ଭୁବନେଶ୍ବର: ଥରେ ନୁହେଁ, ତିନି ତିନି ଥର ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ନିଜେ ବାହାରି ପଡ଼ିଲେଣି ବିଜେଡି ସଭାପତି ନବୀନ ପଟ୍ଟନାୟକ। କେବଳ ସୁରକ୍ଷା ଦେଉନାହାନ୍ତି, ମନଖୋଲା ପ୍ରଶଂସାରେ ପୋତି ପକାଉଛନ୍ତି। ନବୀନଙ୍କର ୨୭ ବର୍ଷର ରାଜନୈତିକ କ୍ୟାରିୟରରେ ଏହା ଏକ ବିରଳ ବ୍ୟତିକ୍ରମ। ନିଜ ନେତାଙ୍କ ନାଁରେ ସାମାନ୍ୟ ଦୋଷତ୍ରୁଟି ବାହାରିଲେ, ତାଙ୍କୁ ବଙ୍ଗୋପସାଗରକୁ ଫିଙ୍ଗି ଦେଉଥିବା ନବୀନଙ୍କର ଏବେର ଚରିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏକଦା କୌଣସି ନେତାଙ୍କ ନାମରେ ସାମାନ୍ୟ ଅଭିଯୋଗ ଆସିଲେ, ନବୀନ ତାଙ୍କୁ ଆଦୌ ବରଦାସ୍ତ କରୁନଥିଲେ। କେତେବେଳେ ମନ୍ତ୍ରିମଣ୍ଡଳରୁ ହଟାଇ ଦେଉଥିଲେ, ଆଉ କେତେବେଳେ ଦଳରୁ ବହିଷ୍କାର କରିବା ଲାଗି ଆଦୌ ସମୟ ନେଉନଥିଲେ। ସମାଲୋଚକ କହନ୍ତି ଯେ ନବୀନଙ୍କ ଚଉକି ଉପରେ ଆଞ୍ଚ ଆସିଲେ ସେ କାହାରି ହୁଅନ୍ତି ନାହିଁ। କିନ୍ତୁ ୨୪ ନିର୍ବାଚନରେ ସେ କ୍ଷମତାଚ୍ୟୁତ ହେବାରେ ଭି କେ ପାଣ୍ଡିଆନଙ୍କ ଏକ ବଡ଼ ଭୂମିକା ରହିଛି ବୋଲି ଉଭୟ ଦଳୀୟ ନେତା ଓ ରାଜନୈତିକ ସମୀକ୍ଷକ ସ୍ପଷ୍ଟ ମତ ରଖିବା ପରେ ବି ବିଜେଡି ମୁଖିଆ ନିର୍ବିକାର। ଅବଶ୍ୟ ବିଜେଡିର ମାମଲ୍‌ତିକାର ଗୋଷ୍ଠୀ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଯେ ଉଭୟ ଦଳ ଓ ସରକାରରେ ପାଣ୍ଡିଆନଙ୍କର ମାତ୍ରାଧିକ ହାକିମାତି, ଭୁଲ୍ ରଣନୀତି ଓ ନିର୍ବାଚନ ପରିଚାଳନାରେ ମନମୁଖୀ କାରବାର କାରଣରୁ ବିଜେଡି ପରାଜୟ ମୁହଁକୁ ଠେଲି ହୋଇଗଲା। ହେଲେ ଦଳର ସିଂହଭାଗ ନେତା ଏକଥା ଆଗରେ, ପଛରେ ସବୁଠି କହିବୁଲୁଛନ୍ତି। କିଛି ବରିଷ୍ଠ ନେତା ତ ଗଣମାଧ୍ୟମ ସାମ୍ନାକୁ ବି ଆସିଗଲେଣି। ହେଲେ ନିଜେ ନବୀନ ଦଳୀୟ ନେତାଙ୍କ ଅସନ୍ତୋଷ ଓ ପରାଜୟର କାରଣ ଜାଣିବା ପରେ ବି ଏହାକୁ ଅତ୍ୟନ୍ତ ସହଜରେ ଗ୍ରହଣ କରିନେବା ରହସ୍ୟଜନକ ହୋଇପଡ଼ିଛି। ଏ କ୍ଷେତ୍ରରେ ନବୀନ ପ୍ରତିକ୍ରିୟାଶୀଳ ନ ହେବା ସମସ୍ତଙ୍କୁ ଚକିତ କରୁଛି। ଏଥି ପାଇଁ ଦଳର ଭବିଷ୍ୟତକୁ ନେଇ ନେତାମାନେ ସନ୍ଦିହାନ ହୋଇପଡ଼ିଲେଣି।

