ଆଜିଠୁ ପଞ୍ଚୁକ, ଶ୍ରୀ‌କ୍ଷେତ୍ରମୁହାଁ ଭକ୍ତ

୫ ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ବ୍ୟାରିକେଡ୍, ସୁରକ୍ଷା ଦାୟିତ୍ବରେ ୮୦ ଅଫିସର, ୧୬ ପ୍ଲାଟୁନ୍ ଫୋର୍ସ

ପୁରୀ : ସୋମବାରଠାରୁ ପବିତ୍ର ପଞ୍ଚୁକ ଆରମ୍ଭ ହେଉଛି। ଶ୍ରୀକ୍ଷେତ୍ର ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ହୋଇଥିବାରୁ ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏବେଠୁ ଭିଡ଼ ଆରମ୍ଭ ହୋଇଗଲାଣି। ପଞ୍ଚୁକ ୫ ଦିନ ଶ୍ରୀଜିଉ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଥିବା ବେଳେ ସୁରକ୍ଷା ଦାୟିତ୍ବରେ ୮୦ ଅଫିସର ସାଙ୍ଗକୁ ୧୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ଭିଡ଼ ଭିତରେ ୫ ଭକ୍ତ ଚେତାଶୂନ୍ୟ

ପୁରୀ : ଶ୍ରୀମନ୍ଦିର ସାତପାହାଚ ନିକଟରେ ଆଜି ପୁଣି ଅଘଟଣ। ଅସହ୍ୟ ଭିଡ଼ ଓ ଠେଲାପେଲା ଭିତରେ ୫ ଜଣ ଭକ୍ତ ଚେତାଶୂନ୍ୟ ହୋଇପଡ଼ିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି। ୫ ଜଣଙ୍କ ମଧ୍ୟରୁ ୩ ଜଣ କଟକର ହୋଇଥିବା ବେଳେ ବାକି ଦୁଇ ଜଣ ଫୁଲବାଣୀ ଓ ଭୁବନେଶ୍ବରର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ କଟକରୁ ଆସିଥିବା ବହୁ ଭକ୍ତ ସାତପାହାଚ ନିକଟରେ ଥିବା ବ୍ୟାରିକେଡ୍ ଦେଇ ନାଟମଣ୍ଡପକୁ ପ୍ରବେଶ କରିବାକୁ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ। କିନ୍ତୁ ଅସମ୍ଭାଳ ଭିଡ଼ ଭିତରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଦର୍ଶନ ପାଇଁ ଛିଡ଼ା ହେବାକୁ ପଡ଼ିଥିଲା। ଏହି ସମୟରେ କଟକରୁ ଆସିଥିବା ଭକ୍ତଙ୍କ ମଧ୍ୟରୁ ୩ ଜଣ ହଠାତ୍ ଅଣନିଃଶ୍ବାସୀ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସେହିଭଳି ଅନ୍ୟ ଦୁଇ ମହିଳା ଭକ୍ତ ଆଜି ସାତପାହାଚ ନିକଟରେ ଭିଡ଼ ଭିତରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।

କାର୍ତିକ ପାଇଁ ଶ୍ରୀମନ୍ଦିରରେ ସଅଳ ଦ୍ବାରଫିଟା ନୀତି ଅନୁଷ୍ଠିତ ହେଉଥିବା ବେଳେ ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ବି ସଅଳ ଚାଲିଛି। ତଥାପି ପଞ୍ଚୁକ ଉପରେ ସମସ୍ତଙ୍କ ନଜର ରହିଥିବାରୁ ଏହାକୁ ଅଧିକ ଶୃଙ୍ଖଳିତ କରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ଗୁରୁତ୍ବ ଦେଇଛି। ପଞ୍ଚୁକ ୫ ଦିନ ମହାପ୍ରଭୁ ଭକ୍ତଙ୍କୁ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ। ପ୍ରଥମ ଦିନରେ ଅର୍ଥାତ୍ ଆସନ୍ତାକାଲି ଶ୍ରୀହରି ଉତ୍‌ଥାପନ ଓ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ଦ୍ବିତୀୟ ଦିନରେ ଶ୍ରୀଜିଉ ବାଙ୍କଚୁଳା ବେଶରେ ଦର୍ଶନ ଦେବେ। ଏହିଦିନ ଗରୁଡ଼ ଉତ୍‌ଥାପନ ନୀତି ଅନୁଷ୍ଠିତ ହେବ। ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶରେ ଶ୍ରୀଜିଉ ଦର୍ଶନ ଦେବେ। ପଞ୍ଚୁକର ଶେଷ ଦିନରେ ଅର୍ଥାତ୍ କାର୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ରାଜାଧିରାଜ ବେଶରେ ଦର୍ଶନ ଦେବେ। ପଞ୍ଚୁକ ପାଞ୍ଚ ଦିନ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ସଂପୃକ୍ତ ସେବକମାନଙ୍କୁ ନୀତି ଶୃଙ୍ଖଳିତ କରିବାକୁ ନିର୍ଦେଶ ଦିଆଯାଇଛି।

ଅନ୍ୟପଟେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି। ଶ୍ରୀମନ୍ଦିର ଭିତ‌ରେ ଓ ବାହାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ଅଫିସର ଓ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡିଆଇବି ଡିଏସ୍‌ପି ଉମାକାନ୍ତ ମଲ୍ଲିକଙ୍କ ସୂଚନା ମୁତାବକ, ପଞ୍ଚୁକ ପାଇଁ ୪ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୭ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର, ୫୬ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୧୦ ଜଣ ହାବିଲଦାର, ୫୦ ଜଣ କନଷ୍ଟେବଳ, ୧୭୦ ଜଣ ହୋମଗାର୍ଡ଼ଙ୍କୁ ମୁତୟନ କରାଯାଇଛି। ଏହା ବ୍ୟତୀତ ୧୬ ପ୍ଲାଟୁନ୍ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। ପଞ୍ଚୁକର ପ୍ରଥମ ତିନି ଦିନକୁ ଛାଡ଼ି ଦେଲେ ୨୨ ଓ ୨୩ ତାରିଖରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହିଦିନ ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର