ପୁରୀ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ଆଜି ପୁରୀକୁ ଆସୁଥିବା ବେଳେ ରାସ୍ତାକଡ଼ରେ ପଡ଼ିଥିବା ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ଘଟଣା ଘଟିଥିଲା ଏମିତି। ଟିଭିଏସ୍ ସୋ-ରୁମ୍ରେ କାର୍ଯ୍ୟ କରୁଥିବା ହଳଦିଆର ଅନ୍ନପୂର୍ଣ୍ଣା ସାହୁ(୨୩) ନାମକ ଜଣେ ଯୁବତୀ ଏକ ମୋପେଡ୍ରେ ଯାଉଥିବା ବେଳେ ମାଳତୀପାଟପୁର ବସ୍ଷ୍ଟାଣ୍ଡ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ମୋପେଡ୍ଟି ରାସ୍ତା କଡ଼ରେ ଛିଟିକି ପଡ଼ିଥିବା ବେଳେ ସେ ମଧ୍ୟ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ିଯାଇଥିଲେ। ଦୈବାତ ଏହି ସମୟରେ ଶ୍ରୀ ପାଣ୍ଡିଆନ୍ ଜାତୀୟ ରାଜପଥରେ ନିଜ କାର୍ରେ ପୁରୀ ଆସୁଥିଲେ। ଦୁର୍ଘଟଣାଗ୍ରସ୍ତ ହୋଇ ଯୁବତୀ ଜଣକ ଏମିତି ଅସହାୟ ଭାବେ ପଡ଼ିଥିବା ଦେଖି ହଠାତ ତାଙ୍କ ଗାଡ଼ି ସେଠାରେ ଅଟକି ଯାଇଥିଲା। ଯୁବତୀ ଜଣଙ୍କୁ କ’ଣ ହୋଇଛି ବୋଲି ପଚାରିବା ସହିତ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଯୁବତୀଙ୍କୁ ନିଜ ଗାଡ଼ିରେ ବସାଇ ସେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଆଉ ଶ୍ରୀ ପାଣ୍ଡିଆନଙ୍କୁ ଡାକ୍ତରଖାନାରେ ଦେଖି କର୍ମଚାରୀମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା। ଖବର ପହଞ୍ଚିଯାଇଥିଲା କୁମ୍ଭାରପଡ଼ା ଥାନା ଆଇଆଇସିଙ୍କ ପାଖରେ । ସେ ମଧ୍ୟ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ। ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ କହି ଶ୍ରୀ ପାଣ୍ଡିଆନ ତାଙ୍କ ଗାଡ଼ିରେ ଚାଲିଯାଇଥିଲେ। ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପରେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/padiana.jpg)