Advertisment

ବଦଳିଯାଇଛନ୍ତି କି ବିଜେଡି ମୁଖିଆ?
ଭବିଷ୍ୟତ ନେଇ ସନ୍ଦିହାନ ଦଳୀୟ ନେତା

ଏଠାରେ ପ୍ରଣିଧାନଯୋଗ୍ୟ, ବିଜେଡିର ପରାଜୟ ପାଇଁ ସମସ୍ତେ ପାଣ୍ଡିଆନଙ୍କୁ ଦୋଷାରୋପ କରି ସାମାଜିକ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେବା ବେଳେ ନବୀନଙ୍କୁ ଭାରି ବାଧିଥିଲା। ଫଳାଫଳ ପ୍ରକାଶ ପାଇବାର ମାତ୍ର ଚାରି ଦିନ ପରେ ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେବାକୁ ନିଜେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସାମ୍ନା କଲେ। ସିଧା କହିଲେ, ‘ନିର୍ବାଚନ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯିବା ଦୁର୍ଭାଗ୍ୟଜନକ। ସେ ଦଳ ପାଇଁ ବହୁତ କାମ କରିଛନ୍ତି। ସେ ଜଣେ ନିଷ୍ଠାବାନ ଓ ସଚ୍ଚୋଟ ବ୍ୟକ୍ତି।...’ ସର୍ବସାଧାରଣରେ କାହା ପାଇଁ ଏମିତି ଓକିଲାତି କରିବା ସମ୍ଭବତଃ ନବୀନଙ୍କ କ୍ୟାରିୟରରେ ପ୍ରଥମ ଥିଲା। ସେମିତି ଗତ ଜୁଲାଇ ତୃତୀୟ ସପ୍ତାହରେ ଏକ ଇଂରାଜୀ ଖବରକାଗଜରେ ବିଜେଡି ଓ ଭି କେ ପାଣ୍ଡିଆନଙ୍କୁ ନେଇ ପ୍ରକାଶିତ ଏକ ଖବର ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ପାଣ୍ଡିଆନ ବିଜେଡିରେ ଫାଟ ସୃଷ୍ଟି କରିବା ସହ ରାଜ୍ୟରେ ବିଜେପି ସଂଗଠନକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବେ ବୋଲି ସେ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କୁ ଅଫର୍ ଦେଇଥିବା ଏହି ରିପୋର୍ଟରେ କୁହାଯାଇଥିଲା। ପାଣ୍ଡିଆନ୍ ଏପରି ଖବରକୁ ଖଣ୍ଡନ କଲେନି। କିନ୍ତୁ ନବୀନ ନିଜ ଆଡ଼ୁ ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି କଲେ। ଏହି ଖବରକୁ ସେ ଖଣ୍ଡନ କରିବା ସହ ପାଣ୍ଡିଆନଙ୍କ ଦକ୍ଷତା ଓ ସଚ୍ଚୋଟତାକୁ ପ୍ରଶଂସା କରି ଦଳରେ ତାଙ୍କ ଗୁରୁତ୍ବ ବଢ଼ାଇବାକୁ ଚେଷ୍ଟା କଲେ।

ବଦଳିଯାଇଛନ୍ତି କି ବିଜେଡି ମୁଖିଆ?
ଭବିଷ୍ୟତ ନେଇ ସନ୍ଦିହାନ ଦଳୀୟ ନେତା

 ଗତ ସପ୍ତାହରେ ବି ସେମିତି ଏକ ଘଟଣା ଘଟିଲା। ନବୀନଙ୍କୁ କିଛି ଲୋକ ଚକ୍ରାନ୍ତ କରି କଣ୍ଟାବାଞ୍ଜିରେ ଠିଆ କରାଇ ହରାଇବା ପାଇଁ ପଠାଇଥିଲେ ବୋଲି ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସଙ୍କ ସ୍ବାମୀ ଦେବେନ୍ଦ୍ର ଦାସ କହିଲେ, ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ନବୀନ ହାରିଯାଇଥିଲେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥା’ନ୍ତା। ଗୋଟିଏ ଗୋଷ୍ଠୀ ଏହି ଷଡ଼୍‌ଯନ୍ତ୍ର କରିଥିଲେ। ଦେବେନ୍ଦ୍ରଙ୍କ କଥା କେତେଦୂର ସତ୍ୟ, ତାହା ତର୍ଜମା ସାପେକ୍ଷ। କିନ୍ତୁ ସେ ଯେଉଁ ଷଡ଼୍‌ଯନ୍ତ୍ର କଥା କହିଲେ, ତାହା ପାଣ୍ଡିଆନଙ୍କ ଉପରକୁ ହିଁ ଇଙ୍ଗିତ ଥିଲା। କାଳେ କଥାଟି ଅଧିକ ଆଗକୁ ଯିବ ଓ ପାଣ୍ଡିଆନ ପୁଣି ରୋଷର ଶୀକାର ହେବେ, ସେଥି ପାଇଁ ନିଜେ ନବୀନ ଆଗକୁ ଆସିଲେ ଏବଂ ଏହାକୁ ଗୁଜବ ଓ ମିଥ୍ୟା ବୋଲି କହି ନିନ୍ଦା କଲେ। 

