ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଜନୈତିକ ସଭାରେ ରାଜ୍ୟ ସରକାରଙ୍କ ଉପରେ ଶାଣିତ ଆକ୍ରମଣ କଲା ପରେ ତାହାର ଜବାବ ରଖିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ୍। ଆଜି କେନ୍ଦ୍ରାପଡ଼ାରେ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କଲା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିବା ସହ ବିଜେପି ଉପରେ ହମ୍ଲା କରିଥିଲେ। ବିଜେଡି ସରକାର ଧୀମା କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ନିଜେ ଥରେ କଟକରୁ ସମ୍ବଲପୁର ଗାଡ଼ିରେ ଯାଆନ୍ତୁ। ତାଙ୍କ ସରକାରଙ୍କ କାର୍ଯ୍ୟ ଦକ୍ଷତାର ନମୁନା ପାଇଯିବେ। ୧୦ ବର୍ଷ ହୋଇଗଲାଣି କାମ ସରୁନାହିଁ। ଏଇଟା କ’ଣ ଡବଲ ଇଂଜିନର ଗତି କି ବୋଲି ପାଣ୍ଡିଆନ୍ ପ୍ରଶ୍ନ କରିଥିଲେ। ସେ କହିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ କହୁଛନ୍ତି ଚାଷୀଭାଇମାନେ ଏମ୍ଏସ୍ପି ୨୩୦୦ ଟଙ୍କା ପାଉଛନ୍ତି। କିନ୍ତୁ ସେମାନେ ୩୧୦୦ ଟଙ୍କା ପାଇବା କଥା। ଏମ୍ଏସ୍ପି ଦାୟିତ୍ୱ କେନ୍ଦ୍ର ସରକାରଙ୍କର। ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହେଁ। ପ୍ରଧାନମନ୍ତ୍ରୀ ଚାହିଁଥିଲେ ଗୋଟିଏ ମିନିଟ୍ରେ ଦେଇ ପାରିଥା’ନ୍ତେ। ଆମ ମୁଖ୍ୟମନ୍ତ୍ରୀ ଏମ୍ଏସ୍ପି ବଢ଼ାଇବା ପାଇଁ ସବୁବେଳେ ଦାବି କରି ଆସିଛନ୍ତି। କିନ୍ତୁ କେନ୍ଦ୍ର କେବେ ଶୁଣି ନାହିଁ।
ନବୀନ ପଟ୍ଟନାୟକ ସରକାର ସ୍ୱଚ୍ଛ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ହାସ୍ୟାସ୍ପଦ କଥା। ସାରା ପୃଥିବୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ବିଷୟ ଜାଣିଛି। ମୁଖ୍ୟମନ୍ତ୍ରୀଙ୍କର ସ୍ୱଚ୍ଛତାର ପରିଚୟ- ଓଡ଼ିଶାରେ କୋଇଲା ରାଜସ୍ୱ ୧୦ ଗୁଣ ବୃଦ୍ଧି ହୋଇଛି। ୫ ହଜାରରୁ ୫୦ ହଜାର କୋଟି ଟଙ୍କାକୁ ବଢିଛି। ପ୍ରଧାନମନ୍ତ୍ରୀ ନିଜେ ଉଭୟ ରାଜ୍ୟସଭା ଓ ଲୋକସଭାରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି କହିଥିଲେ ଯେ ଯଦି ଜଣେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ସହ କାମ କରନ୍ତି, ସେ ରାଜ୍ୟ ଉପରକୁ ଉଠିବ। ଆଜି କେବଳ ନିର୍ବାଚନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଏ କଥା କହୁଛନ୍ତି ବୋଲି ପାଣ୍ଡିଆନ୍ କହିଥିଲେ। ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କୁ ଆସିବା ପାଇଁ ସେ ନିମନ୍ତ୍ରଣ କରି କହିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଓଡ଼ିଶାବାସୀଙ୍କ ପାଇଁ ୩ଟି ଉପହାର ଆଶା କରୁଛନ୍ତି। ପ୍ରଥମରେ ଧାନର ଏମ୍ଏସ୍ପି ୩୧୦୦ ଟଙ୍କା କରାଯାଉ। ଦ୍ୱିତୀୟରେ କୋଇଲା ରୟାଲଟି ବୃଦ୍ଧି କରାଯାଉ। ତୃତୀୟରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳୁ। ଯୋଜନାକୁ କଟାକ୍ଷ କରି ସେ କହିଲେ, ମା’ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ଦେବ ବୋଲି ବିଜେପି କହୁଛି। ଏଥିପାଇଁ କେବଳ ଓଡ଼ିଶାର ମା’ମାନଙ୍କ ନିମନ୍ତେ ଦରକାର ୧ ଲକ୍ଷ କୋଟି। ସାରା ଭାରତ ପାଇଁ ୩୦ ଲକ୍ଷ କୋଟି। ଭାରତର ବଜେଟ ୨୦ ଲକ୍ଷ କୋଟି ଟଙ୍କା। ତେଣୁ ଏ ପ୍ରତିଶ୍ରୁତି କେବଳ ମିଛ, ସମ୍ପୂର୍ଣ୍ଣ ମିଛ। ପୂର୍ବରୁ କହିଥିଲେ ୧୫ ଲକ୍ଷ ଟଙ୍କା ଦେବେ, ତାହା ମିଳିଲା କି?
ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ରଖିଲେ ପାଣ୍ଡିଆନ
ନିର୍ବାଚନ ପାଇଁ ନବୀନ ସରକାରଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଉଛନ୍ତି
ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେଲେ ରାଜ୍ୟବାସୀ ଖୁସି ହେବେ
ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି
ବୈଜୟନ୍ତଙ୍କୁ ଟାର୍ଗେଟ୍ କଲେ, ଏ ମାଟିକୁ ବିଶ୍ବାସଘାତକତା କରିଛନ୍ତି
କେନ୍ଦ୍ରାପଡାର ସଭାଗୁଡିକରେ ବେଶ୍ ଜନସମାଗମ ହୋଇଥିଲା। ବିଏସ୍କେୱାଇ, ମିସନ ଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫-ଟି ସ୍କୁଲ, ମଧୁବାବୁ ପେନ୍ସନ କିଏ କରିଛି ବୋଲି ପାଣ୍ଡିଆନ୍ ପଚାରିଥିଲେ। ସମବେତ ଜନତା ‘ନବୀନ ପଟ୍ଟନାୟକ’ ବୋଲି ଉତ୍ତର ଦେଇଥିଲେ। ପାଣ୍ଡିଆନ୍ କହିଥିଲେ, ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି। ରାଜନୀତି କି କ୍ଷମତା ପାଇଁ ସେ ଆସି ନାହାନ୍ତି। ସେ ଆସିଛନ୍ତି ସେବା କରିବା ପାଇଁ। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ , କାମରେ ବିଶ୍ୱାସ କରନ୍ତି। ସାରା ଓଡ଼ିଶା ଗୋଟିଏ ସ୍ୱରରେ କହୁଛି ଯେ ଜୁନ୍ ୯ରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ଼ କରିବେ। ଦ୍ୱିତୀୟ ଦସ୍ତଖତରେ ବିଏସ୍କେୱାଇ କାର୍ଡରେ ସମସ୍ତେ ସାମିଲ ହେବେ। ତୃତୀୟ ଦସ୍ତଖତରେ ମିସନ ଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନସନ ଦେବେ। କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ତୀବ୍ର ସମାଲୋଚନା କରି ସେ କହିଲେ ଯେ ତାଙ୍କୁ ଯୋଉ ହାତ ଖାଇବାକୁ ଦେଉଛି, ସେ ହାତକୁ ସେ କାମୁଡୁଛନ୍ତି। ସେ ଓ ତାଙ୍କ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ସେ ୧୦ ବର୍ଷ ପାଇଁ ସାଂସଦ ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ଦାୟିତ୍ୱ ଦେଇଥିଲେ ଅଞ୍ଚଳ ପାଇଁ ପୁଞ୍ଜି ଆଣିବା ପାଇଁ। ଶିଳ୍ପ ଆଣିବା ପାଇଁ। କିନ୍ତୁ ସେ ନିଜ ଅଞ୍ଚଳ ପାଇଁ ନ ଆଣି ତାଙ୍କ ନିଜ ଶିଳ୍ପର ପୁଞ୍ଜି ବଢ଼େଇ ଚାଲିଲେ। ସେ ବିଶ୍ୱାସଘାତକତା କଲେ ଏ ମାଟିକୁ। ମୁଖ୍ୟମନ୍ତ୍ରୀ ତାଙ୍କୁ ସେଥିପାଇଁ ବରଖାସ୍ତ କରିଦେଲେ।
କେନ୍ଦ୍ରାପଡ଼ାରେ ବିକାଶ କାମର ଉଦାହରଣ ଦେଇ ସେ କହିଲେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆର୍ସେଲର-ମିତ୍ତଲ ପକ୍ଷରୁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଏହା ହେଉଛି ସାରା ଭାରତବର୍ଷରେ ସବୁଠାରୁ ବଡ଼ ପୁଞ୍ଜିନିବେଶ। ଏହା ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାର ନୂଆ ପରିଚୟ ସୃଷ୍ଟି ହେବ। ସାଲେପୁରକୁ ଏନ୍ଏସି ମାନ୍ୟତା ଦିଆଯାଇଛି। ଆଳିରେ ଫୁଟ୍ବଲ୍ ତାଲିମ କେନ୍ଦ୍ର ପାଇଁ ୨୦ କୋଟି ଟଙ୍କା, ଲକ୍ଷ୍ମୀନାରାୟଣ ମନ୍ଦିର ପାଇଁ ୮ କୋଟି ଟଙ୍କା, ଆଳି ରାଜକନିକାରେ ଘରେ ଘରେ ପିଇବା ପାଣି ପାଇଁ ୨୪୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ରାଜନଗର ଅଞ୍ଚଳରେ ବିଭିନ୍ନ ରୂପାନ୍ତର କାମ – ମଠ, ମନ୍ଦିର, ମସଜିଦ, ରାସ୍ତାଘାଟ ସବୁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମତ୍ସଜୀବୀଙ୍କ ପାଇଁ ୧୫ ହଜାର ଟଙ୍କାର ପ୍ୟାକେଜ ଦିଆଯାଇଛି। ମା’ ରାମଚଣ୍ଡୀ ମନ୍ଦିର ବିକାଶ ପାଇଁ ୬ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ମହାକାଳାପଡାର ବଙ୍ଗାଳୀ ଭାଇଭଉଣୀମାନଙ୍କର ଯାହା ବି ସମସ୍ୟା ଅଛି ଦୂର କରାଯିବ। ଏହା ହେଉଛି ନବୀନ ଗ୍ୟାରେଣ୍ଟ। ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା, ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା, ଆଳି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ, ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚ୍ଚୀ ନାୟକ, ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଓ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ଚରଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।