ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମୟୂରଭଞ୍ଜ ଲୋକସଭା କ୍ଷେତ୍ରର ଯଶୀପୁର, ସାରସକଣା, ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେ ନିର୍ବାଚନ ପ୍ରଚାର କରିଛନ୍ତି। ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, କେବଳ ନିର୍ବାଚନ ଆସିଲେ ସେମାନଙ୍କର ଲୋକଙ୍କ କଷ୍ଟ ମନେପଡ଼େ। ସେମାନେ ଲୋକଙ୍କ ପାଖକୁ ଆସନ୍ତି, ବହୁତ ପ୍ରତିଶ୍ରୁତି ଦିଅନ୍ତି। ସେମାନଙ୍କୁ ଲୋକମାନେ ଜାଣି ରଖନ୍ତୁ। ପାଣ୍ଡିଆନ୍ କହିଲେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ସବୁବେଳେ ଆପଣଙ୍କ ପାଖକୁ ଆସୁଛି। ବିଜୁ ଜନତା ଦଳ ଓ ନବୀନ ବାବୁଙ୍କ ଛଡ଼ା ଆଉ କେହି କାମର ହିସାବ ଦିଅନ୍ତି ନାହିଁ। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବି ନବୀନ ପଟ୍ଟନାୟକ ସେବା କରୁଛନ୍ତି। ସେ ରାଜନୀତି କରୁନାହାନ୍ତି, ଭୋଟ ପାଇଁ କାମ କରୁନାହାନ୍ତି। ସେବା ଜରିଆରେ ସେ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛନ୍ତି। ବିରୋଧୀ ନେତାମାନେ ଭାବୁଛନ୍ତି, ଆଦିବାସୀ ଭାଇଭଉଣୀମାନେ କାହିଁକି ନବୀନ ବାବୁଙ୍କୁ ଏତେ ଭଲ ପାଉଛନ୍ତି। ଆଦିବାସୀ ଭାଇ ଭଉଣୀମାନଙ୍କୁ ବିରୋଧୀମାନେ କେବଳ ଭୋଟ ପାଇଁ ବ୍ୟବହାର କରନ୍ତି। କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ତାଙ୍କ ହୃଦୟର ସବୁଠାରୁ ଭଲ ଜାଗାରେ ରଖିଛନ୍ତି। ସେମାନଙ୍କୁ ସେ ବହୁତ ଭଲ ପାଆନ୍ତି, ସେମାନଙ୍କ ବିକାଶ ପାଇଁ କାମ କରୁଛନ୍ତି।

Advertisment

ପାଣ୍ଡିଆନ୍ ପଚାରିଥିଲେ, ୫୦-୬୦ ବର୍ଷ ମଧ୍ୟରେ କୌଣସି ସରକାର ଆଦିବାସୀମାନଙ୍କ କଳା, ସଂସ୍କୃତି ଓ ଭାଷାର ଉନ୍ନତି ପାଇଁ କିଛି କରିଛନ୍ତି କି ? କେବଳ ନବୀନ ପଟ୍ଟନାୟକ କରିଛନ୍ତି। ବିରୋଧୀ ବିଜେପିକୁ ପଚାରନ୍ତୁ, ଆପଣମାନଙ୍କ କଳା, ସଂସ୍କୃତି, ଭାଷା ଓ ଭଗବାନଙ୍କ ପାଇଁ କିଛି କରିଛନ୍ତି କି ? ଏଗୁଡ଼ିକ ହେଉଛି ଆଦିବାସୀମାନଙ୍କ ପରିଚୟ। ଯଦି ଏଗୁଡ଼ିକ ପଳେଇବ ତା’ହେଲେ ସେମାନଙ୍କ ପରିଚୟ ଲୁପ୍ତ ହୋଇଯିବ। ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ‘ଲାଭ’ ଯୋଜନା କରିଛନ୍ତି। ଏଥିରେ ଜଙ୍ଗଲଜାତ ଦ୍ରବ୍ୟ ଯଥା - ଶାଳମଞ୍ଜି, ଶାଳପତ୍ର, ମହୁଲ ଇତ୍ୟାଦିର ଉଚିତ ମୂଲ୍ୟ ସେମାନେ ପାଉଛନ୍ତି। ସେମାନେ ଆଉ ଠକାମିରେ ପଡ଼ୁନାହାନ୍ତି। ସେ କହିଥିଲେ, ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍‍ରୁ ମୁକ୍ତ କରିବେ। ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ.ରେ ସମସ୍ତଙ୍କୁ ସାମିଲ କରିବେ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିସନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍‍ସନ ବ୍ୟବସ୍ଥା କରିବେ। ଚତୁର୍ଥ ଦସ୍ତଖତରେ କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍‍ ବୃଦ୍ଧି ହେବ।

