ପ୍ରଥମ ଥର ମା’ ତାରାତାରିଣୀଙ୍କ ଦର୍ଶନ କରି ସ୍କୁଲ୍ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ‘୫-ଟି’ ସଚିବ

ବ୍ରହ୍ମପୁର: ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌ ଶୁକ୍ରବାର ସକାଳେ ପ୍ରଥମ ଥର ଲାଗି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠକୁ ଆକସ୍ମିକ ପରିଦର୍ଶନରେ ପହଞ୍ଚିଥିଲେ। ଏତଦ୍‌ବ୍ୟତୀତ ଗଞ୍ଜାମଗସ୍ତ ସମୟରେ ପାଣ୍ଡିଆନ୍‌ଙ୍କ ଏକ ସୁନ୍ଦର ଦୃଶ୍ୟ ସାମ୍ନାକୁ ଆସିଥିଲା।

ସେ ପରିଦର୍ଶନରେ ବୁଲୁବୁଲୁ ହଠାତ ହିଞ୍ଜିଳି ବ୍ଲକ୍‌ ମକରଝୋଲ ସ୍କୁଲରେ ଯାଇ ପହଞ୍ଚି ଥିଲେ। ହଠାତ ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌କୁ ସ୍କୁଲରେ ଦେଖି ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପାଣ୍ଡିଆନ୍‌ ସେଠାରେ ପିଲାଙ୍କୁ ଭେଟି ସେମାନଙ୍କ ପାଠପଢ଼ା ବିଷୟରେ ବୁଝିଥିଲେ। କେବଳ ଏତିକି ନୁହେଁ, ସେ ଖୁବ୍‌ ଖୁସିରେ ମକରଝୋଲା ସ୍କୁଲ ପିଲାଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ବି ଖାଇଥିଲେ।

ଏଥିସହ ନିଜର ଗସ୍ତ ସମୟରେ ପାଣ୍ଡିଆନ୍ ହିଞ୍ଜିଳିକାଟୁ ଏନଏସି ହାଇସ୍କୁଲ ଗସ୍ତ କରି ସେଠାରେ ପିଲାଙ୍କ ପାଠପଢ଼ା ନେଇ ସମୀକ୍ଷା କରିଥିଲେ। ଉକ୍ତ ବିଦ୍ୟାଳୟରେ ପରୀକ୍ଷା ପାସ ହାର ୬୦ ପ୍ରତିଶତ ହୋଇଥିବାରୁ ପ୍ରଧାନ ଶିକ୍ଷକଙ୍କୁ ତାଗିଦ କରିଥିଲେ ୫-ଟି ସଚିବ। ସେ ପ୍ରଧାନଶିକ୍ଷକଙ୍କୁ ପଚାରିଥିଲେ, ଗ୍ରାମାଞ୍ଚଳରେ ପାସ ହାର ୮୦-୯୦% ହେଉଥିବା ବେଳେ ଏହା ସହରାଞ୍ଚଳ ସ୍କୁଲ ହୋଇ ଏଠାରେ ପାସ ହାର ଏତେ କମ୍ କାହିଁକି?

ଏହି  ଗସ୍ତ ଅବସରରେ ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌ ତାରାତାରିଣୀଙ୍କ ଦର୍ଶନ କରିବା ସହିତ ମନ୍ଦିରର ଉନ୍ନୟନ କାମ ସଂପର୍କରେ ସମୀକ୍ଷା କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ବି ଆଲୋଚନା କରିଥିଲେ। ‘୫-ଟି’ ସଚିବଙ୍କ ଏହି ଅଚାନକ ଗସ୍ତରୁ ଆଶା କରାଯାଉଛି ଯେ ଆଗାମୀ ଦିନରେ ତାରାତାରିଣୀ ମନ୍ଦିରର କାୟାକଳ୍ପରେ ପରିବର୍ତ୍ତନ ଲାଗି ବ୍ୟବସ୍ଥା କରାଯିବ। ‘୫-ଟି’ ସଚିବଙ୍କ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପିଡି ଡିଆର୍‌ଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବି ଉପସ୍ଥିତ ଥିଲେ।

‘୫-ଟି’ ସଚିବ ଋଷିକୂଲ୍ୟା ନଦୀ ପ୍ରକଳ୍ପର ଅଗ୍ରଗତି  ବି ସମୀକ୍ଷା କରିଥିଲେ। ଏହାପରେ ସେ ହିଞ୍ଜିଳି ବ୍ଲକ୍ ଓ ପୌରପରିଷଦରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟମାନଙ୍କୁ ଭେଟିଛନ୍ତି। ଏହାଛଡ଼ା ସେ ବିଭିନ୍ନ ପଞ୍ଚାୟତର ଉଚ୍ଚଶିକ୍ଷା, ପାନୀୟ ଜଳ, ରାସ୍ତା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଏବଂ ଜଳସେଚନ ଆଦି ସମସ୍ୟା ସଂପର୍କରେ ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକ ସହ ଆଲୋଚନା କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର