ପୁଣି ବିବାଦରେ ପଣ୍ଡା ଇନ୍‌ଫ୍ରା : ଖସିପଡ଼ିଲା ଫ୍ଲାଇଓଭର ଗାର୍ଡର

ସମ୍ବଲପୁର : ଭୁବନେଶ୍ବର ପରେ ସମ୍ବଲପୁରରେ ବି ପଣ୍ଡା ଇନ୍‌ଫ୍ରା ନିର୍ମାଣ କରୁଥିବା ଫ୍ଲାଇଓଭର କାମ ବେଳେ ଅଘଟଣ ଘଟିଛି। ବୁଧବାର ରାତି ୮ଟା ୪୦ ବେଳେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫ୍ଲାଇଓଭର ବେସ୍‌ ଉପରକୁ ଟେକା ହେଉଥିବା ଗାର୍ଡର ଖସି ପଡ଼ିଛି। ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଓଭରବ୍ରିଜର ବେସ୍‌ରେ ବସିଥିବା ସକେଟ ଓ ବୋଲଟ ଛିଣ୍ଡି ପଡ଼ିବା ଫଳରେ ଏହି ଗାର୍ଡର ଖସି ପଡ଼ିଥିବା ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ସେହି ରାସ୍ତା ଦେଇ କୌଣସି ଗାଡ଼ିମଟର ଯାଉ ନଥିବାରୁ ବା ଲୋକଙ୍କ ଚଳପ୍ରଚଳ ନଥିବାରୁ ନିଶ୍ଚିତ ବିପତ୍ତି ଟଳି ଯାଇଥିଲା। ବ୍ରିଜ ଉପରେ ଓ ତଳେ କାର୍ଯ୍ୟରତ ଶ୍ରମିକମାନେ ବି ଗାର୍ଡର ଖସିବା ଆଶଙ୍କା କରି ହଟି ଯିବାରୁ ରକ୍ଷା ପାଇ ଯାଇଥିଲେ। ଗାର୍ଡର ଉଭୟ ପାର୍ଶ୍ବରେ ହାଇଡ୍ରାରେ ବନ୍ଧା ଥିବାରୁ ତାହା ନିୟନ୍ତ୍ରିତ ଢଙ୍ଗରେ ତଳେ ପଡ଼ିଥିଲା ଓ କୌଣସି କ୍ଷୟକ୍ଷତି ହୋଇ ନଥିଲା। ତେବେ ଦୁର୍ଘଟଣା ଘଟିବା କ୍ଷଣି ଉପରୁ ନିର୍ଦେଶ ପାଇ ସେଠାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ବହୁ ସମୟ ଯାଏଁ ପଣ୍ଡା ଇନ୍‌ଫ୍ରା କିମ୍ବା ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ ଘଟଣାସ୍ଥଳକୁ ଆସିନଥିଲେ। ତେବେ ପରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ନାୟକ ଘଟଣାସ୍ଥଳକୁ ଆସି ସ୍ଥିତି ସମୀକ୍ଷା କରିଥିଲେ। ଏନେଇ ଶ୍ରୀ ନାୟକଙ୍କୁ ପଚାରିବାରେ ବ୍ରିଜ କାର୍ଯ୍ୟରେ ତ୍ରୁଟିପୂର୍ଣ୍ଣ ବେରିଂ ବ୍ୟବହୃତ ହୋଇଥିବା ବିଷୟକୁ ସ୍ବୀକାର କରିଥିଲେ। ତେବେ କ୍ରସ ବ୍ରେସିଂ ଉଠାଇବା ବେଳେ ଗିର୍ଡର ସହ ହାଇଡ୍ରା ଧକ୍କା ହେବାରୁ ଏଭଳି ସ୍ଥିତି ଉପୁଜିଥିବା ସେ କହିଥିଲେ। ଭୁବନେଶ୍ବର ଗସ୍ତରେ ଥିବା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ସାହୁ ମଧ୍ୟ ସମାନ କଥା କହିଛନ୍ତି। ଗାର୍ଡର ଖସି ପଡ଼ି ନାହିଁ। ବରଂ କ୍ରସ ବ୍ରେସିଂ ଉଠାଇବା ବେଳେ ବାଜି ଯିବାରୁ ହାଇଡ୍ରା ଯୋଗେ ତାକୁ ଆଣି ତଳେ ଥୋଇ ଦିଆ ଯାଇଥିଲା। ପୋଲ ନିର୍ମାଣ ବେଳେ ଏହା ଏକ ସାଧାରଣ ଘଟଣା। ବେସ୍‌ରେ ଠିକଭାବେ ନ ବସିବା ପର୍ଯ୍ୟନ୍ତ ଗାର୍ଡର ଗୁଡ଼ିକୁ ବେଳେ ବେଳେ ବହୁବାର ଉପରକୁ ଉଠାଇବାକୁ ପଡ଼େ ଓ ପୁଣି କାଢ଼ି ତଳକୁ ଅଣାଯାଏ। ଗୋଟିଏ ଗିର୍ଡର ଟେକିବାକୁ ୩ରୁ ୪ ଘଣ୍ଟା ସମୟ ଲାଗେ। ଗାର୍ଡରଗୁଡ଼ିକ ଉଚ୍ଚ କ୍ଷମତା ସମ୍ପନ୍ନ ହାଇଡ୍ରାରେ ସଂଯୁକ୍ତ ହୋଇଥିବାରୁ ଏହା ତଳକୁ ଖସିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଅନ୍ୟପକ୍ଷରେ, ତ୍ରୁଟିପୂର୍ଣ୍ଣ ବେରିଂ ବ୍ୟବହାର ଯୋଗୁଁ ଗାର୍ଡର ଖସି ପଡ଼ିଲା ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ ପଣ୍ଡା ଇନଫ୍ରାର ପ୍ରୋଜେକ୍ଟ ମ୍ୟାନେଜର ସଞ୍ଜୀବ ନାଏକ।

ସମ୍ବନ୍ଧିତ ଖବର