ଭୁବନେଶ୍ବର: ଭୁବନେଶ୍ବର ବ୍ଲକ ଅଧୀନ ପଞ୍ଚାୟତଗୁଡ଼ିକ ପାଇଁ ଆସନ୍ତା ୨୨ ତାରିଖରେ ଭୋଟ। ଆଜି ଥିଲା ପ୍ରଚାରର ଶେଷ ଦିନ। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଶେଷ ସୁଯୋଗ ଛାଡ଼ିନାହାନ୍ତି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ। ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ଶୋଭାଯାତ୍ରା କରି ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। କିଏ ବାଇକ୍ ଶୋଭାଯାତ୍ରା କରିଛନ୍ତି ତ ଆଉ କିଏ ପଦଯାତ୍ରା। ୨୮, ୨୯ ଓ ୩୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଲାଗି ଉପକଣ୍ଠ ଅଞ୍ଚଳ ପ୍ରଚାରରେ ଉଠିଥିଲା ପଡ଼ିଥିଲା।
ଶେଷ ଦିନରେ ବିଜେଡି ପକ୍ଷରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିଲା। ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅଧୀନ ୩୦ ନମ୍ବର ଜୋନ୍ ପ୍ରାର୍ଥୀ ବବିତା ରାଉତଙ୍କ ଲାଗି ସ୍ଥାନୀୟ ବିଧାୟକ ତଥା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ କୁମାର ରାଉତ ଆଜି ପ୍ରଚାର କରିବା ସହ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ବିଜେଡିର ରାଜ୍ୟସ୍ତରୀୟ ନେତା ବି ଏଠାରେ ଶେଷ ଦିଗରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅନୁରୋଧ କରିଥିଲେ। ବିଜେପି କିମ୍ବା କଂଗ୍ରେସ ପ୍ରାର୍ଥୀ ନିଜ ନିଜ ସ୍ତରରେ ପ୍ରଚାର କରିଥିଲେ। ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଛି। ୨୯ ନମ୍ବର ଜୋନ୍ ବିଜେଡି ପ୍ରାର୍ଥୀ ସୁବାସ କୁମାର ସୁନ୍ଦରାୟଙ୍କ ଲାଗି ଆଜି ବି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରଚାର କରିଛନ୍ତି। ବିଜେପି ପ୍ରାର୍ଥୀ ସୁଜିତ୍ କୁମାର ବଳବନ୍ତରାୟଙ୍କ ଲାଗି ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ପ୍ରଚାରର ମଙ୍ଗ ଧରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି।
କେବଳ ଜିଲ୍ଲା ପରିଷଦ ନୁହେଁ। ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ମଧ୍ୟ ଶେଷ ଦିନରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। ଭୋଟରଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ଗୋଟିଏ ପରେ ଗୋଟିଏ ପ୍ରଚାର ଗାଡ଼ି ଗଡ଼ିବା ସହ ଭୋଟରଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ହାତରେ ଆଉ ସମୟ ନ ଥିବାରୁ ଆଜି ଅଧିକାଂଶ ସରପଞ୍ଚ ପ୍ରାର୍ଥୀ କର୍ମୀମାନଙ୍କୁ ନେଇ ବାଇକ୍ ଶୋଭାଯାତ୍ରା କରିଥିଲେ। ପଞ୍ଚାୟତର ପ୍ରତି ୱାର୍ଡରେ ପହଞ୍ଚିବା ସହ ଭୋଟରଙ୍କ ନିକଟତର ହୋଇଥିଲେ। ସମିତି ସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇ ନ ଥିଲା। ତଥାପି ପ୍ରାର୍ଥୀମାନେ ବିଜୟ ବାନା ଉଡାଇବା ଲକ୍ଷ୍ୟରେ ସ୍ବତନ୍ତ୍ର ରଣକୌଶଳ ପ୍ରୟୋଗ କରିଥିଲେ। ୱାର୍ଡ ମେମ୍ବର ପ୍ରାର୍ଥୀମାନେ ମଧ୍ୟ ଲୋକଙ୍କ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ମାଗିଥିଲେ।
