ବିଜେପି ଇସ୍ତାହାରକୁ କଟାକ୍ଷ କଲେ ପାଣ୍ଡିଆନ: ଲୋକଙ୍କୁ ଠକିବା ଓ ଭୁଆଁ ବୁଲାଇବାର ଗ୍ୟାରେଣ୍ଟି

ନିର୍ବାଚନ ବେଳେ ଏମ୍‌‌ଏସ୍‌‌ପି ବଢ଼ାଇବା କଥା ମନେ ପଡ଼ିଲା?

ଭୁବନେଶ୍ବର: ବିଜେପିର ଇସ୍ତାହାରକୁ କଟାକ୍ଷ କରିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ। ଏହା କେବଳ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଓ ଠକିବାର ଗ୍ୟାରେଣ୍ଟି ବୋଲି କହିବା ସହ ନିର୍ବାଚନ ସମୟରେ ଚାଷୀ ଓ ଗରିବଙ୍କ କଥା କେମିତି ମନେ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ନିର୍ବାଚନୀ ପ୍ରଚାର ବେଳେ ଶ୍ରୀ ପାଣ୍ଡିଆନ କହିଥିଲେ, ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିଛନ୍ତି। ଏଥିରେ ଧାନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କ୍ୱିଣ୍ଟାଲ ପିଛା ୩,୦୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ମାତ୍ର ଗତ ୧୦ ବର୍ଷ ଧରି ସେମାନେ କ୍ଷମତାରେ ଥିଲେ, ସେତେବେଳେ କ’ଣ ଶୋଇଥିଲେ? ଯଦି ଏମ୍‌‌ଏସ୍‌‌ପି ୩,୦୦୦ ଟଙ୍କା କରିବାର ଥିଲା, ତେବେ ଆଗରୁ କାହିଁକି କଲେ ନାହିଁ? ନିର୍ବାଚନ ଆସିବା ବେଳକୁ ଚାଷୀଙ୍କ କଥା ମନେ ପଡ଼ୁଛି? ଅନୁରୂପ ଭାବରେ ନିର୍ବାଚନ ଇସ୍ତାହାରରେ ଭତ୍ତା ୩୦୦୦ ଟଙ୍କା ଦେବାକୁ କହୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ‘ଡବଲ ଇଞ୍ଜିନ’ ସରକାର ଭତ୍ତା ଦେଉଛନ୍ତି ମାତ୍ର ୩୦୦ ଟଙ୍କା। ଅନ୍ୟ ପକ୍ଷରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ୧୦୦୦ ଟଙ୍କା ପ୍ରଦାନ କରୁଛନ୍ତି।

ନିର୍ବାଚନ ବେଳେ ଏମ୍‌‌ଏସ୍‌‌ପି ବଢ଼ାଇବା କଥା ମନେ ପଡ଼ିଲା?
ଭତ୍ତା ବଢ଼ାଇବା ପାଇଁ କହୁଛନ୍ତି, ଆଗରୁ କଲେ ନାହିଁ କାହିଁକି?
‘ଡବଲ ଇଞ୍ଜିନ୍‌‌’ଦେଉଛି ୩୦୦; ‘ନବୀନ ଇଞ୍ଜିନ’ ୧୦୦୦

ଏବେ ନିର୍ବାଚନ ଆସୁଛି, ‘ଡବଲ ଇଞ୍ଜିନ’ ସ୍ଲୋଗାନ ଦେଉଥିବା ରାଜ୍ୟ ବିଜେପି ନେତାମାନେ ୩ ହଜାର ଟଙ୍କା ଭତ୍ତା ଦେବାକୁ କହୁଛନ୍ତି। ୬ ମାସ ପୂର୍ବରୁ ଭତ୍ତା ୩୦୦୦ ଟଙ୍କାକୁ ବଢ଼଼ାଇଥିଲେ କ’ଣ ଅସୁବିଧା ହୋଇଥାଆନ୍ତା ? ବାସ୍ତବରେ ଏହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ଓ ଠକିବା ପାଇଁ। ନିର୍ବାଚନ ପ୍ରତିଶ୍ରୁତି ଥିବା ୨ କୋଟି ଚାକିରି କୁଆଡ଼େ ଗଲା? ଦରଦାମ ଆଜି ଆକାଶଛୁଆଁ। ଏଥିରେ ଲଗାମ ନାହିଁ। ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ପାଇଁ ଚିନ୍ତା କରନ୍ତି; ଓଡ଼ିଶାର ଚାଷୀ, ଯୁବକ, ମହିଳାଙ୍କ ବିକାଶ କଥା ଚିନ୍ତା କରନ୍ତି। ଲୋକଙ୍କ ସୁଖଦୁଃଖରେ ଠିଆ ହୋଇଥାଆନ୍ତି। ସେ ଭୋଟ ପାଇଁ କେବେ କାମ କରନ୍ତି ନାହିଁ। ସେ ଯାହା କହନ୍ତି, ତାହା ହିଁ କରନ୍ତି। ‘ନବୀନ ଇଞ୍ଜିନ’ ଗ୍ୟାରେଣ୍ଟି ଅସରନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର