ଭୁବନେଶ୍ବର: ଖଣି, ଜମି ମାଫିଆ ଓ ଅଣ ଓଡ଼ିଆ ଠିକାଦାରଙ୍କ କଳା ଟଙ୍କାରେ ପାଣ୍ଡିଆନଙ୍କ ସରକାରୀ ଜିଲ୍ଲା ଗସ୍ତ ଚାଲିଥିଲା। ଏସଆଇଟି ଦ୍ବାରା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ପକ୍ଷରୁ ଦାବି କରାଯାଇଛି। ଆଜି ଲୋହିଆ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‘ଓସା’ ପକ୍ଷରୁ କୁହାଯାଇଛି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସବିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ୍ ହେଲିକପ୍ଟରରେ ଘନ ଘନ ଜିଲ୍ଲା ଗସ୍ତ କରି ହଜାର ହଜାର ଲୋକଙ୍କଠାରୁ ଅଭିଯୋଗ ସଂଗ୍ରହ କରିଥିଲେ। ବିରୋଧୀ ରାଜନୈତିକ ଦଳମାନେ ପାଣ୍ଡିଆନଙ୍କ ଆଡ଼ମ୍ବରପୂର୍ଣ ସଭା କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ କରିବା ସହିତ ଶ୍ରୀ ପାଣ୍ଡିଆନ କିଏ ବୋଲି ପ୍ରଶ୍ନ କରିଥିଲେ। ଜିଲ୍ଲାସ୍ତରରେ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନର ଉତ୍ତରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିଆନ ତାଙ୍କ ପ୍ରତିନିଧି ବୋଲି କହିଥିଲେ। ତାଙ୍କ ନିର୍ଦ୍ଦେଶରେ ସେ ରାଜ୍ୟ ବୁଲି ଅଭିଯୋଗ ସଂଗ୍ରହ କରୁଛନ୍ତି। ପାଣ୍ଡିଆନଙ୍କ ଏହି ସରକାରୀ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିବା ବିପୁଳ ଟଙ୍କା କିଏ ଦେଉଛି ଓ କେଉଁଆଡ଼ୁ ଆସୁଛି ବୋଲି ସର୍ବସାଧାରଣରେ ପ୍ରଶ୍ନ ଉଠିଥିଲା। ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଭିନ୍ନ ଭିନ୍ନ ତଥ୍ୟ ମଗାଯାଇଥିଲା।
ଉକ୍ତ ତଥ୍ୟଗୁଡ଼ିକର ଅନୁଧ୍ୟାନ କରିବାରୁ ଜଣାପଡ଼ିଛି ଯେ, ୨୦୨୩ ମସିହାରେ ଭିକେ ପାଣ୍ଡିଆନଙ୍କ ନିଜସ୍ୱ ହେଲିକପ୍ଟର ଗସ୍ତ ସମ୍ପର୍କିତ କୌଣସି ସୂଚନା ପରିବହନ ବିଭାଗରେ ନାହିଁ ଏବଂ ହେଲିକପ୍ଟର ଭଡ଼ା ବାବଦରେ ସରକାରଙ୍କ ପକ୍ଷରୁ କୌଣସି ଦେୟ ପୈଠ ହୋଇନାହିଁ। ଅନୁରୂପ ଭାବରେ ବିଭିନ୍ନ ଜିଲ୍ଲା ଯଥା ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ମାଲକାନଗରି ଇତ୍ୟାଦି ଜିଲ୍ଲାର ଜିଲ୍ଲାପାଳଙ୍କ ଦପ୍ତରଗୁଡ଼ିକ ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ସମ୍ପର୍କିତ କୌଣସି ଚିଠି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାହିଁ ବୋଲି ଜଣାଇଥିଲେ। ସେହିଭଳି ବିଭିନ୍ନ ଜିଲ୍ଲାରେ ଏସ୍ପିମାନେ ମଧ୍ୟ ପାଣ୍ଡିଆନଙ୍କ ଗସ୍ତ ଓ ସଭା ଖର୍ଚ୍ଚର ତଥ୍ୟ ନାହିଁ ବୋଲି ଦର୍ଶାଇଥିଲେ। ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ହଜାର ହଜାର ଲୋକଙ୍କୁ ନେଇ ବହୁ ଆଡ଼ମ୍ବରରେ ପାଣ୍ଡିଆନଙ୍କ ସଭା କାର୍ଯ୍ୟ ହେଉଥିଲା। ଅଥଚ ଏହି କାର୍ଯ୍ୟକ୍ରମ ସମ୍ପର୍କିତ ଖର୍ଚ୍ଚର ହିସାବ କିପରି କୌଣସି ସରକାରୀ ଦସ୍ତରରେ ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାଙ୍କ ହାଇଭୋଲଟେଜ୍ ସଭା ଓ କାର୍ଯ୍ୟକ୍ରମ ପାଇଁ କେଉଁ ସୂତ୍ରରୁ ଟଙ୍କା ଆସୁଥିଲା ଏବଂ ଏହି ଟଙ୍କା କିଏ ଦେଉଥିଲା ତାହା ତଦନ୍ତ ସାକ୍ଷେପ ବୋଲି ‘ଓସା’ କହିଛି। ଭିକେ ପାଣ୍ଡିଆନଙ୍କ ସମସ୍ତ ଖର୍ଚ୍ଚ ଖଣି, ଜମି ମାଫିଆ ଓ ଅଣଓଡ଼ିଆ ଠିକାଦାରଙ୍କ ପୃଷ୍ଠପୋଷକତାରେ କରାଯାଉଥିଲା ବୋଲି ‘ଓସା’ ଅଭିଯୋଗ କରିଛି।
‘ଓସା’ ପକ୍ଷରୁ ଆହୁରି କୁହାଯାଇଛି ଯେ, ପରିବହନ ବିଭାଗ ତଥ୍ୟ ଦେଇ ନଥିବା ବେଳେ ସଂସଦୀୟ ବ୍ୟାପାର ଓ ଆରଆଣ୍ଡଡବ୍ଲୁ ପକ୍ଷରୁ ମିଳିଥିବା ସୂଚନାନୁସାରେ ରାଜ୍ୟ ସରକାର ୫ ବର୍ଷ ଭିତରେ ଚାଟାର୍ଡ ଫ୍ଲାଇଟ୍ରେ ୫୦ କୋଟି ୯୫ ଲକ୍ଷ ଖର୍ଚ୍ଚ କରିଛନ୍ତି। ହେଲିକପ୍ଟରରେ ୫୨ କୋଟି ୧୮ ଲକ୍ଷ ଖର୍ଚ୍ଚ କରିଛନ୍ତି। ଏହାସହ ହେଲିପ୍ୟାଡ୍ ପାଇଁ ୫୦-୬୦ ଲକ୍ଷ ଖର୍ଚ୍ଚ ଆକଳନ ଓ ପ୍ରତି ହେଲିପ୍ୟାଡ୍ ପାଇଁ ୨ରୁ ୩ ଲକ୍ଷ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ସମସ୍ତ ଗସ୍ତ ଓ କାର୍ଯ୍ୟକ୍ରମ ଏବଂ ସଭା ଆୟୋଜନ ଖର୍ଚ୍ଚର ଏସ୍ଆଇଟି ତଦନ୍ତ କରିବା ସହ ଶ୍ରୀ ପାଣ୍ଡିଆନଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ‘ଓସା’ ଦାବି କରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ପ୍ରକାଶ ଦାଶ, ସୁଧୀର ମହାନ୍ତି ଉପସ୍ଥିତ ଥିଲେ।