ବିରୋଧୀ ଗର୍ଜିଲେ, ଗୃହ କାର୍ଯ୍ୟ ଅଟକିଗଲା

ଜନଜାତି ପରାମର୍ଶଦାତା ପରିଷଦ ବୈଠକ ବସୁନି

ଭୁବନେଶ୍ୱର : ଓଡ଼ିଶା ଜନଜାତି ପରାମର୍ଶଦାତା ପରିଷଦ(ଟିଏସି) ବୈଠକ ନିୟମିତ ବସୁନି। ଆଦିବାସୀଙ୍କ ବିକାଶ ପାଇଁ ଟିଏସିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲେ ବି ସରକାର ତାହାକୁ ଅଣଦେଖା କରୁଛନ୍ତି। ପ୍ରମାଣିତ ହେଉଛି ଆଦିବାସୀଙ୍କ ପ୍ରତି ସରକାରଙ୍କ ଦରଦ ନାହିଁ।

ଆଜି ସରକାରଙ୍କ ବିରୋଧରେ ଏମିତି ଅଭିଯୋଗ ଆଣି ବିଧାନସଭାକୁ ଅଚଳ କରିଦେଇଥିଲେ ବିରୋଧୀ ଦଳ। ପ୍ରଶ୍ନକାଳରୁ ଆରମ୍ଭ ହୋଇଥିବା ଏହି ଅଚଳାବସ୍ଥା ଅପରାହ୍ନ ୩ଟା ଯାଏଁ ଲାଗିଥିଲା। ଅପରାହ୍ନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

ଆଜି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିଲା। କୃଷ୍ଣଚନ୍ଦ୍ର ସଗରିଆଙ୍କ ମୂଳ ପ୍ରଶ୍ନ ଥିଲା, ଟିଏସି ବୈଠକ ପ୍ରତି ୬ ମାସରେ ବସିବାର ବ୍ୟବସ୍ଥା ରହିଛି। କେଉଁ କାରଣ ପାଇଁ ୨୦୦୩, ୨୦୦୮, ୨୦୧୪, ୨୦୧୬ ଓ ୨୦୧୭ରେ ଆଦୌ ବୈଠକ ଅନୁଷ୍ଠିତ ହୋଇ ନ ଥିଲା ? ତେଣୁ ଗତ ୧୭ ବର୍ଷ ମଧ୍ୟରେ ୩୪ ଥର ବୈଠକ ବସିବାର ନୀତି ନିର୍ଦ୍ଧାରିତ ହୋଇଥିବା ସ୍ଥଳେ ୧୫ ଥର ବୈଠକ ବସିଥିଲା। ନିୟମିତ ବ୍ୟବଧାନରେ ବୈଠକ ଅନୁଷ୍ଠିତ ନ କରିବା ପାଇଁ କେଉଁ କେଉଁମାନେ ଉତ୍ତରଦାୟୀ ତାହା ସ୍ପଷ୍ଟ ଭାବେ ମନ୍ତ୍ରୀ ଅବଗତ କରାନ୍ତୁ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ସିଧାସଳଖ ଏହାର ଉତ୍ତର ଦେଇ ନ ଥିଲେ। କହିଥିଲେ, ଟିଏସି ବୈଠକ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଥାଏ। ରାଜ୍ୟରେ ବିଭିନ୍ନ ସମୟରେ ବିଧାନସଭା, ଲୋକସଭା ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ ଓ ଏହି ସଂକ୍ରାନ୍ତୀୟ ଆଚରଣ ବିଧି ଲାଗୁ ହୋଇଥିବା ଯୋଗୁଁ ଏବଂ ଟିଏସିର ଅବଧି ସରିବା ପରେ ପୁନଃଗଠନ ନିମନ୍ତେ ଓ ଅନ୍ୟାନ୍ୟ ଅନିବାର୍ଯ୍ୟ କାରଣ ଯୋଗୁଁ ବିଭିନ୍ନ ସମୟରେ ବୈଠକ ବସିପାରି ନାହିଁ।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ସଗରିଆଙ୍କ ଅନୁପସ୍ଥିତିରେ ଭୁଜବଳ ମାଝୀ ଅତିରିକ୍ତ ପ୍ରଶ୍ନ କରିଥିଲେ, ବର୍ଷକୁ ଦୁଇ ଥର ବୈଠକ ନ ବସିବା ଦୁର୍ଭାଗ୍ୟଜନକ। ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।
ମନ୍ତ୍ରୀ କହିଥିଲେ, ସରକାର ସବୁବେଳେ ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଟିଏସି କିପରି ନିୟମିତ ବସିବ, ସେ ଦିଗରେ ପଦକ୍ଷେପ ନିଆଯାଉଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ, ୩୪ ଥର ବୈଠକ ବସିବା କଥା। ମାତ୍ର ୧୫ ଥର ବସିଛି। କିନ୍ତୁ ଏ ନେଇ ମନ୍ତ୍ରୀଙ୍କ ଉତ୍ତର ନୈରାଶ୍ୟଜନକ। ପ୍ରମାଣିତ ହେଉଛି, ଆଦିବାସୀଙ୍କ ପ୍ରତି ସରକାରଙ୍କ ଦରଦ ନାହିଁ। ଏହା କେବଳ ଏକ ପ୍ରଚାର ସର୍ବସ୍ୱ ସରକାର। ସରକାର ଏଥି ପାଇଁ କ୍ଷମା ମାଗନ୍ତୁ। ଟିଏସି ବୈଠକ ନିୟମିତ ବସିବ ବୋଲି ପ୍ରତିଶ୍ରୁତି ଦିଅନ୍ତୁ।
ଏହା ପରେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ମନ୍ତ୍ରୀ ଶ୍ରୀ ମାଝୀ ଠିଆ ହୋଇ କିଛି କହୁଥିଲେ ବି ତାଙ୍କ କଥା ଶୁଣାଯାଇ ନ ଥିଲା। ବିରୋଧୀ ଦଳ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ସରକାରଙ୍କ ବିରୋଧରେ ନାରାବାଜି କଲେ। ୧୦ଟା ୩୮ରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କଲେ।

୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସମାନ ପରିସ୍ଥିତି ସୃଷ୍ଟି ହେଲା। କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ। କିଛି ସେକେଣ୍ଡ୍‌ ମଧ୍ୟରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କଲେ।

ଗୃହ ବାହାରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ, ଆଦିବାସୀଙ୍କ ବିକାଶ ପାଇଁ ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବରେ ସରକାର ଆଦିବାସୀଙ୍କୁ ସବୁଦିନେ ଅନ୍ଧାରରେ ରଖିବାକୁ ଚାହୁଁଛନ୍ତି। ପ୍ରତି ୬ ମାସରେ ଟିଏସି ବୈଠକ ନ କରି ସରକାର ଆଇନ୍‌ର ଉଲ୍ଲଂଘନ କରୁଛନ୍ତି। ଆଗାମୀ ଦିନରେ ଏହି ବୈଠକ ନିୟମି ହେବ ବୋଲି ଗୃହରେ ପ୍ରତିଶ୍ରୁତି ଦେବାକୁ ବି ସରକାର ରାଜି ନାହାନ୍ତି। ଭୁଲ୍‌ କରିଛନ୍ତି ବୋଲି କ୍ଷମା ବି ମାଗୁ ନାହାନ୍ତି। ତା’ହେଲେ ଗୃହରେ ଆଲୋଚନା କରି ଲାଭ କ’ଣ ? ଗଣତନ୍ତ୍ର ମୂଲ୍ୟହୀନ ହୋଇପଡ଼ିଛି। ଏକଛତ୍ରବାଦ ଶାସନ ଚାଲିଛି।

ସମ୍ବନ୍ଧିତ ଖବର