ଅଞ୍ଜନ ପ୍ରଧାନ
ବରଗଡ଼: କିଛି ଦିନ ତଳେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ହୃଦ୍ଘାତରେ ପରଲୋକ ଘଟିଥିଲା। ମହେନ୍ଦ୍ର ପଦ୍ମପୁର ରାଜନୀତିରେ ସବୁବେଳେ ସକ୍ରିୟ ଥିଲେ। ଏପରିକି ସେ ଟିକଟ୍ ଦାବିଦାର ବି ଥିଲେ। ଗତବର୍ଷ ଡିସେମ୍ବର ମାସରେ ପଦ୍ମପୁର ଏକ ଉଷ୍ଣତାପୂର୍ଣ୍ଣ ଉପନିର୍ବାଚନର ସମ୍ମୁଖୀନ ହୋଇଥିଲା। ଏଥିରେ ବିଜେଡି ଚମକପ୍ରଦ ପ୍ରଦର୍ଶନ କରି ସବୁ ସମୀକରଣ ବିଗାଡ଼ି ଦେଇଥିଲା। ବିଜେପିକୁ ୪୨,୬୭୯ ବ୍ୟବଧାନର ହରାଇ ବିଜେଡି ନିଜ ଗଡ଼ ଦଖଲ କରିଥିଲା। ଉପନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନକୁ ନେଇ ପ୍ରଥମେ ଛକାପଞ୍ଝା ଲାଗି ରହିଥିଲା। ଦିବଂଗତ ବିଧାୟକ ବିଜୟ ରଂଜନ ବରିହାଙ୍କ ପରିବାରବର୍ଗରୁ ଜଣକୁ କିମ୍ବା ବାହାର କାହାକୁ ଟିକଟ୍ ମିଳିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାର ସମାଧାନ ପାଇଁ ବିଜେଡିର ତୁଙ୍ଗ ନେତା ଦିନରାତି ଚୂଡ଼ାନ୍ତ ଫଇସଲାରେ ଲାଗି ପଡ଼ିଥିଲେ। ଶେଷରେ ବର୍ଷାଙ୍କୁ ଟିକଟ୍ ମିଳିଥିଲା।
ଅନ୍ୟତମ ଟିକଟ୍ ଦାବିଦାର ମହେନ୍ଦ୍ର ବଢ଼େଇଙ୍କୁ ନିରାଶ ହେବାକୁ ପଡ଼ିଥିଲା। କିନ୍ତୁ ସେ ପ୍ରଶାସନିକ ଚାକିରି ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ମିଶିଲେ ଏବଂ ତାଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଗଲା। ୫-ଟି ସଚିବ ଭିକେ ପାଣ୍ଡିଆନ ତାଙ୍କୁ ଚାକିରି ଛାଡ଼ି ଦଳ ସହ ସିଧା ମିଶିବାକୁ ପ୍ରବର୍ତ୍ତାଇ ଥିବା ଚର୍ଚ୍ଚା ଏବେ ବି ଲାଗି ରହିଛି। ମହେନ୍ଦ୍ରଙ୍କୁ ବିଧାନସଭା କିମ୍ବା ଲୋକସଭା ଆସନ ପାଇଁ ଟିକଟ୍ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିବା ସମୀକ୍ଷକମାନେ ଆକଳନ କରିଥିଲେ। ମହେନ୍ଦ୍ରଙ୍କ ବିୟୋଗ ପରେ ପାଣ୍ଡିଆନ କ’ଣ କରିବେ ବୋଲି ଜୋର୍ଦାର୍ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ପାଣ୍ଡିଆନଙ୍କ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇଁ ମହେନ୍ଦ୍ର ଚାକିରି ଛାଡ଼ିଲେ, ତେବେ ତାଙ୍କ ପରିବାର ପାଇଁ ଦଳ କ’ଣ କରିବ ବୋଲି ପ୍ରଶ୍ନ ଉଠିଛି।
ଯଦି ମହେନ୍ଦ୍ରଙ୍କ ପରିବାରକୁ ନ୍ୟାୟ ନ ମିଳେ, ତେବେ ଆଗାମୀ ନିର୍ବାଚନରେ ବିଜେଡିକୁ ବାଉଳା କଲା ଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ, ମହେନ୍ଦ୍ରଙ୍କ ଆଖିଦୃଶିଆ ସମର୍ଥକ ପଦ୍ମପୁର ନିର୍ବାଚନମଣ୍ଡଳୀରେ ରହିଛନ୍ତି। ଦଳର ପଦକ୍ଷେପ ଠିକ୍ ନ ହେଲେ, ସମର୍ଥକମାନେ ନିରାଶ ହେବା ସ୍ବାଭାବିକ। ଏଭଳି ସ୍ଥିତିରେ ନିର୍ବାଚନମଣ୍ଡଳୀର ଚିତ୍ରଚରିତ୍ର ଆଖିପିଛୁଳାକେ ବଦଳିବା ଆଶଂକା ବି ରହିବ। ଅନ୍ୟପକ୍ଷରେ, ପଦ୍ମପୁର ଆସନରେ ଜାତି ଭୋଟ୍ ସବୁବେଳେ ଗୁରୁତ୍ବ ବହନ କରୁଛି। ଏଠାରେ ଏସ୍ଟି ଭୋଟର୍ ୧୫.୮୫ ପ୍ରତିଶତ ଏବଂ ଏସ୍ସି ଭୋଟର୍ ୨୮.୬୩ ପ୍ରତିଶତ ରହିଛି। ଅର୍ଥାତ୍ ସମୁଦାୟ ୪୪.୪୮ ପ୍ରତିଶତ ଏହି ବର୍ଗରେ ରହିଛି। ବରିହା ପରିବାର ଏହି ସମୁଦାୟର ସମର୍ଥନ ବଳରେ ପୂର୍ବରୁ ନିର୍ବାଚନ ଜିତି ଆସିଛି। ନିର୍ବାଚନମଣ୍ଡଳୀରେ ୪୦ ପ୍ରତିଶତ ପାଖାପାଖି ଓବିସି ଭୋଟର୍ ରହିଛନ୍ତି। ଏଥିରୁ କୁଲିତା ସଂପ୍ରଦାୟ ୨୫ ପ୍ରତିଶତ ହେବ। ମହେନ୍ଦ୍ର କୁଲିତା ସଂପ୍ରଦାୟର ଭଲ ସଂଗଠକ ଥିଲେ। ତେଣୁ ବିଜେଡି ଆଗାମୀ ନିର୍ବାଚନରେ ବଡ଼ ଦ୍ବନ୍ଦ୍ବ ଭିତରେ ରହିବା ନିଶ୍ଚିତ।