ୍ଚୁବରାହୀ’ ମନ୍ଦିର। ଏହି ଶକ୍ତିପୀଠରେ ପୂଜା ପାଉଥିବା ମା’ ପଞ୍ଚୁବରାହୀ ପୂର୍ବମୁଖା ହୋଇ ମନ୍ଦିର ମଧ୍ୟରେ କଳାମୁଗୁନି ପଥରରେ ସ୍ଥାପିତ। ପାଞ୍ଚଗୋଟି ନାରୀ ମୂର୍ତ୍ତି ହିଁ ପଞ୍ଚୁବରାହୀ ଭାବେ ଖ୍ୟାତ। ଗଠନ ଶୈଳୀ ଦୃଷ୍ଟିରୁ ପାରମ୍ପାରିକ ଦେବୀ ମୂର୍ତ୍ତିମାନଙ୍କଠାରୁ ଏହା ଭିନ୍ନ। ନାରୀ ଶରୀରର କମନୀୟ ଅବୟବ ମାତ୍ର ବରାହ ମୁଖ ହିଁ ଏହି ଦେବୀଙ୍କର ବିଶେଷତ୍ବ। ବରାହ ମୁଖଯୁକ୍ତା ପଞ୍ଚକନ୍ୟାଙ୍କୁ ହିଁ ପଞ୍ଚୁବରାହୀ କୁହାଯାଏ।
କଥାରୁ ଜଣାଯାଏ ଯେ ୧୮୪୩ରେ ତତ୍କାଳୀନ କନିକା ରାଜା ବିନାୟକ ଭଞ୍ଜଦେଓ ମା’ଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିର ପ୍ରବେଶ ମାତ୍ରକେ ପ୍ରଥମେ ମା’ ବାଟକୁମାରୀ ପରେ ପଞ୍ଚୁବରାହୀ, କମଳୀ, ବିମଳୀ ଏବଂ ଜଞ୍ଜାଳୀଙ୍କୁ ପୂଜା କରାଯାଉଛି। ସାତଭାୟା ପୀଠରେ ପୂଜା ପାଉଥିବା ବରାହମୁଖୀ ଦେବୀଙ୍କ ସହିତ ଆଳିର ବରାହଜିଉ ଓ ଯାଜପୁରର ବିରଜା ଦେବୀଙ୍କ ସାମଞ୍ଜସ୍ୟ ରହିଛି। ଏହି ତିନିପୀଠକୁ ବାଦ୍ ଦେଲେ ସମଗ୍ର ଭାରତବର୍ଷରେ ଅନ୍ୟତ୍ର କେଉଁଠି ବରାହମୁଖୀ ଦେବୀ ପୂଜା ପାଇବାର ଦେଖିବାକୁ ମିଳେନାହିଁ।
ଦେବୀଙ୍କର ପୂଜାପଦ୍ଧତି କେଉଁ ଆବହମାନ କାଳରୁ ଏକ ରହସ୍ୟମୟ ଘଟଣା ପ୍ରବାହ ପ୍ରତି ଦୃଷ୍ଟିଆକର୍ଷଣ କରିଥାଏ। ସାଧାରଣତଃ ଓଡ଼ିଶାର ଅଧିକାଂଶ ଦେବଦେବୀଙ୍କୁ ବ୍ରାହ୍ମଣ ପୂଜା କରୁଥିବା ବେଳେ ସାତଭାୟାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ପୂର୍ବରୁ ବ୍ରାହ୍ମଣମାନେ ହେଁ ଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ଏକଦା ଜଣେ ବ୍ରାହ୍ମଣ ପୂଜକ ନାରୀ ଅବୟବଧାରୀ ବରାହମୁଖୀ ଦେବୀଙ୍କ ପୂଜାର୍ଚ୍ଚନା କଲା ବେଳେ ଦେବୀଙ୍କ ପ୍ରତି ଆସକ୍ତି ପ୍ରକାଶ କରି କାମାତୁର ହୋଇ ଉଠିବାରୁ କ୍ରୋଧାନ୍ବିତା ଦେବୀଙ୍କ ଅଭିଶାପରେ କାମାତୁର ବ୍ରାହ୍ମଣ ପାଷାଣ ହୋଇଯାଇଥିଲା।
ସେହିଦିନଠାରୁ ଏଠାରେ କୈବର୍ତ୍ତ ସଂପ୍ରଦାୟର (ମତ୍ସ୍ୟଜୀବୀ) ସଧବା ନାରୀମାନେ ହିଁ ଦେବୀଙ୍କର ମୁଖ୍ୟ ପୂଜକ। ସେମାନେ ହିଁ ପୂଜାର୍ଚ୍ଚନା କରିଥାନ୍ତି। ବାରମାସରେ ତେର ପର୍ବ ପଞ୍ଚୁବରାହୀ ପୀଠର ଅନ୍ୟତମ ଆକର୍ଷଣ। ଶାରଦୀୟ ଦୁର୍ଗାପୂଜା ଅବସରରେ ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ଚଣ୍ଡୀପାଠ କରାଯାଇଥାଏ। ବର୍ଷରେ ଦୁଇଥର ପଶୁବଳି ପଡ଼ିବା ଭଳି ପରମ୍ପରା ଏଠାରେ ପ୍ରଚଳିତ। ପ୍ରଚଳିତ ପ୍ରଥାନୁସାରେ ମହାଦୁର୍ଗାଷ୍ଟମୀ ଓ ଚୈତ୍ର ପୂର୍ଣ୍ଣିମା ପୂର୍ବରୁ ପୋଢ଼ ଓ ବୋଦା ବଳି ଦିଆଯାଇଥାଏ। ସରକାରଙ୍କ ଦ୍ବାରା ଦେବୀପୀଠରେ ପଶୁପକ୍ଷୀ ବଳି ପଡ଼ିବାର ପ୍ରଥା ଉପରେ ନିଷେଧାଜ୍ଞା ଜାରି କରାଯିବା ପରେ ଏହି ପୀଠରେ ବଳିପ୍ରଥାକୁ ବନ୍ଦ କରାଯାଇ କୁଷ୍ମାଣ୍ତ ବଳି ଦିଆଯାଉଛି। ପ୍ରତି ମଙ୍ଗଳବାର ଦିନ ମନ୍ଦିରରେ ଦେବୀ ଦର୍ଶନକୁ ନିଷେଧ କରାଯାଇଛି।