ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବିଜେଡିର ତାରକା ପ୍ରଚାରକ ଭି. କେ ପାଣ୍ଡିଆନ। ଶନିବାର ସନ୍ଧ୍ୟାରେ ସୁନ୍ଦରଗଡ଼ ସହରରେ ବିଶାଳ ରୋଡ୍ ସୋ’ କରି ଦଳର ବିଧାନସଭା ପ୍ରାର୍ଥୀ ଯୋଗେଶ କୁମାର ସିଂ ଓ ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କିଙ୍କ ପାଇଁ ଭୋଟ୍ ମାଗିଥିଲେ। ନବୀନବାବୁଙ୍କୁ ଆଶୀର୍ବାଦ କରି ସୁନ୍ଦରଗଡ଼ ତଥା ରାଜ୍ୟର ବିକାଶଧାରାକୁ ଆଗକୁ ନେବାକୁ ନିବେଦନ କରିଥିଲେ। ପାରିଜାତ ପାର୍କରୁ ରାଉରକେଲା ଛକ ୫ କିଲୋମିଟର ପାଣ୍ଡିଆନଙ୍କ ରୋଡ୍ ସୋ’ରେ ୨୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ବିଶେଷକରି ୧୦ ହଜାରରୁ ଅଧିକ ମହିଳା ମୁଖ୍ୟରାସ୍ତା କଡ଼ରେ ଛିଡ଼ାହୋଇ ଶ୍ରୀ ପାଣ୍ଡିଆନଙ୍କୁ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହ ତାଙ୍କୁ ଶୁଣିଥିଲେ। ବିଭିନ୍ନ ଛକରେ ପାଣ୍ଡିଆନ ଉଦ୍ବୋଧନ ଦେଇ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କୁ ଶହେ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍, ସମସ୍ତଙ୍କୁ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ସୁବିଧା, ଏସ୍ଏଚ୍ଜି ମହିଳାମାନଙ୍କୁ ପେନ୍ସନ୍ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କହିଥିଲେ। ତାଙ୍କୁ ଆଶୀର୍ବାଦ କଲେ ନବୀନ ସରକାର ଗଢ଼ି ପ୍ରଥମ କ୍ୟାବିନେଟ୍ ବୈଠକରେ ଏସବୁ ତୁରନ୍ତ ଲାଗୁକରିବେ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏସବୁ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ମନରେ ଉତ୍ସାହ ଭରିଥିଲା। ନବୀନ ଜିନ୍ଦାବାଦ ଓ ହୁଳହୁଳିରେ ସହର କମ୍ପି ଉଠିଥିଲା। ଲୋକଙ୍କ ଉତ୍ସାହୀ ଭିଡ଼ ବିଜେଡିର ବିଜୟ ଆଶାକୁ ଦ୍ବିଗୁଣିତ କରିଥିବା ପ୍ରକାଶ ପାଇଛି।
ଶ୍ରୀ ପାଣ୍ଡିଆନ ଆଜି ହେଲିକପ୍ଟର୍ ଯୋଗେ ବଣାଇରୁ ସିଧା ଆସି ଅପରାହ୍ନ ୫ଟା ୫୫ରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଯୋଗେଶ ସିଂଙ୍କ ନିଜ ଗାଁ ସର୍ଗିପାଲିସ୍ଥ କଲେଜପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଥିଲେ। ବ୍ୟାରିକେଡ୍ ବାହାରେ ଅପେକ୍ଷା କରିଥିବା ହଜାରହଜାର ଲୋକଙ୍କୁ ଭେଟି ଆଶୀର୍ବାଦ ମାଗିଥିଲେ। ସେଠାରୁ ସଡ଼କପଥରେ କାର୍କେଡ୍ରେ ପ୍ରାର୍ଥୀ ଯୋଗେଶ, ଦିଲୀପ ଓ ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ସହ ସର୍ଗିପାଲି ବସ୍ତି, ଉଜ୍ଜ୍ବଳପୁର, ବେଲସରାଛକ, ରଙ୍ଗିଆମୁଣ୍ଡା, ମହୁଲପାଲି, ବନ୍ଧପାଲି, ସଦରଥାନା ଛକ ଦେଇ ସୁନ୍ଦରଗଡ଼ ବାଇପାସ୍ସ୍ଥ ପାରିଜାତ ପାର୍କରେ ପହଞ୍ଚିଥିଲେ। ଏସବୁ ଗାଁରେ ଲୋକେ ତାଙ୍କୁ ସ୍ବାଗତ କରିଥିଲେ। ପାରିଜାତ ପାର୍କରୁ ଏକ ସ୍ବତନ୍ତ୍ର ପ୍ରଚାରଗାଡ଼ିରେ ରୋଡ୍ ସୋ’ କରିଥିଲେ। ଶଙ୍କରା ଦତ୍ତ ଆଇକେୟାର ଛକରେ ଉଦ୍ବୋଧନ ଦେଇଥିଲେ। ସେଠାରୁ ମିସନ ଦେଇ ହସ୍ପିଟାଲ୍ ଛକକୁ ଆସି ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ସେଠାରୁ ଡିଆର୍ଡିଏ ଛକ, ରାଉରକେଲା ଛକରେ ଉଦ୍ବୋଧନ ଦେଇଥିଲେ। ରୋଡ୍ ସୋ’ରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ପ୍ରଚାର କମିଟି ସଂଯୋଜକ ପ୍ରଫୁଲ୍ଲ ସୁନ୍ୟାନୀ, ସହପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ, ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ଯୋଗେଶଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ସିଂ, ତଳସରା ସହ ପର୍ଯ୍ୟବେକ୍ଷକ ବୈକୁଣ୍ଠ ନାଏକ, ପୌର ପୂର୍ବତନ ଉପାଧ୍ୟକ୍ଷା ରଂଜନା ପଣ୍ଡା, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ଜୟନାରାୟଣ ତ୍ରିପାଠୀ, ଛାତ୍ରନେତା ସେହବାଜ ହୁସେନ, ଯୁବନେତା ହିମାଂଶୁ ଶେଖର ଷଡ଼ଙ୍ଗୀ, ପୌରପାର୍ଷଦ ସୁମନ୍ତ ସାହୁ, ସୁମନ୍ତ ପଣ୍ଡା, ପ୍ରିୟଙ୍କା ଜେନା, ସଚିନ ବିଶ୍ବକର୍ମା, ନରେଶ ମେହେର, ବୀରେନ୍ଦ୍ର ପଧାନଙ୍କ ସମେତ ଶହଶହ କର୍ମକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ।