ସବଡେଗା/ରାଜଗାଙ୍ଗପୁର/ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୯୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରିଛନ୍ତି। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନାରେ ସରକାରୀ କର୍ମଚାରୀଙ୍କୁ ତାଲିକାଭୁକ୍ତ କରାଯାଇଥିବାବେଳେ ସମସ୍ତଙ୍କୁ ୧୦୦ ୟୁନିଟ ବିଦ୍ୟୁତ୍‌ ଛାଡ଼ ପାଇଁ ଘୋଷଣା କରିଛନ୍ତି। ୧୫ ବର୍ଷରେ ତଳସରା ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ହୋଇଥିବା ବିକାଶମୂଳକ ପ୍ରକଳ୍ପ ଆଖିଦୃଶିଆ। ନବୀନବାବୁ ତଳସରା କ୍ଷେତ୍ରର ବହୁ ବିକାଶ କରିଥିଲେ ମଧ୍ୟ ତାଙ୍କୁ ଏ ମାଟିରୁ ଏ ଯାଏଁ ଆଶୀର୍ବାଦ ମିଳିନାହିଁ। ତେଣୁ ଏଥର ବିଧାନସଭା ପ୍ରାର୍ଥୀ ବିନୟ ଟ‌ପ୍ପୋ‌ ଏବଂ ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କିଙ୍କୁ ବିପୁଳ ଭୋଟ୍‌ରେ ବିଜୟୀ କରାଇ ଲୋକେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ବରିଷ୍ଠ ବିଜେଡି ନେତା ଭି. କାର୍ତ୍ତିକେୟନ୍ ପାଣ୍ଡିଆନ କହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାକୁ ଦୁଇଦିନିଆ ନିର୍ବାଚନ ପ୍ରଚାରରେ ଆସି ଶ୍ରୀ ପାଣ୍ଡିଆନ ତଳସରା ବିଧାନସଭା କ୍ଷେତ୍ର ଓ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ‌ଭୋଟ୍‌ ମାଗିଥିଲେ। ସଂଧ୍ୟା ୪ଟାରେ ତଳସରା କ୍ଷେତ୍ରର ସବଡେଗା ବ୍ଲକ୍‌ ପଡ଼ିଆରେ ଆୟୋଜିତ ବିଶାଳ ନିର୍ବାଚନୀ ସମାବେଶରେ ଯୋଗ ଦେଇଥିଲେ। ବିଧାନସଭା ପ୍ରାର୍ଥୀ ବିନୟ କୁମାର ଟପ୍ପୋ ଓ ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କି ବକ୍ତବ୍ୟ ରଖି ମଞ୍ଚରୁ ଲୋକଙ୍କ ଆଶୀର୍ବାଦ ମାଗିବା ପରେ ଶ୍ରୀ ପାଣ୍ଡିଆନ ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ କହିଥିଲେ। ନିଜ ବକ୍ତବ୍ୟରେ ନାମ ନନେଇ ବିଜେପି ସାଂସଦ ଜୁଏଲ ଓରାମ ଓ ବିଧାୟକ ଭବାନୀଶଙ୍କର ଭୋଇ ଲୋକଙ୍କ ପାଇଁ କୌଣସି କାମ କରି ନଥିବା ପ୍ରକାଶ କରିଥିଲେ। ୨୫ ବର୍ଷ ଧରି ଜିଲ୍ଲାର ପ୍ରତିନିଧିତ୍ବ କରୁଥିବା ଜଣେ ସାଂସଦ ବହୁତ କିଛି ପରିବର୍ତ୍ତନ କରିପାରିଥା’ନ୍ତେ, କିନ୍ତୁ ସେ ଜିଲ୍ଲା ପାଇଁ କିଛି କରିନାହାନ୍ତି। ବିଧାୟକ ଶ୍ରୀ ଭୋଇଙ୍କୁ ୫ ବର୍ଷରେ ଥରେ ବି ଅଞ୍ଚଳର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିବା କେହି ଦେଖି ନଥିବା ସେ କହିଥିଲେ।

Advertisment

ସେହିପରି ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଜାମପାଲିରେ ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କି ଓ ବିଧାନସଭାପ୍ରାର୍ଥୀ ଅନୀଲ ବରୁଆଙ୍କ ପାଇଁ ପ୍ରଚାର କରିଥିଲେ। ସବଡେଗା ଓ ରାଜଗାଙ୍ଗପୁର ସମାବେଶରେ ୨୦ ହଜାରରୁ ଅଧିକ ଲୋକ ସାମିଲହୋଇ ବିଜେଡିର ବିଜୟ ନାରା ଦେଇଥିଲେ। ଶ୍ରୀ ପାଣ୍ଡିଆନ ଲୋକଙ୍କ ପାଖକୁ ଯାଇ ‌ସେମାନଙ୍କୁ ଭେଟିବା ସହ ସମସ୍ୟା ଶୁଣିଥିଲେ। ରାତିରେ ରାଉରକେଲା ପହଞ୍ଚି ଏକ ଭବ୍ୟ ରୋଡ୍‌ ସୋ’ରେ ସାମିଲ ହୋଇଥିଲେ। ଇସ୍ପାତ୍‌ ନଗରୀର ରାଜରାସ୍ତାରେ ପାଣ୍ଡିଆନ୍‌ଙ୍କ ସୋ’ଦେଖିବା ପାଇଁ ହଜାରହଜାର ଲୋକଙ୍କ ଭିଡ଼ ଲାଗିଥିଲା। ଶ୍ରୀ ପାଣ୍ଡିଆନ, ରାଉରକେଲାର ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ଲୋକସଭା ପ୍ରର୍ଥୀ ଦିଲୀପ ତିର୍କି ସ୍ବତନ୍ତ୍ର ପ୍ରଚାର ଗାଡ଼ିରେ ଛିଡ଼ା ହୋଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ।