ବୈଜୟନ୍ତ ପଣ୍ତାଙ୍କ ସତ୍ୟପାଠ ମାମଲା, ପରବର୍ତ୍ତୀ ଶୁଣାଣି ଜାନୁଆରି ୨୯ରେ

କଟକ: କେନ୍ଦ୍ରାପଡାର ପୂର୍ବତନ ସା˚ସଦ ବୈଜୟନ୍ତ ପଣ୍ତାଙ୍କ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୯ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଥି ସହିତ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଏସ୍.ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ତପୀଠ ଶ୍ରୀ ପଣ୍ତାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ଡି.ପି.ଧଳ, ତରଣୀକାନ୍ତ ବିଶ୍ବାଳ ଓ ପୁଷ୍ପରାଜ ଭରଦ୍ବାଜ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଯେ ୨୦୧୪ ନିର୍ବାଚନରେ ସା˚ସଦ ଭାବେ ନିର୍ବାଚନ ଲଢିବା ସମୟରେ ଶ୍ରୀ ପଣ୍ତା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଦର୍ଶାଇ ଅଭିଯୋଗକାରୀ ଦିଲ୍ଲୀପ କୁମାର ଦାସ କେନ୍ଦ୍ରାପଡା ଏସଡିଜେଏମ୍‌ ଅଦାଲତରେ କ˚ପ୍ଲୋନ୍‌ କେସ୍‌ ରୁଜୁ କରିଥିଲେ। ଅଭିଯୋଗକାରୀଙ୍କ ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରି ତଦନ୍ତ କରିବା ପାଇଁ ସିଆରପିସିର ଧାରା ୧୫୬(୩)ରେ ଏସଡିଜେଏମ୍‌ ଅଦାଲତ ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏ ନେଇ ଟାଉନ ଥାନାରେ ଏତଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ କେନ୍ଦ୍ରାପଡା ଏସଡିଜେଏମ୍‌ ଅଦାଲତରେ ବିଚାରାଧୀନ ମାମଲାକୁ ଚଲେଞ୍ଜ କରି ଶ୍ରୀ ପଣ୍ତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର