ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଚଲାଇଲେ ପାଣ୍ଡିଆନ୍

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନରେ ଏକ ଅପ୍ରତ୍ୟାଶିତ ଘଟଣା ଗତକାଲି ଠାରୁ ଚର୍ଚ୍ଚାରେ ରହି ଆସିଛି। ସକାଳ ୯ଟାରେ ପତାକା ଉତ୍ତୋଳନ ଥିବାରୁ ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ବାହାରିଲେ। ଗାଡ଼ି ସିଧା ପ୍ରଦର୍ଶନୀ ପଡ଼ିଆ ଅଭିମୁଖେ ଗଲା। ମୁଖ୍ୟମନ୍ତ୍ରୀ ଯେଉଁ କାର୍‌ରେ ସବୁବେଳେ ଯା’ଆସ କରନ୍ତି, ସେହି କାର୍‌ର ଆଗ ସିଟ୍‌ରେ ବସିଥିଲେ। କିନ୍ତୁ ଡ୍ରାଇଭର୍‌ ସିଟ୍‌ର ଦୃଶ୍ୟ ହିଁ ଥିଲା ନିଆରା। ସେଠି ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଡ୍ରାଇଭର୍‌ ବସି ନ ଥିଲେ। ଗାଡ଼ି ଚଲାଉଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍। ସେ ଗାଡ଼ି ଚଲାଇ ପ୍ରଦର୍ଶନୀ ପଡ଼ିଆ ଆସିଲେ। ପୁଣି କାର୍ଯ୍ୟକ୍ରମ ପରେ ଗାଡ଼ି ଚଲାଇ ମୁଖ୍ୟମନ୍ତ୍ରୀଙ୍କୁ ନେଇ ନବୀନ ନିବାସ ଫେରିଲେ। ପାଣ୍ଡିଆନ୍ ଗାଡ଼ି ଚଲାଉଥିବାର ଏହି ଫଟୋ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି।

କେଉଁ ପରିସ୍ଥିତିରେ ପାଣ୍ଡିଆନ୍ ନିଜେ ଗାଡ଼ି ଚଲାଇ ଆସିଲେ, ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ କରୋନା କଟକଣା ରାଜ୍ୟରେ ଲାଗୁ ହେବା ପର ଠାରୁ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହି ହିଁ ଶାସନ କାର୍ଯ୍ୟ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ବୈଠକ ନବୀନ ନିବାସରୁ ହିଁ କରୁଛନ୍ତି। ଯେହେତୁ ନବୀନ ନିବାସକୁ ଏବେ ଖୁବ୍ କମ୍ କର୍ମଚାରୀ ଆସୁଛନ୍ତି, ତେଣୁ ଡ୍ରାଇଭର୍‌ଙ୍କୁ ଡାକିବା ପାଇଁ ସମ୍ଭବତଃ ତାଙ୍କ କାର୍ଯ୍ୟାଳୟ ନିରାପଦ ମଣି ନ ଥିଲା। ନିଜେ ସଚିବ ପାଣ୍ଡିଆନ୍ ଗାଡ଼ି ଚଲାଇ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆସିଥିଲେ। ପାଣ୍ଡିଆନ୍‌ଙ୍କ ଏହି ଭୂମିକାକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର