ବମିଖାଲ୍‌ ଓଭରବ୍ରିଜ୍‌ ନିର୍ମାଣରୁ ପଣ୍ଡା ଇନ୍‌ଫ୍ରା ବାଦ୍‌

ଭୁବନେଶ୍ୱର : ଭୁବନେଶ୍ୱରର ମୃତ୍ୟୁଯନ୍ତା ପାଲଟିଥିବା ବମିଖାଲ୍‌ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟରୁ ଠିକା କମ୍ପାନି ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟକୁ ବାଦ୍‌ ଦିଆଯିବ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ ଜୁନ୍‌ ମାସରେ ସରିଥାନ୍ତା। କିନ୍ତୁ ଦୁର୍ଘଟଣା ଯୋଗୁଁ ଏହାର କାର୍ଯ୍ୟ ଜୁଲାଇ ମାସ ବେଳକୁ ସରିବ।

ଆଜି ଏ ନେଇ ମୁହଁ ଖୋଲିଛନ୍ତି ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ। ସେ କହିଛନ୍ତିି, ବମିଖାଲ୍‌ ଓଭରବ୍ରିଜ୍‌ରେ ଗତ ୩ ତାରିଖ ରାତିରେ ଘଟିଥିବା ଦୁର୍ଘଟଣା ନେଇ ଡିଜାଇନ୍‌, ରୋଡ୍‌ ଓ ବିଲ୍‌ଡିଂର ୩ ଜଣ ଚିଫ୍‌ ଇଞ୍ଜିନିୟର ତଦନ୍ତ କରୁଛନ୍ତି। ଦିନେ ଦୁଇଦିନ ଭିତରେ ସେମାନେ ତଦନ୍ତ ରିପୋର୍ଟ ଦେବେ। ତଦନ୍ତ ରିପୋର୍ଟ ଆଧାରରେ ପଣ୍ଡା ଇନ୍‌ଫ୍ରା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରିପୋର୍ଟ ମିଳିବା ପରେ ପ୍ରକଳ୍ପର ଅସଂପୂର୍ଣ୍ଣ କାର୍ଯ୍ୟ ପାଇଁ ଟେଣ୍ଡର କରି ଅନ୍ୟ ଏକ ଠିକା ସଂସ୍ଥାକୁ ଦିଆଯିବ କି ବିଭାଗ ପକ୍ଷରୁ କରାଯିବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବର୍ତମାନ ଓଭରବ୍ରିଜ୍‌ ପ୍ରକଳ୍ପର ପ୍ରାୟ ୪/୫ କୋଟି ଟଙ୍କାର କାର୍ଯ୍ୟ ବାକି ରହିଛି। ଏଥିପାଇଁ ପ୍ରାୟ ୨ ମାସ ସମୟ ଲାଗିବ। ଜୁଲାଇ ମାସ ବେଳକୁ କାର୍ଯ୍ୟ ସରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବମିଖାଲ୍‌ ଓଭରବ୍ରିଜ୍‌ କାମ ସରିବା ପରେ ସଂପୂର୍ଣ୍ଣ କାର୍ଯ୍ୟର ଗୁଣାତ୍ମକ ମାନ ନେଇ ତୃତୀୟ ତଥା ସ୍ୱାଧୀନ ପକ୍ଷ ଦ୍ୱାରା ଅନୁଧ୍ୟାନ କରାଯିବ ବୋଲି ସଚିବ ସୂଚନା ଦେଇଛନ୍ତି। ପ୍ରଥମ ଦୁର୍ଘଟଣା ପରେ ପଣ୍ଡା ଇନ୍‌ଫ୍ରାକୁ କଳାତାଲିକାଭୁକ୍ତ କରାଯାଇଥିଲା। ଏହା ସତ୍ତ୍ୱେ ସେହି ସଂସ୍ଥାକୁ କାହିଁକି ଅବଶିଷ୍ଟ କାମ ଦିଆଗଲା? ଏହାର ଉତ୍ତରରେ ସେ କହିଲେ, ପିଡବ୍ଲ୍ୟୁଡି କୋଡ୍‌ ଅନୁଯାୟୀ ସଂପୃକ୍ତ ସଂସ୍ଥାକୁ ନୂଆ କାମ ଦିଆଯାଉନାହିଁ। ନିୟମ ମୁତାବକ ପଣ୍ଡା ଇନ୍‌ଫ୍ରାକୁ ହିଁ ବାକି କାମ ସଂପନ୍ନ କରିବାକୁ ଦିଆଯାଇଥିଲା। କିନ୍ତୁ ପୁନର୍ବାର ଦୁର୍ଘଟଣା ଘଟିବାରୁ ସେହି ସଂସ୍ଥାକୁ କାମ ପାଇଁ ଅନୁମତି ନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପଣ୍ଡା ଇନ୍‌ଫ୍ରାକୁ ବକେୟା ଅର୍ଥ ପ୍ରଦାନ ନେଇ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଅନ୍ୟପକ୍ଷରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଏବଂ ଅନ୍ୟ ଜଣେ ଗୁରୁତର ହେବା ନେଇ ପଣ୍ଡା ଇନ୍‌ଫ୍ରା ବିରୋଧରେ ଶ୍ରମିକ କ୍ଷତିପୂରଣ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଶ୍ରମ ଓ ସରକାରୀ କର୍ମଚାରୀ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଆଜି କହିଛନ୍ତି। ମୃତ ଶ୍ରମିକ ଏବଂ ଗୁରୁତର ଆହତ ହୋଇଥିବା ଶ୍ରମିକ ଅଳ୍ପ କିଛି ଦିନ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏପରି କି ସେମାନଙ୍କୁ ଶ୍ରମିକ ପରିଚୟପତ୍ର ମିଳି ନ ଥିବା ମଧ୍ୟ ସୂଚନା ମିଳିଛି।

ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର୍‌

କଟକ : ସ୍ମାର୍ଟସିଟି ଭୁବନେଶ୍ୱରରେ ବମିଖାଲ ରେଳ ଓଭରବ୍ରିଜ୍‌ ପୁଣି ଥରେ ଭୁଶୁଡିବା ଘଟଣାର ସିବିଆଇ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିବେଦନ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ ଗତ ବର୍ଷ ସେପ୍ଟେମ୍ବର ୧୦ରେ ନିର୍ମାଣାଧୀନ ବମିଖାଲ ଓଭରବ୍ରିଜର ଏକ ସ୍ଲାବ୍‌ ଖସି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା ଓ କେତେକ ଆହତ ହୋଇଥିଲେ। ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାକୁ କଳା ତାଲିକାଭୁକ୍ତ କରାଯାଇଥିଲା। କିନ୍ତୁ ସରକାର ଏଥିରେ ଚେତି ନଥିଲେ। କଳା ତାଲିକାଭୁକ୍ତ ହେବା ପରେ ମଧ୍ୟ ପଣ୍ଡା ଇନଫ୍ରା ସଂସ୍ଥାକୁ ପୁଣି ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଦିଆଯାଇଥିଲା। ଫଳରେ ପୁଣି ଥରେ ବମିଖାଲ ଓଭରବ୍ରିଜ୍‌ର ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ରିଟେନ୍‌ େଓ୍ଵାଲ୍‌ ନିର୍ମାଣ ପାଇଁ ବନ୍ଧା ହୋଇଥିବା ଫାଉଣ୍ଡେସନ୍‌ ରଡ୍‌ ଖସି ପଡିଥିଲା।

ଏହି ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଦୋଷୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଉ। ଅଭିଯୁକ୍ତ ସରକାରୀ ଅଧିକାରୀ ଏବଂ ଠିକା ସଂସ୍ଥାର ମୁଖ୍ୟ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଆଇପିସିର ଦଫା ୩୦୨ରେ ହତ୍ୟା ମାମଲା ରୁଜୁ କରାଯାଉ। ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ। ଘଟଣା ପଛର ପ୍ରକୃତ ଦୋଷୀଙ୍କୁ ଖୋଜି ବାହାର କରାଯାଉ। ଘଟଣାର ତଦନ୍ତ ସିବିଆଇ କିମ୍ବା କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ଜନସ୍ୱାର୍ଥ ମାମଲାରେ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ପୁଲିସ କମିସନର, ଡିସିପି, ପୂର୍ତ୍ତ ସଚିବ, ଆର୍‌ ଆଣ୍ଡ ବିର ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ପଣ୍ଡା ଇନଫ୍ରା ମୁଖ୍ୟ ପ୍ରତାପ କିଶୋର ପଣ୍ଡା, ନିର୍ଦ୍ଦେଶିକା ସୁଜାତା ପଣ୍ଡାଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର