ଢେଙ୍କାନାଳ: ବିଜେପିକୁ ହିନ୍ଦୋଳରେ ସୁଦୃଢ଼ କରିବା ଲାଗି ବିଜେଡିରୁ ବିତାଡିତ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କୁ ଦଳରେ ଭର୍ତ୍ତି କରିଥିଲା ବିଜେପି। ବିଶେଷକରି ଏଥର ପଞ୍ଚାୟତ ନିର୍ବାଚନରେ ଅଞ୍ଜଳିଙ୍କ ନେତୃତ୍ବ ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ସୁଫଳ ଦେବ ବୋଲି ଦଳ ଢେର୍‌ ଆଶା ବାନ୍ଧିଥିଲା। କିନ୍ତୁ, ଅଞ୍ଜଳିଙ୍କ ନେତୃତ୍ବରେ ଦଳ ପୂରା ମୂଳପୋଛ ହୋଇଯାଇଛି। ୨୦୧୭ ନିର୍ବାଚନରେ ହିନ୍ଦୋଳ ନିର୍ବାଚନମଣ୍ଡଳୀର ମୋଟ୍ ୭ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେପି ଯେଉଁଠି ତିନିଟି ଆସନ ଅକ୍ତିଆର କରିଥିଲା, ଚଳିତ ନିର୍ବାଚନରେ ସେଠି ବିଜେପି ସଂପୂର୍ଣ୍ଣ ଶୂନ୍ୟ ହୋଇଯାଇଛି।

Advertisment

ହିନ୍ଦୋଳରେ ବିଜେପି ହାତରୁ ଖସିଲା ୩ ଆସନ
ବିଭୂତିଙ୍କ ଦୁର୍ଗ ବିଜେଡି ଦଖଲ କଲା

ଅଞ୍ଜଳିଙ୍କ ନେତୃତ୍ବରେ ବିଜେପିର ବିଜୟୀ ଆସନ ସବୁ ହାତଛଡ଼ା ହୋଇଛି। ରାତି ୯ଟା ସୁଦ୍ଧା ଏହି ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ଚାରିଟି ଜୋନ୍‌ର ଭୋଟ ଗଣତି ଜାରି ରହିଥିବା ବେଳେ ବିଜେପି ପ୍ରଦର୍ଶନ ସେଠାରେ ଖରାପ ରହିଛି। ଅଞ୍ଜଳିଙ୍କ ନେତୃତ୍ବ ପୂରା ହିନ୍ଦୋଳ ନିର୍ବାଚନମଣ୍ଡଳୀରେ କେବଳ ଫେଲ୍ ମାରିନାହିଁ, ବରଂ ସମିତିସଭ୍ୟା ପ୍ରାର୍ଥୀ ଭାବେ ବି ଜନାଦେଶ ତାଙ୍କ ସପକ୍ଷରେ ଦୁର୍ବଳ ରହିଛି। ତାଙ୍କ ପୁଅ ବି ବିଜେଡିଠାରୁ ଢେର୍‌ ପଛରେ ରହିଛନ୍ତି। ଏଥିରୁ ଅଞ୍ଜଳିଙ୍କ ନେତୃତ୍ବ ହିନ୍ଦୋଳରେ କେତେ ଗ୍ରହଣୀୟ ତାହାର ସ୍ପଷ୍ଟ ସୂଚନା ମିଳୁଛି।

ସୂଚନା ମୁତାବକ, ବିଜେଡିର ମିଡ୍‌ନାଇଟ୍ ଅପରେସନ୍‌ରେ ସମ୍ପୃକ୍ତି ପାଇଁ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଅଞ୍ଜଳିଙ୍କୁ ଦଳରୁ ଦୂରେଇ ଦିଆଯାଇଥିଲା। ଏହାର ସୁଯୋଗ ନେଇ ଅଞ୍ଜଳିଙ୍କ ଭାଇ ଅଶୋକଙ୍କୁ ବିଜେପି ୨୦୧୯ସାଧାରଣ ନିର୍ବାଚନରେ ହିନ୍ଦୋଳରେ ବିଧାୟକ ପ୍ରାର୍ଥୀ କରାଇଥିଲା। ଅଶୋକ ପରାଜିତ ହୋଇଥିଲେ। ଏହି ନିର୍ବାଚନ ବେଳାରେ ଅଞ୍ଜଳିଙ୍କୁ ବିଜେଡି ଦଳରୁ ବିତାଡିତ କରିଥିଲା। ନିଜ ରାଜନୈତିକ କ୍ୟାରିୟର ଠପ୍‌ ହୋଇଯିବା ଆଶଙ୍କାରେ ଅଞ୍ଜଳି ଠିକ୍‌ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ଡିଆଁ ମାରିଥିଲେ। ବିଜେପି ହିନ୍ଦୋଳ ନିର୍ବାଚନମଣ୍ଡଳୀର ମଙ୍ଗ ଅଞ୍ଜଳିଙ୍କ ହାତକୁ ଟେକି ଦେଇଥିଲା।