ଯଶୀପୁରେ ଲୋକଙ୍କୁ ସରକାରଙ୍କ କାମର ହିସାବ ଦେଇ ପାଣ୍ଡିଆନ୍ କହିଲେ ଯେ, ଖଇରିବନ୍ଧନ ଜଳସେଚନ ପ୍ରକଳ୍ପ ପାଇଁ ୩୩୭.୫୦ କୋଟି ଟଙ୍କା, ଶୁକ୍ରୁଳିରେ ଆଡ଼ିବନ୍ଧ ପାଇଁ ୧୭୦ କୋଟି, ମା’ କୀଚକେଶ୍ୱରୀ ମନ୍ଦିରର ରୂପାନ୍ତରୀକରଣ ପାଇଁ ୮.୪୦ କୋଟି ଟଙ୍କା, କୀଚକେଶ୍ୱରୀ ମନ୍ଦିର ମ୍ୟୁଜିୟମ୍‍ ପାଇଁ ୧.୩୦ କୋଟି ଟଙ୍କା, କୁଡୁମୀ କମ୍ୟୁନିଟି ଭବନ ପାଇଁ ୨୫ ଲକ୍ଷ ଟଙ୍କା, ହୋ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା, ରରୁଁଆ କୁଡୁମୀ ଭବନ ପାଇଁ ୨୫ ଲକ୍ଷ ଟଙ୍କା, ହୋ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି । ପ୍ରାୟ ସବୁ ସମାଜର କମ୍ୟୁନିଟି ସେଣ୍ଟର ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି। ଯଶୀପୁରରେ ଆମ ବସଷ୍ଟାଣ୍ଡ ପାଇଁ ୧୪.୫୦ କୋଟି ଟଙ୍କା, ରରୁଁଆ-ଫଗୁ ରାସ୍ତା ପାଇଁ ୫୦ କୋଟି ଟଙ୍କା, ସୁଲେଇପାଟ-ଝାଲଡୁଙ୍ଗୁରୀ ରାସ୍ତା ପାଇଁ ୩୫ କୋଟି, ଯଶୀପୁର-ରରୁଁଆ ରାସ୍ତା ପାଇଁ ୩୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି । ଯଶୀପୁର, ରରୁଁଆ ଓ ଶୁକ୍ରୁଳୀ ବ୍ଲକରେ ଘରେ ଘରେ ପିଇବା ପାଣି ଯୋଗାଇ ଦେବା ପାଇଁ ୬୫୦ କୋଟି ଟଙ୍କା, ୧୩ ହଜାର ୫୦୦ ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ଓ ଅଞ୍ଚଳର ୮ ଟି ସ୍କୁଲକୁ ୫-ଟିରେ ରୂପାନ୍ତରଣ କରିଛନ୍ତି।

ସାରସକଣାରେ ସେ କହିଲେ, ଚନ୍ଦନପୁର-ବିଶୋଇ ଘାଟି ରାସ୍ତା ପାଇଁ ୧୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି, ୩-୪ ମାସ ମଧ୍ୟରେ କାମ ଶେଷ ହେବ। ଏଇଟା ହେଉଛି ନବୀନ ସରକାରଙ୍କ କାମ, ଲୋକଙ୍କ କାମ । ମଣ୍ଡା-ଯୋକା ରାସ୍ତା, ଦିଘି-ସରସକଣା ରାସ୍ତାକାମ ଚାଲିଛି, ବାଙ୍କବାଳ ଡ୍ୟାମ୍‍ ଉନ୍ନତି ପାଇଁ ୮୦ ଲକ୍ଷ ଟଙ୍କା, ସରସକଣା ଓ କୁସୁମୀ ବ୍ଲକରେ ୨୧୨ କୋଟି ଟଙ୍କାରେ ପିଇବା ପାଣି ସୁବିଧା, ବିଞ୍ଜଦହରା ଜଳପ୍ରପାତ ପାଇଁ ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି। ବାଙ୍ଗିରିପୋଷିରେ ସେ କହିଲେ, ସିମିଳେଶ୍ୱର ଶିବ ମନ୍ଦିର ପାଇଁ ୪୦ ଲକ୍ଷ ଟଙ୍କା, ସିନ୍ଦୁରଗୌର କୁଡୁମୀ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା, ବଡ଼ଗାଁ ପଞ୍ଚାୟତରେ ହୋ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା, ବୁଢ଼ୀଖମାରୀ ଗ୍ରାମପଞ୍ଚାୟତରେ କୁଡୁମୀ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା, କଂସପାଳ ଆଡ଼ିବନ୍ଧ ପାଇଁ ପାଖାପାଖି ୧୦୦ କୋଟି ଟଙ୍କା, ବାଙ୍ଗିରିପୋଷି-ତାଳବନ୍ଧ ରାସ୍ତା ପାଇଁ ୪୫ କୋଟି ଟଙ୍କା, ଧାଙ୍ଗିରିଶୋଳ-ଦେଉଳୀ-ମୋରଡ଼ା ରାସ୍ତା ପାଇଁ ୩୫ କୋଟି ଟଙ୍କା, ବାଲିଡିହ-ଭୁଆସୁଣି ରାସ୍ତା ପାଇଁ ୩୦ କୋଟି ଟଙ୍କା, ବାଙ୍ଗିରିପୋଷି ଓ କୁଳିଅଣା ବ୍ଲକରେ ଘରେ ଘରେ ପାଇପ ଯୋଗେ ପିଇବା ପାଣି ଯୋଗାଇଦେବା ପାଇଁ ୩୭୦ କୋଟି ଟଙ୍କା, ଶାମାଖୁଣ୍ଟା ବ୍ଲକର ୧୩ଟି ଗ୍ରାମ ପଞ୍ଚାୟତକୁ ପିଇବା ପାଣି ଯୋଗାଇ ଦେବାକୁ ୧୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଉଦଳାରେ ପାଣ୍ଡିଆନ୍ କହିଲେ ଯେ, ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ସୋନୋ ବ୍ୟାରେଜ ନିର୍ମାଣ ପାଇଁ ୭୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସନ୍ଧ୍ୟାରେ ପାଣ୍ଡିଆନ୍ କେନ୍ଦ୍ରାପଡ଼ାରେ ରୋଡ୍‌ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ।