ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ କରୁଣ ଶିକ୍ଷା ଦେଇଛି ମହାମାରୀ

ସମାଧାନ ସମ୍ପର୍କରେ ଏକ ଚିତ୍ର ରଖିଲା ଡେଭଲପ୍‌ମେଣ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌

ଭୁବନେଶ୍ବର: ଟିକସଦାତା, ସ୍ଥାୟୀ ରୋଜଗାରିଆ ପରିବାରକୁ ବାଦ୍‌ ଦେଇ ଘରପିଛା ସମସ୍ତଙ୍କୁ ୬ ମାସ ପର୍ଯ୍ୟନ୍ତ ୭୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉ। ମୁଣ୍ଡପିଛା ମାସକୁ ୧୦ କେଜି ଚାଉଳ ଦିଆଯାଉ। କୃଷି ଭିତ୍ତିକ କାର୍ଯ୍ୟକୁ ମନରେଗାରେ ଅନ୍ତର୍ଭୁକ୍ତ କରାଯାଉ। ମନରେଗାରେ କାର୍ଯ୍ୟଦିବସ ବୃଦ୍ଧି ସହିତ ଦୈନିକ ପାରିଶ୍ରମିକ ବାବଦରେ ୬୦୦ ଟଙ୍କା ଦିଆଯାଉ। କୋଭିଡ୍-୧୯ ଜନିତ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଯେଉଁସବୁ ସମସ୍ୟା ସାମ୍‌ନାକୁ ଆସିଛି, ତାହାର ସ୍ଥାୟୀ ପ୍ରତିକାର ନିମନ୍ତେ ଏହିଭଳି କେତେକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଭୁବନେଶ୍ବରସ୍ଥିତ ‘ଡେଭଲ୍‌ପ୍‌ମେଣ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ ପ୍ରସ୍ତାବ ରଖିଛି। ଏହିସବୁ ପ୍ରସ୍ତାବକୁ ସରକାର, ନାଗରିକ ସମାଜ, ରାଜନୈତିକ ଦଳ, ବୁଦ୍ଧିଜୀବୀଙ୍କ ନିକଟରେ ଅଧିକ ବିଚାର ପାଇଁ ଉପସ୍ଥାପନ କରାଯାଇଛି; ଯାଦ୍ବାରା ପ୍ରବାସୀ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଏକ ଗଣତାନ୍ତ୍ରିକ ଅଧିକାର ବିକଶିତ ହୋଇପାରିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

କୋଭିଡ-୧୯ ପାଇଁ ଲକ୍‌ଡାଉନ୍‌ ସମୟରେ ପ୍ରବ‌ାସୀ ଶ୍ରମିକମାନେ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଯେଉଁଭଳି ହନ୍ତସନ୍ତ ହେଉଥିଲେ, ତାହାର କରୁଣ ଚିତ୍ର ସମସ୍ତେ ଦେଖିଛନ୍ତି। ସେମାନଙ୍କ ବିକଳ ଅବସ୍ଥାକୁ ଅନୁଭବ କରିଛନ୍ତି। କିନ୍ତୁ, ଏଥିରୁ ଗୋଟିଏ ଶିକ୍ଷା ମିଳିଛି ଯେ ମହାମାରୀ ଓ ପରବର୍ତ୍ତୀ ସମୟରେ ପ୍ରବାସୀଙ୍କ ସମସ୍ୟା ଓ ଅଧିକାର ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ ହୋଇପଡ଼ିଛି। ଏହିଭଳି ଚିନ୍ତାଧାରା ନେଇ ଭୁବନେଶ୍ବରସ୍ଥିତ ‘ଡେଭଲ୍‌ପ୍‌ମେଣ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ ପକ୍ଷରୁ କିଛି ସପ୍ତାହ ଧରି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ସୂଚନା ଓ ତଥ୍ୟ ସଂଗ୍ରହ କରାଯାଇଥିଲା। ଯେଉଁଥିରେ ସମାଜବିଜ୍ଞାନୀ, ଗବେଷକ, ଗଣମାଧ୍ୟମ ବ୍ୟକ୍ତିବିଶେଷ, ସମାଜସେବୀ ଓ ପଞ୍ଚାୟତ କର୍ମୀ ସହାୟତା କରିଥିଲେ।

ତଥ୍ୟ ସଂଗ୍ରହ ସମୟରେ ପ୍ରବାସୀ ଶ୍ରମିକଙ୍କ ଅଧିକାର ଏବଂ କୋଭିଡ୍‌ ପରବର୍ତ୍ତୀ ସମସ୍ୟାର ସମାଧାନ ଉପରେ ଅଗ୍ରାଧିକାର ଦିଆଯାଇଥିଲା। କାହିଁକିନା, ମହାମାରୀ ସମୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ସେମାନଙ୍କ ସମସ୍ୟାର ସମାଧାନ ପାଇଁ କିଛି ତ୍ବରିତ୍‌ ପଦକ୍ଷେପ ସହିତ ମଧ୍ୟମ ଓ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ତ୍ବରିତ୍‌ ପଦକ୍ଷେପ ସ୍ବରୂପ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଖାଦ୍ୟ ନିରାପତ୍ତା। ଏହାକୁ ଦୃଷ୍ଟିରେ ରଖି ମୁଣ୍ଡପିଛା ମାସିକ ୧୦ କେଜି ଚାଉଳ ଯୋଗାଇବା ସହିତ ତେଲ, ସାବୁନ, ଚିନି ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦିଆଯାଉ। ଗ୍ରାମାଞ୍ଚଳର ଅର୍ଥନୀତିକୁ ତ୍ବରାନ୍ବିତ କରିବା ପାଇଁ ଟିକସଦାତା, ସ୍ଥାୟୀ ରୋଜଗାରିଆ ବ୍ୟତିରେକ ସବୁ ପରିବାରକୁ ୬ ମାସ ପର୍ଯ୍ୟନ୍ତ ୭୫୦୦ ଟଙ୍କା ଲେଖାଏଁ ଦିଆଯାଉ। ନିର୍ମାଣ ଶ୍ରମିକଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ କରାଯାଇଛି ମାତ୍ର ଏହାର ସଦସ୍ୟତାର ନବୀକରଣ କରାଯାଉନାହିଁ। ଫଳରେ, ନିର୍ମାଣ ଶ୍ରମିକମାନେ ସହାୟତା ପାଇ ପାରୁନାହାନ୍ତି। ଏଥିସହିତ, ବିଡ଼ି ଶ୍ରମିକଙ୍କ ଭଳି ଅସୁରକ୍ଷିତ ଅବସ୍ଥାରେ କାର୍ଯ୍ୟରତ ଶ୍ରମିକଙ୍କୁ ମଧ୍ୟ ଏଥିରେ ସାମିଲ୍‌ କରାଯାଉ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମ୍‌ଜିକେୱାଇ) ଓ ମନରେଗାରେ ଅଧିକ ଶ୍ରମିକଙ୍କୁ ସାମିଲ୍‌ କରିବା ପାଇଁ ପ୍ରବାସୀଙ୍କ ତାଲିକାର ବିସ୍ତାର ଓ ଅଦ୍ୟତନ କରାଯାଉ। କୃଷିକୁ ମ‌ନରେଗାରେ ସାମିଲ୍‌ କରାଯିବା ସହିତ ଦୈନିକ ପାରିଶ୍ରମିକ ୬୦୦ ଟଙ୍କା ଦିଆଯାଉ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ପ୍ରବାସୀ ଶ୍ରମିକ ଆଇନ, ୧୯୭୯ରେ ଯେଉଁସବୁ ବ୍ୟବସ୍ଥାରେ କରାଯାଇଛି, ସେ ସମ୍ପର୍କରେ ପ୍ରବାସୀ ଶ୍ରମିକଙ୍କୁ ସଚେତନ କରାଯାଉ।

ସେହିଭଳି, ମଧ୍ୟମ ଓ ଦୀର୍ଘମିଆଦୀ ଯୋଜନା ଉପରେ ଗୁରୁତ୍ବ ଦେବା ପାଇଁ ଇନ୍‌ଷ୍ଟଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ‘ପ୍ରବାସୀ ଶ୍ରମିକ ପୋର୍ଟାଲ’ ମାଧ୍ୟମରେ ଏକ ସୂଚନା ଆଧାର ସୃଷ୍ଟି କରିବା ସହିତ ଏକ ଗବେଷଣା କେନ୍ଦ୍ର ବି ପ୍ରତିଷ୍ଠା କରାଯାଉ। ଏହାକୁ ସ୍ବତନ୍ତ୍ର ଭାବେ କିମ୍ବା‌ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍‌ ଡେଭଲପ୍‌ମେଣ୍ଡ ଷ୍ଟଡିଜ୍‌ କିମ୍ବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଅନୁଷ୍ଠାନର ପୃଷ୍ଠପୋଷକତାରେ ଏହାକୁ ପ୍ରତିଷ୍ଠା କରାଯାଉ। ଏଥିସହିତ, କୃଷି ଉତ୍ପାଦନ ବୃଦ୍ଧି ଏବଂ ଜଳସେଚନ, ଶୀତଳଭଣ୍ଡାର ଭଳି କୃଷିଭିତ୍ତିକ ଭିତ୍ତିଭୂମି ବୃଦ୍ଧି; ଭାଗଚାଷୀଙ୍କୁ ସରକାରଙ୍କ ପ୍ରୋତ୍ସାହନ ‌ଯୋଜନାରେ ଅନ୍ତର୍ଭୁକ୍ତି , ଉତ୍ପାଦିତ ସାମଗ୍ରୀର ବଜାର ସୃଷ୍ଟି ଓ ଅଭାବୀବିକ୍ରିକୁ ରୋକିବା ଉପରେ ଅଗ୍ରାଧିକାର ପାଇଁ ଏହି ସଂସ୍ଥା ପକ୍ଷରୁ ପ୍ରସ୍ତାବ ରଖାଯାଇଛି। ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅନୁଷ୍ଠାନର ନିର୍ଦ୍ଦେଶକ ଆଶା ହଂସ, ଉପଦେଷ୍ଟା ଦୀପକ କୁମାର ମିଶ୍ର, ଗବେଷଣା ଚକ୍ରର ସଭାପତି ବିଜୟ କୁମାର ବହିଦାର କହିଛନ୍ତି।

ସମ୍ବନ୍ଧିତ ଖବର