୧୩୩ ବୁଥ୍ ସମ୍ବେଦନଶୀଳ
ରାଜଧାନୀ ଉପକଣ୍ଠରେ ପ୍ରଚାର ଶେଷ ହୋଇଛି। ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ତଥା ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ବ୍ଲକ୍ ଅଞ୍ଚଳରେ ଥିବା ୨୦ଟି ପଞ୍ଚାୟତରେ ୧୩୩ଟି ବୁଥ୍ ସମ୍ବେଦନଶୀଳ ଓ ୫୬ଟି ବୁଥ୍ ଅତି ସମ୍ବେଦନଶୀଳ ଚିହ୍ନଟ କରାଯାଇଥିବା ବିଡ଼ିଓ ରମେଶ ଚନ୍ଦ୍ର ସେଠୀ କହିଛନ୍ତି। ବ୍ଲକ୍ର ୨୦ଟି ପଞ୍ଚାୟତରେ ୩ଟି ଜିଲା ପରିଷଦ ଜୋନ୍ ରହିଛି। ୨୮ ନମ୍ବର ଜୋନ୍ରେ ୪୬ଟି ବୁଥ୍ ସମ୍ବେଦନଶୀଳ ଓ ୨୩ଟି ଅତି ସମ୍ବେଦନଶୀଳ ଚିହ୍ନଟ ହୋଇଛି। ୨୯ ନମ୍ବର ଜୋନ୍ରେ ୫୩ଟି ସମ୍ବେଦନଶୀଳ ଓ ୩୨ଟି ଅତି ସମ୍ବେଦନଶୀଳ ଏବଂ ୩୦ନଂ ଜୋନ୍ରେ ୩୪ଟି ସମ୍ବେଦନଶୀଳ ଓ ଗୋଟିଏ ବୁଥ୍ ଅତି ସମ୍ବେଦନଶୀଳ ଥିବା ଜଣାପଡ଼ିଛି। ଏହି ବ୍ଲକରେ ସମୁଦାୟ ୧ଲକ୍ଷ ୧ ହଜାର ୪୯ ଜଣ ମତଦାତା ମତଦାନ କରିବେ।
ଏବେ ସାମାଜିକ ଗଣମାଧ୍ୟମ ସାହାରା
ସନ୍ଧ୍ୟାରେ ପ୍ରଚାର ଶେଷ ହେବା ପରେ ପ୍ରାର୍ଥୀମାନେ ଏବେ ସୋସିଆଲ ଗଣମାଧ୍ୟମକୁ ଭରସା କରିଛନ୍ତି। ଫେସ୍ବୁକ୍, ହ୍ବାଟସଆପ୍ ପରି ବିଭିନ୍ନ ମାଧ୍ୟମରେ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ପ୍ରଚାର କରାଯାଉଛି। ପ୍ରତି ପଞ୍ଚାୟତ ଅନୁଯାୟୀ ହ୍ବାଟସଆପ୍ ଗ୍ରୁପ୍ ଗଠନ ହୋଇଛି। ସେଠାରେ ଥିବା ଭୋଟରଙ୍କ ପ୍ରାର୍ଥୀଙ୍କ ଲକ୍ଷ୍ୟ କ’ଣ ରହିଛି ସେବିଷୟରେ କୁହାଯାଇଛି। ପ୍ରଚାର ସମୟରେ ବ୍ୟବହୃତ ହୋଇଥିବା ସ୍ଲୋଗାନ, ଗୀତ ଆଦିକୁ କର୍ମୀମାନେ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି।
ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ଅଶୋକ ପଣ୍ଡା
ଭୁବନେଶ୍ବର: ଖୋର୍ଧା ଜିଲ୍ଲା ପରିଷଦ ଜୋନ୍-୨୯ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ସୁବାସ କୁମାର ସୁନ୍ଦରରାୟଙ୍କ ପାଇଁ ଆଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରଚାର କରିଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସହ ବହୁସଂଖ୍ୟାରେ ବିଜେଡି କର୍ମୀ ବାସୁଆଘାଇ ପଞ୍ଚାୟତର କେଶୁରା, ଦୀପାମାଳ, କୋରଡ଼କଣ୍ଟା, କାମେନା ପ୍ରମୁଖ ଅଞ୍ଚଳରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଥିଲେ। ସେହିପରି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିକ୍ରମ କେଶରୀ ସେଠୀ, ସମିତି ସଭ୍ୟ ପ୍ରାର୍ଥୀ ରିଲ୍ଲା ଭଞ୍ଜ ମଧ୍ୟ ସାମିଲ ହୋଇଥିଲେ। ଏହି ପ୍ରଚାରରେ ଜିଲ୍ଲା ବିଜେଡି ଯୁବ ସଭାପତି ସମରେଶ ବେଉରିଆ, ବରିଷ୍ଠ ନେତା ପ୍ରତାପ ଜେନା, କୈଳାସ ଜେନା, ଅଶୋକ ସିଂହ, ପୁଷ୍ପା ଦାସ, କୃତାର୍ଥ ପ୍ରଧାନ, ପ୍ରଶାନ୍ତ ମୁଖୀ, ଜ୍ଞାନ ରଞ୍ଜନ ଜେନା, ନିରୁପମା ଦାସ, ଅଶୋକ ଜେନା, ଡ. ସୁରେଶ ବାରିକ, ପୁପୁ ଜେନା, ପ୍ରଶାନ୍ତ ଜେନା, ସିପୁନା ଜେନା, ବିଟୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।