ସମ୍ୱଲପୁର/କୁଚିଣ୍ଡା/ରେଂଗାଲି: ବିଜେଡି ନେତା ଭି.କେ. ପାଣ୍ଡିଆନ ସମ୍ବଲପୁର ଜିଲ୍ଲା ଗସ୍ତକରି କୁଚିଣ୍ଡା ବିଧାନସଭା କ୍ଷେତ୍ରର କେଶାଇବାହାଲ ଓ ରେଂଗାଲି ବିଧାନସଭା କ୍ଷେତ୍ରର ପରମାଣପୁରଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଏହା ସହିତ ସମ୍ବଲପୁରରେ ବିଶାଳ ରୋଡ୍‌ ସୋ’ରେ ସାମିଲ ହୋଇଛନ୍ତି। ରବିବାର ଅପରାହ୍ନରେ ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର କେଶାଇବାହଲଠାରେ ପହଞ୍ଚିଥିଲେ। ସେଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ବିକାଶ କାମର ହିସାବ ରଖିଛନ୍ତି। ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଭଳି ବିକାଶ କାମର ତାଲିକା ଲୋକଙ୍କୁ ଦେବାକୁ ଆହ୍ୱାନ କରିଛନ୍ତି।

Advertisment

ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କୁ ପ୍ରଣାମ ଜଣାଇ ବକ୍ତବ୍ୟ ଆରମ୍ଭ କରିଥିଲେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ବାମରାକୁ ଏନଏ୍‌ସି କରିଛନ୍ତି। ବୁରୁପଡ଼‌ା ମହାବୀର ଧାମ, କିରଶାସନ ସ୍ୱପ୍ନେଶ୍ୱର ବାବା ଶିବମନ୍ଦିର, ପାନପଲ୍ଲି ଶିବ ମନ୍ଦିରର ରୂପାନ୍ତରୀକରଣ କରାଯାଇଛି। ଏମିତି ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସାରା ଓଡ଼ିଶାରେ ସର୍ବାଧିକ ଅନୁଦାନ କୁଚିଣ୍ଡା ନିର୍ବାଚନମଣ୍ଡଳୀକୁ ପ୍ରଦାନ କରାଯାଇଛି। କୁଚିଣ୍ଡାରେ ୧୪ କୋଟି ଟଙ୍କାରେ ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା କରାଯାଇଛି। ଜଳସେଚନ ପାଇଁ ବୁଦୁଲାପାଲିରେ ୧୨୮ କୋଟି ଟଙ୍କାରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ବୁଢ଼ାରାଜା, କିରାଶାସନ, ସଇଡ଼ାରେ ବନ୍ଧ ନିର୍ମାଣ କରାଯିବା ସହିତ ଗୋଛରାରେ ଆଡ଼ିବନ୍ଧ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ପାନୀୟଜଳ ପାଇଁ କୁଚିଣ୍ଡା, ବାମରା ଏବଂ ଜମନକିରା ବ୍ଲକରେ ୫୦ଟି ପଞ୍ଚାୟତ ୩୧୦ କୋଟି ଟଙ୍କାରେ ବ୍ୟୟ ଅଟକଳରେ ପାଇପ୍‌ ଜରିଆରେ ପାନୀୟ ଜଳ ଯୋଗାଣ କରାଯିବ। କେନ୍ଦୁପତ୍ର ତେଳାଳୀଙ୍କ ପାଇଁ ୫୦ ପ୍ରତିଶତ ବୋନସ୍‌ କରିଛନ୍ତି ବୋଲି କହିଥିଲେ ପାଣ୍ଡିଆନ। କୁଚିଣ୍ଡାରେ ପ୍ରାୟ ୫୦ ହଜାରରୁ ଅଧିକ ଲଙ୍କା ଚାଷୀ ରହିଛନ୍ତି। ସେମାନଙ୍କ ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ପ୍ୟାକେଜ ଆସିବ ବୋଲି କହିଥିଲେ। ବିଜେଡି ଲୋକସଭା ପ୍ରାର୍ଥୀ ଭାବରେ ଯାହାଙ୍କୁ ପାଇଛନ୍ତି ସେ ହେଉଛନ୍ତି ନବୀନ ସେନାର ସେନାପତି ବୋଲି କହିଥିଲେ।

ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ କହିଥିଲେ, ବିକାଶ ବିରୋଧୀଙ୍କ ପାଇଁ ଓଡ଼ିଶା ଏକ ବିନ୍ଦୁ ହେଲେ ବିଜେଡି ପାଇଁ ଏକ ସିନ୍ଧୁ। ସେମାନଙ୍କ ପାଇଁ ଓଡ଼ିଶା ହେଉଛି ସଂଖ୍ୟା ବଢ଼ାଇବାର ନିର୍ବାଚନୀ କ୍ଷେତ୍ର। କିନ୍ତୁ ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶା ଏକ ପରିବାର। କାର୍ଯ୍ୟକ୍ରମରେ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ ଉପସ୍ଥିତ ଥିଲେ।
ପାଣ୍ଡିଆନ ରେଙ୍ଗାଲି ବିଧାନସଭା କ୍ଷେତ୍ରର ପରମାଣପୁର ପଡ଼ିଆରେ ଏକ ଜନସଭାକୁ ସମ୍ବୋଧନ କରି ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ଏହା ସହିତ ବିରୋଧୀଙ୍କୁ ଆକ୍ରମଣ କରି ସେମାନେ ଲୋକଙ୍କୁ ଦିନବେଳା ଲଣ୍ଠନ ଦେଖାଉଛନ୍ତି ବୋଲି କହିଥିଲେ। ସେ ରେଂଗାଲି ବିଧାନସଭା କ୍ଷେତ୍ରରେ ସରକାର ପକ୍ଷରୁ ହୋଇଥିବା ବିକାଶ କାର୍ଯ୍ୟର ହିସାବ ଦେଇଥିଲେ। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କହିଲେ, ଢେଙ୍କାନାଳବାସୀ ତାଙ୍କୁ ଗ୍ରହଣ ନକରିବାରୁ ସେ ସମ୍ବଲପୁର ଚାଲିଆସିଛନ୍ତି। ସେ ଏଠାରେ ମଧ୍ୟ କାମ କରିବେ ନାହିଁ କି କରେଇ ଦେବେ ନାହିଁ।