ଭୁବନେଶ୍ବର: ପ୍ରଥମେ ଚର୍ଚ୍ଚା ହେଲା ଭି କେ ପାଣ୍ଡିଆନ ଓଡ଼ିଶା ଛାଡ଼ିବେ। ତାହା ପରେ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ସରକାରୀ ଚାକିରିରୁ ଇସ୍ତଫା ଦେଲେ। ଠିକ୍ ସେହି ସମୟରେ ପାଣ୍ଡିଆନଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ବାହାରକୁ ସାତଦିନିଆ ଗସ୍ତରେ ଗଲେ। ନୂଆଦିଲ୍ଲୀ ଓ ତାମିଲନାଡ଼ୁ ଯାଇଥିଲେ ବି ଗସ୍ତକୁ ଯଥାସମ୍ଭବ ଗୋପନ ରଖାଯାଇଥିଲା। ଏସବୁ ଘଟଣା ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ଚଳଚଞ୍ଚଳ କରିଛି। ପାଣ୍ଡିଆନ ଦମ୍ପତିଙ୍କର ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଜେଡିର ସବୁ ନେତାଙ୍କ ନଜର। ପ୍ରଶ୍ନ ଉଠୁଛି, ସତରେ କ’ଣ ପାଣ୍ଡିଆନ ଦମ୍ପତି ବିଦେଶ ଯିବେ? ନବୀନ ଯେଉଁମାତ୍ରାରେ ପାଣ୍ଡିଆନଙ୍କ ଉପରେ ନିର୍ଭରଶୀଳ, ସେ ତାଙ୍କୁ ଛାଡ଼ିକି ଯିବେ ତ? ନବୀନ କ’ଣ ଓଡ଼ିଶା ଛାଡ଼ିଦେବେ? ନା ରାଜନୈତିକ ମହଲରେ ପାଣ୍ଡିଆନଙ୍କ ପ୍ରତି ସମବେଦନା ସୃଷ୍ଟି ପାଇଁ ଏସବୁ ସୁଚିନ୍ତିତ ରଣନୀତି? 

Advertisment

ପାଣ୍ଡିଆନ ଓଡ଼ିଶା ଛାଡ଼ି ବିଦେଶ ଯାଇ ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ଚାକିରି କରିବେ ବୋଲି କୁହାଯାଉଛି। ଏକ ଇଂରାଜୀ ପୋର୍ଟାଲ୍‌ରେ ପ୍ରଥମେ ଏହି ଖବର ଦିଆଯାଇଥିଲା। ତାହା ପରେ ଅନ୍ୟ ଗଣମାଧ୍ୟମରେ ଛାଇଗଲା। ସୁଜାତାଙ୍କ ଇସ୍ତଫା ପରେ ଏହି ଚର୍ଚ୍ଚା ଆହୁରି ଜୋର୍‌ ଧରିଛି। ପାଣ୍ଡିଆନ୍ ଦମ୍ପତି ସମ୍ପୂର୍ଣ୍ଣ ଓଡ଼ିଶା ଛାଡ଼ିଦେବେ ବୋଲି ଏହି ମହଲରେ ପ୍ରଚାର କରାଯାଉଛି। ଏହା ଗୁଜବ ନା ଏହା ପଛରେ କିଛି ସତ୍ୟତା ଅଛି, ତାହା ସ୍ପଷ୍ଟ ହୋଇନି। କିନ୍ତୁ ଚର୍ଚ୍ଚା ସରଗରମ ହେଉଛି। 

ରାଜ୍ୟ ଛାଡ଼ିବା ସତ ନା ଗୁଜବ
ପାଣ୍ଡିଆନଙ୍କୁ ଅଟକାଇବାକୁ ଲୋକ ଯୋଗାଡ଼ ଚାଲିଛି 
ସୁଜାତାଙ୍କୁ ଅତନୁଙ୍କ ମନଖୋଲା ପ୍ରଶଂସା

ପ୍ରଥମେ ସମସ୍ତେ ଏହି ଚର୍ଚ୍ଚାକୁ ବିଶ୍ବାସ କରୁଥିଲେ। କିନ୍ତୁ ଗତ କିଛି ଦିନ ହେଲା ଏକ ବଡ଼ ଧରଣର କାର୍ଯ୍ୟକ୍ରମ ପାଇଁ ଦଳ ଭିତରେ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ୩/୪ ଜଣ ବରିଷ୍ଠ ନେତା ଏହାର ନେତୃତ୍ବ ନେଉଛନ୍ତି। ଏହି ଯୋଜନା ଅନୁଯାୟୀ ନବୀନ ନିବାସକୁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସିବେ। ପାଣ୍ଡିଆନଙ୍କୁ ଓଡ଼ିଶା ନ ଛାଡ଼ିବାକୁ ସେମାନେ ଅନୁରୋଧ କରିବେ। ତାଙ୍କୁ ବିଜେଡିକୁ ଫେରାଇ ଆଣିବା ପାଇଁ ନବୀନଙ୍କୁ ନିବେଦନ କରିବେ। ଖୁବ୍‌ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ। ବିଜେଡିର ଛାମୁଆ ନେତା, ମହିଳା, ଯୁବବର୍ଗ, ଛାତ୍ର ସମସ୍ତେ ବିଭିନ୍ନ ପର୍ଯ୍ୟାୟରେ ଆସି ନବୀନଙ୍କୁ ଭେଟିବେ। ଦଳୀୟ ମହଲରେ ଏହା ଜଣାପଡ଼ିବା ପରେ ପାଣ୍ଡିଆନ୍‌ ଓଡ଼ିଶା ଛାଡ଼ିବା ପ୍ରଚାର ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିଲା‌ ବୋଲି ଧାରଣା ସୃଷ୍ଟି ହେଲାଣି। କିନ୍ତୁ ସିଂହଭାଗ ନେତା ଏହି ଯୋଜନାକୁ ନାପସନ୍ଦ କରୁଛନ୍ତି। ସେମାନଙ୍କ ଯୁକ୍ତି ଯେ ଗତ ନିର୍ବାଚନରେ ପାଣ୍ଡିଆନଙ୍କ ପାଇଁ ହିଁ ବିଜେପିର ଓଡ଼ିଆ ଅସ୍ମିତା ନାରା ସଫଳ ହେଲା ଏବଂ ବିଜେଡି କ୍ଷମତାଚ୍ୟୁତ ହେଲା। ପାଣ୍ଡିଆନ ଦଳର ନେତାମାନଙ୍କୁ ଏମିତି ତଳିଆ କରି ରଖିଥିଲେ ଯେ ଏବେ ବିଧାନସଭାରେ ସେହି କଥା ଉଖୁରାଇ ବିଜେପି ବିଧାୟକମାନେ କଟା ଘା’ରେ ଚୂନ ମାରୁଛନ୍ତି। ତେଣୁ ‌ପୁଣି ପାଣ୍ଡିଆନ୍ ବିଜେଡିର କେନ୍ଦ୍ରରେ ରହିଲେ, ଦଳ ଉଠିବା କଷ୍ଟକର ହୋଇପଡ଼ିବ ବୋଲି ସେମାନଙ୍କ ମତ।

ଏହି ସମୟରେ ସାମାଜିକ ଗଣମାଧ୍ୟମରେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କର ଏକ ପୋଷ୍ଟ ଆଲୋଚନାର ବିଷୟ ହୋଇଛି। ଏଥିରେ ସୁଜାତା କାର୍ତ୍ତିକେୟନଙ୍କୁ ମନଖୋଲା ପ୍ରଶଂସା କରିଛନ୍ତି ଅତନୁ। ସେ କହିଛନ୍ତି, ଓଡ଼ିଶାର ଅବହେଳିତ ମହିଳାମାନଙ୍କୁ ସଶକ୍ତ କରାଇବା ଓ ଲୋକଙ୍କୁ ସେବା ଯୋଗାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁଜାତା ସବୁବେଳେ ସ୍ବତନ୍ତ୍ର ହୋଇ ରହିବେ। ପୁଣି ସୁଜାତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବାରୁ ଅତନୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି ଦର୍ଶାଇଛନ୍ତି। ଏହି ପୋଷ୍ଟକୁ ନେଇ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଅତନୁଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ। ସେ କହିଥିଲେ, ‘ଯିଏ ଭଲ ଅଫିସର ତାଙ୍କୁ ଭଲ କହିବୁ। ସୁଜାତା କାର୍ତ୍ତିକେୟନ ଜଣେ ଭଲ ଅଫିସର। ମୁଁ ଯେତେବେଳେ ଶକ୍ତି ବିଭାଗର ମନ୍ତ୍ରୀ ଥିଲି, ସେହି ବିଭାଗରେ ଅନେକ ସଂସ୍କାର ପାଇଁ ମୁଁ ସଚିବ ପ୍ରଦୀପ ଜେନାଙ୍କୁ ଖୋଲାଖୋଲି ଧନ୍ୟବାଦ ଦେଇଥିଲି। ଭଲ କାମ କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବାରେ ଅସୁବିଧା ନାହିଁ।’ ଅତନୁଙ୍କ ଏହି ସଫେଇ ସର୍ବସାଧାରଣରେ ଗ୍ରହଣଯୋଗ୍ୟ ହେଉନାହିଁ। ଗତ ୧୦ ବର୍ଷର ହିସାବକୁ ନେଲେ ରାଜ୍ୟରୁ ଅନେକ ଅଫିସର ଅବସର ନେଇଛନ୍ତି। ବହୁତ ଭଲ କାମ ବି କରିଛନ୍ତି। କିନ୍ତୁ ଅତନୁ କେବେ କାହାକୁ ଏମିତି ଖୋଲାଖୋଲି ପ୍ରଶଂସା କରିବା ଦେଖାଯାଇନି। ଏବେ ସୁଜାତାଙ୍କୁ ପ୍ରଶଂସା ପଛରେ ତାଙ୍କର ନିଶ୍ଚିତ କିଛି ସୁଚିନ୍ତିତ ଯୋଜନା ରହିଛି ବୋଲି ରାଜନୈତିକ ମହଲ ଅନୁମାନ କରୁଛନ୍ତି।