ଏହି ଘଟଣାରେ ଭାଇ ଅଶୋକ ଖପ୍ପା ହୋଇଥିଲେ। ଭଉଣୀ ଅଞ୍ଜଳିଙ୍କ ବିଜେପିରେ ଏଣ୍ଟ୍ରି ପରେ ନିଜେ ସଙ୍କୁଚିତ ହୋଇଯିବା ଆଶଙ୍କାରେ ଅଶୋକ ତୁରନ୍ତ ବିଜେପି ଛାଡ଼ି ବିଜେଡିକୁ ଡେଇଁଥିଲେ। ସେତେବେଳେ ଭାଇ-ଭଉଣୀଙ୍କର ଏ ପ୍ରକାର ଦଳଡିଆଁ ରାଜନୀତି ବେଶ୍ ଚର୍ଚ୍ଚିତ ହୋଇଥିଲା।

ଚଳିତ ପଞ୍ଚାୟତ ନିର୍ବାଚନରେ ଅଞ୍ଜଳିଙ୍କ ନେତୃତ୍ବ ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ଆଶା ବାନ୍ଧିଥିଲା। କିନ୍ତୁ, ଗଣତି ଆରମ୍ଭରୁ ବିଜେପି ଝଟ୍‌କା ଖାଇଛି। ୨୦୧୭ ନିର୍ବାଚନରେ ବିଜେପି ଓଡ଼ାପଡ଼ା ବ୍ଲକ୍‌ର ଯେଉଁ ଦୁଇଟି ଓ ହିନ୍ଦୋଳର ଯେଉଁ ଗୋଟିଏ ସିଟ୍ ଜିତିଥିଲା, ଏଥର ତାହା ହାତଛଡ଼ା ହୋଇଛି। ଅବଶିଷ୍ଟ ତିନୋଟି ଜୋନ୍‌ର ଗଣତି ଚାଲିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଏହି ତିନୋଟି ଜୋନ୍‌ରେ ମଧ୍ୟ ବିଜେପି ବହୁ ପଛରେ ଅଛି। ପୂର୍ବରୁ ରାଜ୍ୟରେ ମନ୍ତ୍ରୀ ପଦ ସମ୍ଭାଳିଥିବା ଅଞ୍ଜଳି ଗିରିଧରପ୍ରସାଦ ପଞ୍ଚାୟତର ସମିତିସଭ୍ୟାଟିଏ ହେବାକୁ ଯୋଗ୍ୟ ହୋଇନାହାନ୍ତି।

ଜନମତ ତାଙ୍କ ବିପକ୍ଷରେ ଯାଉଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଗିରିଧରପ୍ରସାଦର ଗଣତି ଜାରି ରହିଛି। କେବଳ ଅଞ୍ଜଳି ନୁହଁନ୍ତି, ତାଙ୍କ ବଡ଼ପୁଅ ମଧ୍ୟ ପରାଜୟମୁହାଁ ହୋଇଛନ୍ତି। ବଡ଼ପୁଅ ଏଥର ବିଜେପିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ବିଜେଡି ତାଙ୍କୁ ବହୁ ପଛରେ ପକାଇଛି।

ଅଞ୍ଜଳିଙ୍କ ଭଳି ପର୍ଜଙ୍ଗ ନିର୍ବାଚନମଣ୍ଡଳୀରେ ବିଜେପି ଆଡ଼ୁ ଭୋଟର ମୁହଁ ଫେରାଇଛନ୍ତି। ପର୍ଜଙ୍ଗ ନିର୍ବାଚନମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ୍‌ ଜୋନ୍‌-୧ ବିଜେପିର ଗଡ଼ ବୋଲି କୁହାଯାଉଥିଲା। ଜୋନ୍ ତିଆରି ହେବା ଦିନଠାରୁ ବିଜେପିକୁ ଏଠାରେ କେହି ପରାସ୍ତ କରି ପାରୁନଥିଲେ। ତାର କାରଣ ଥିଲା ବିଜେପିର ବରିଷ୍ଠ ନେତା ତଥା ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନଙ୍କ ନେତୃତ୍ବ। ବିଭୂତିଙ୍କ ଘର ଏହି‌ ଜୋନ୍ ଅନ୍ତର୍ଗତ। ତେଣୁ, ବିଜେପି ସବୁବେଳେ ଜିତାପଟ୍‌ ନେଉଥିଲା। ଏଥର କିନ୍ତୁ ଏହି ଜୋନରେ ହାରିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ପର୍ଜଙ୍ଗ ନିର୍ବାଚନମଣ୍ଡଳୀରେ ବିଜେପି ଖାତା ଖୋଲି ପାରିନାହିଁ। ଏବେ ବି ଭୋଟ ଗଣତି ଚାଲିଛି।