ସମ୍ବଲପୁର : ଗୌରବମୟ ଇତିହାସ ଥିବା ଓଡ଼ିଶାର ଶାସନ ବ୍ୟବସ୍ଥା ଏବେ କଳୁଷିତ ହୋଇଯାଇଛି। ରାଜ୍ୟରେ ଚାଲିଥିବା ଅଦ୍ଭୁତ ଶାସନ ବ୍ୟବସ୍ଥା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଥିବା ଜଣେ ଅଣଓଡ଼ିଆ ଅଧିକାରୀ ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ ରଖିଛନ୍ତି। ସମଗ୍ର ରାଜ୍ୟର ଶାସନ ବ୍ୟବସ୍ଥାକୁ ସେ ନିଜ ପାଦ ତଳେ ଦଳିଚକଟି ଦେଇଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ତଥା ରେଂଗାଲି ବିଧାୟକ ନାଉରୀ ନାୟକ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Advertisment

ଶ୍ରୀ ନାୟକ କହିଲେ, ଗତ କିଛି ମାସ ହେଲା ୫-ଟି ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ସାଧାରଣ ସଭାମାନଙ୍କରେ ଲୋକଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ତାଙ୍କ ଗସ୍ତ ପୂର୍ବରୁ କାର୍ଯ୍ୟକ୍ରମ ଆୟୋଜନରେ ରାଜ୍ୟର ସାଂସଦ, ମନ୍ତ୍ରୀ, ବିଧାୟକ ଓ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ନିୟୋଜିତ ହେଉଛନ୍ତି। ଯାହାକି ଗଣତନ୍ତ୍ର, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଜନପ୍ରତିନିଧିଙ୍କ ମୁହଁରେ ଏକ ଶକ୍ତ ଚାପୁଡ଼ା। ରାଜ୍ୟ ରାଜକୋଷକୁ ହରିଲୁଟ୍ କରି ହେଲିକପ୍ଟର ଯୋଗେ ଯାତ୍ରା କରୁଛନ୍ତି। ସରକାରୀ କାର୍ଯ୍ୟକ୍ରମ ବାହାନାରେ ଟଙ୍କା ଦେଇ ଲୋକଙ୍କୁ ସଭାକୁ ଆଣି ଦଳୀୟ ପ୍ରଚାର କରୁଛନ୍ତି। ରାଜ୍ୟରେ ଚାଲୁଥିବା ଏଭଳି ଶାସନ ବ୍ୟବସ୍ଥା ରାଜ୍ୟର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଲଜ୍ଜିତ ଓ ଲୋକହସା କରୁଛି ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି। କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ମଧ୍ୟ ଏହାର ନିନ୍ଦା କରିବା ସହିତ ଆସନ୍ତାକାଲି ୫ଟି ସଚିବଙ୍କ ସମ୍ବଲପୁର ଗସ୍ତକୁ ସମ୍ବଲପୁର ଜିଲ୍ଲା ବିଜେପି ବିରୋଧ କରିବ ବୋଲି କହିଛନ୍ତି।

ଗତ ୨୩ ବର୍ଷରେ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କଠାରୁ ଅଭିଯୋଗପତ୍ର ନେବା ପାଇଁ ୨୩ ଥର ଆସିଛନ୍ତି କି ବୋଲି ବିଧାୟକ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାରରେ କାର୍ଯ୍ୟରତ ନିର୍ବାଚିତ ଜନପ୍ରତିନିଧିମାନଙ୍କ ମଧ୍ୟରୁ ଏମିତି କେହି ବି ଯୋଗ୍ୟନେତା କିମ୍ବା ବିଶ୍ୱସ୍ତ ନେତା ତାଙ୍କ ପ୍ରତିନିଧିତ୍ୱ କରିବା ପାଇଁ ନାହାନ୍ତି କି ? ଲୋକଙ୍କ ପାଖକୁ ଯଦି ସରକାର ପହଂଚିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଛି, ତାହେଲେ ମଂଚରେ ସ୍ଥାନୀୟ ସାଂସଦ, ବିଧାୟକଙ୍କ ସମେତ ବିଭାଗୀୟ ମନ୍ତ୍ରୀମାନେ ମଞ୍ଚାସୀନ ନହୋଇ କେବଳ ଜଣେ ସଚିବ କାହିଁକି ମଂଚରେ ରହୁଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ସହିତ ଅନ୍ୟ ଦଳୀୟ ନେତାମାନେ ଉପସ୍ଥିତ ଥିଲେ।