ଭୁବନେଶ୍ବର: ସରକାରୀ ଚାକିରିରେ ଥିବା ସମୟରେ କ୍ଷମତାର ଦୁରୂପଯୋଗ କରି ରାଜ୍ୟ ସାରା ହେଲିକପ୍ଟରରେ ଚକ୍କର କାଟୁଥିଲେ ଭି.କେ ପାଣ୍ଡିଆନ। ଚଳିତ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ହେଲିକପ୍ଟରରେ ଉଡ଼ି ବୁଲୁଥିଲେ। ଲୋକଙ୍କ ସହ ସେଲ୍ଫି ଉଠାଉଥିଲେ ଓ ଅଭିଯୋଗପତ୍ର ସଂଗ୍ରହ କରୁଥିଲେ। ପାଣ୍ଡିଆନଙ୍କ ଏହି ହେଲିକପ୍ଟର ବୁଲାକୁ ନେଇ ଚାରିଆଡ଼ୁ ପୁଳା ପୁଳା ପ୍ରଶ୍ନ ଉଠିଥିଲା। ରାଜ୍ୟରେ ଏବେ ସରକାର ବଦଳିବା ପରେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାରେ ରାଜକୋଷରୁ କେତେ ଖର୍ଚ୍ଚ ହୋଇଛି ତାହାର ହିସାବ ଆରମ୍ଭ ହୋଇଛି। ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଜେନା ଏହାର ଯାଞ୍ଚ କରାଯାଉଥିବା ସୂଚନା ଦେଇଛନ୍ତି।
ଶ୍ରୀ ଜେନା କହିଛନ୍ତି ଯେ କିଏ ହେଲିକପ୍ଟର ବ୍ୟବହାର କରିପାରିବେ ତାହାର ସର୍କୁଲାର ରହିଛି। କୌଣସି ଅଫିସର ରାଜକୋଷକୁ ଅପବ୍ୟୟ କରିଥିଲେ, ରାଜ୍ୟ ସରକାର ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ସଂପର୍କରେ ଜନସାଧାରଣ ପ୍ରଶ୍ନ କରୁଛନ୍ତି। ଫେବ୍ରୁଆରି ୨୦୨୦ ମସିହାରୁ
ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ହେଲିକପ୍ଟର ବୁଲାକୁ ଓଡ଼ିଶା ଲୋକମାନେ ସହ୍ୟ କରିପାରି ନ ଥିଲେ। ଦୁର୍ନୀତିକୁ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ମୋହନ ସରକାର। ଏହାର ଯାଞ୍ଚ ଆରମ୍ଭ ହୋଇସାରିଲାଣି ଓ ଏବେ ତର୍ଜମା ଚାଲିଛି। ଅପେକ୍ଷା କରନ୍ତୁ, ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଲୋକଙ୍କୁ ସେବା ଦେବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟ୍ ହେବାକୁ ସହଜରେ କେହି ଗ୍ରହଣ କରିପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ଖର୍ଚ୍ଚ ସଂପର୍କରେ ସୂଚନାଧିକାର କର୍ମୀମାନେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ ହେଁ ତାହା ଦିଆଯାଇ ନ ଥିଲା। ରାଜ୍ୟରେ ସରକାର ବଦଳିବା ପରେ ମଧ୍ୟ ଏ ସଂପର୍କିତ ସୂଚନା ନ ମିଳିବାରୁ ଏହାର ପ୍ରତିବାଦରେ ଗତମାସ ୨୪ ତାରିଖରେ ଖାରବେଳ ଭବନ ଆଗରେ ସୂଚନାଧିକାର କର୍ମୀ ଧାରଣା ଦେଇଥିଲେ।