କିନ୍ତୁ କଣ୍ଟାବାଞ୍ଜିରେ ନବୀନଙ୍କ ପଛରେ ଯେ ଷଡ଼୍‌ଯନ୍ତ୍ର ହୋଇନି, ତାହାକୁ ଦଳୀୟ ନେତାମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ ଏକାଧିକ ଥର ସର୍ଭେ କରାଯାଇ କଣ୍ଟାବାଞ୍ଜି ଆସନ ସୁରକ୍ଷିତ ବୋଲି ଦଳୀୟ ମାମଲ୍‌ତିକାରମାନେ ନବୀନଙ୍କୁ ରିପୋର୍ଟ ଦେଇଥିଲେ। ସେଠାରେ ପ୍ରାର୍ଥୀ ହେଲେ, ବଲାଙ୍ଗୀର ସମେତ ପୂରା ପଶ୍ଚିମ ଓଡ଼ିଶାରେ ତାହାର ପ୍ରଭାବ ପଡ଼ିବ ବୋଲି ତାଙ୍କୁ ବୁଝାଇ ଦିଆଯାଇଥିଲା। ଫଳରେ ନବୀନ ସମ୍ମତି ପ୍ରକାଶ କଲେ ଓ ପ୍ରାର୍ଥୀ ହେଲେ। କିନ୍ତୁ ୧୫ ହଜାରରୁ ଅଧିକ ଭୋଟ୍‌ରେ ହାରିଲେ। କେବଳ ସେତିକି ନୁହେଁ, ନବୀନଙ୍କ ପ୍ରାର୍ଥିତ୍ବର ପ୍ରଭାବ ପାଖାପାଖି କୌଣସି ଅଞ୍ଚଳରେ ମଧ୍ୟ ପଡ଼ିଲା ନାହିଁ। ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଅପରାଜେୟ ଥିବା ନବୀନ ନିଜେ ହାରିଗଲେ। ଏହାକୁ ଦଳୀୟ ନେତାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ହେଲେ ନବୀନ କିନ୍ତୁ ନିର୍ବିକାର। ରାଜନୀତିରେ ହାର୍‌ଜିତ ଥାଏ। କିନ୍ତୁ ହାରିବାର କାରଣ ବି ଖୋଜାଯାଏ। ନବୀନଙ୍କ ପରି ଜଣେ ଲୋକପ୍ରିୟ ନେତା କାହିଁକି ନିଜେ ଏତେ ଭୋଟ୍‌ରେ ହାରିଗଲେ, ତାହାର କାରଣ ଖୋଜା ନଯିବା ଦଳୀୟ ନେତାମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଓଲଟା ନବୀନ ଗୁଜବ ଓ ମିଥ୍ୟା କହି ପ୍ରସଙ୍ଗଟିକୁ ହାଲୁକା କରିଦେବାକୁ ଉଦ୍ୟମ କରୁଛନ୍ତି। ଭବିଷ୍ୟତରେ ଏହା ଦଳ ପାଇଁ ଆଦୌ ଶୁଭଙ୍କର ହେବ ନାହିଁ ବୋଲି ନେତାମାନେ କହୁଛନ୍ତି। 

ଉଲ୍ଲେଖଥାଉକି, ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ସତ। କିନ୍ତୁ ଏବେ ବି ସେ ଅଧିକାଂଶ ଦିନ ନବୀନ ନିବାସରେ ରହୁଛନ୍ତି। ଦଳର ବିଭିନ୍ନ ନିଷ୍ପତ୍ତିରେ ତାଙ୍କର ବଡ଼ ଭୂମିକା ରହୁଥିବା ଦଳୀୟ ନେତା ଖୋଲାଖୋଲି କହୁଛନ୍ତି। ନବୀନ ବି ପୂର୍ବ ଭଳି ତାଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ଅଛନ୍ତି। ବିଜେପି ନେତାମାନେ ଖୋଲାଖୋଲି ଛିଗୁଲାଇଲେଣି, ଯେତେଦିନ ଯାଏ ବିଜେଡିରେ ପାଣ୍ଡିଆନଙ୍କ ପ୍ରଭାବ ରହିଛି ସେତେଦିନ ଯାଏ ବିଜେପିର ସ୍ଥିତି ମଜଭୁତ ହୋଇ ରହିବ। ବିଜେପିର ସ୍ଥାୟିତ୍ବ-ପାଣ୍ଡିଆନଙ୍କ ଦାୟିତ୍ବ।