ଦେବଗଡ଼ : ୫-ଟି ସଚିବ ଭି. କେ ପାଣ୍ଡିଆନ ଦେବଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ଆଜି ଦେବଗଡ଼ ପୌରାଞ୍ଚଳରେ ଥିବା ପ୍ରସିଦ୍ଧ ଶୈବ ପୀଠ ଝାଡ଼େଶ୍ବର ମନ୍ଦିର ପରିଦର୍ଶନ କରିବା ପରେ ତିଲେଇବଣି, ବାରକୋଟ ଓ ରିଆମାଳ ବ୍ଲକ୍‌ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଥିଲେ। ସୋମବାର ସକାଳେ ୫-ଟି ସଚିବ ପ୍ରଥମେ ଝାଡେଶ୍ବର ମନ୍ଦିରରେ ଦର୍ଶନ ସହ ଟ୍ରଷ୍ଟ ସଦସ୍ୟ, ମନ୍ଦିରର ପୂଜକ ଏବଂ ସାଧାରଣ ଜନତାଙ୍କ ସହିତ ଆଲୋଚନା କରିଥିଲେ। ମନ୍ଦିର ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଶ୍ରୀ ପାଣ୍ଡିଆନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଶ୍ରୀ ପାଣ୍ଡିଆନ ତିଲେଇବଣି ବ୍ଲକ କାର୍ଯ୍ୟାଳୟ ପରିସରରେ ମିସନ ଶକ୍ତି ପକ୍ଷରୁ ଖୋଲା ଯାଇଥିବା କାଫେ ଓ କଂସର ଗ୍ରାମରେ ଥିବା ୫-ଟିରେ ରୂପାନ୍ତରିତ ହୋଇଥିବା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ରୋଶନ ମିଞ୍ଜଙ୍କ ଭଳି ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ଜିଲ୍ଲା ଦେବଗଡ଼ରେ ହକିର ବିକାଶ ନିମନ୍ତେ ସେ ଆଲୋଚନା କରିଥିଲେ। ଜିଲ୍ଲାରେ ଏକ ନୂତନ ହକି ତାଲିମ କେନ୍ଦ୍ରକୁ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ କ୍ରୀଡ଼ା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏହାପରେ ସେ ତିଲେଇବଣି ବ୍ଲକର ପାରପୋଷି ଗ୍ରାମରେ ଥିବା ଖେଳପଡିଆରେ ଓ ପରେ ରିଆମାଳ ବ୍ଲକ ଅନ୍ତର୍ଗତ ନାଉଲିପଡା ଖେଳପଡିଆଠାରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜନସାଧାରଣମାନଙ୍କ ଠାରୁ ଅଂଚଳର ବିଭିନ୍ନ ସମସ୍ୟା ସଂପର୍କରେ ଅଭିଯୋଗପତ୍ର ମିଳିବା ପରେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବାରକୋଟ ବ୍ଲକର ବଳମ ଗ୍ରାମର ଖେଳପଡିଆରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ଏମବିକେ , ବ୍ୟାଙ୍କ ମିତ୍ର, ସିଆରପିଙ୍କ ସହିତ ଆଲୋଚନା କରିବା ସହିତ ମହିଳାମାନେ କିପରି ଅଧିକ ସଶକ୍ତ ହୋଇପାରିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ। ବାରକୋଟ, ରିଆମାଳ ଏବଂ ତିଲେଇବଣି ବ୍ଲକ୍‌ରେ ଚାଲିଥିବା ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା କରିବା ସହିତ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌. ଭିନେଲ କ୍ରିଷ୍ଣା, ଡିଆଇଜି ବ୍ରିଜେଶ ରାୟ, ଦେବଗଡ଼ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସ୍‌ପି ପ୍ରମୋଦ ରଥଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।