ରଣପୁର: ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ରଣପୁର ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍କେୱାଇ ଉପରେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ଶ୍ରୀ ପାଣ୍ଡିଆନ। ଯଦି ବିଏସ୍କେୱାଇକୁ ସେ ବିରୋଧ କରୁଛନ୍ତି ତେବେ ନିଜ ନିର୍ବାଚନ ଇସ୍ତାହାରରେ ଏହାକୁ ବନ୍ଦ କରିବେ ବୋଲି ଘୋଷଣା କରିବାକୁ ସେ ଆହ୍ବାନ ଦେଇଛନ୍ତି। ୫-ଟି ଅଧ୍ୟକ୍ଷଙ୍କ ପୂର୍ବଥର ଗସ୍ତ ପରେ ଆରମ୍ଭ ହୋଇଥିବା ୩୨୮ କୋଟି ଟଙ୍କା ବ୍ୟୟରେ କୁସୁମ ବ୍ୟାରେଜ୍, ୧୭୮୨ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ, ୩୧ କୋଟି ଟଙ୍କା ବ୍ୟୟରେ କଣ୍ଟିଲୋ ନୀଳମାଧବ ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ସମେତ ଅନ୍ୟ ପୀଠ, ମନ୍ଦିର, ରାସ୍ତା, ପୋଲ ଓ ବ୍ୟାରେଜ ନିର୍ମାଣ କାର୍ଯ୍ୟର ଏହି ଅବସରରେ ସମୀକ୍ଷା କରାଯାଇଥିଲା।
ପାଣ୍ଡିଆନଙ୍କୁ ପାଇକଙ୍କ ପ୍ରତୀକ ଖଣ୍ଡା ଓ ଢାଲ ଉପହାର
ଭଗବତୀ ମନ୍ଦିର ରୂପାନ୍ତର ପାଇଁ ୩୩ କୋଟି
ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ୪ କୋଟି ୬୦ ଲକ୍ଷ
ରଣପୁର ବ୍ଲକ୍ ମଙ୍ଗରାଜପୁର ଜେଲ୍ ଛକ ନିକଟରେ ‘ନୂଆ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଜନହିତକର ଦିଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଗତ ଜୁଲାଇ ମାସରେ ରଣପୁର ଗସ୍ତ ସମୟରେ ସଂଗ୍ରହ କରିଥିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ପାଇଁ ପଦକ୍ଷେପ ନେଇଥିଲେ ବୋଲି ସେ କହିଥିଲେ। ବିଶେଷ କରି ରଣପୁର ଜଗନ୍ନାଥ ମନ୍ଦିର, ଉପର ଓ ତଳ ମା’ ମଣିନାଗ, ଲଡ଼ୁବାବା ମନ୍ଦିରର ରୂପାନ୍ତରୀକରଣ ଉପରେ ଦିଆଯାଇଥିବା ଆର୍ଥିକ ଅନୁଦାନ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ। ଏପରିକି ରହିଯାଇଥିବା ମଠ, ମନ୍ଦିର, ମସଜିଦ, ଗୀର୍ଜା, ଚର୍ଚ୍ଚ ସାଙ୍ଗକୁ ଅନ୍ୟାନ୍ୟ ଅଭିଯୋଗ ଓ ଆବେଦନପତ୍ର ଆଜି ସେ ସଂଗ୍ରହ କରିନେଇଥିଲେ। ଏହାର ଫଳାଫଳ ଆସନ୍ତା ୨୦ ତାରିଖରେ ଘୋଷଣା କରାଯିବ ବୋଲି ସେ କହିଥିଲେ। ଏଥି ସହ ରଣପୁରକୁ ସବ୍ଡିଭିଜନର ମାନ୍ୟତା ଓ ଅଞ୍ଚଳର ବୀର ଓ ସଂଗ୍ରାମୀ ଅର୍ଜୁନ ରାଉତଙ୍କୁ ସହିଦର ମାନ୍ୟତା ସାଙ୍ଗକୁ ଖିଲାମୁଣ୍ଡା ମନ୍ଦିର ଓ ଅସୁରକୁମାରୀ ପୀଠର ସୌନ୍ଦର୍ଯ୍ୟୀକରଣ ତଥା ରୂପାନ୍ତରୀକରଣ ନେଇ ରଣପୁର ପ୍ରେସ କ୍ଲବ୍ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ନିମନ୍ତେ ଏବେ ଅନ୍ଲାଇନ ପଞ୍ଜୀକରଣ ଖୋଲା ରହିଛି। ଏହା ଚଳିତ ମାସ ୧୬ ତାରିଖରେ ବନ୍ଦ ହେବ। ତେଣୁ ଶୀଘ୍ର ଏହାର ଫାଇଦା ନେବାକୁ ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଆଗାମୀ ମାର୍ଚ୍ଚ ସୁଦ୍ଧା ପ୍ରତି ପଞ୍ଚାୟତରୁ ବ୍ଲକ୍କୁ ଲକ୍ଷ୍ମୀ ବସ୍ ସେବା, ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଆଦି କ୍ଷେତ୍ରରେ ଅଧିକ ଅର୍ଥ ପ୍ରଦାନ କରାଯିବ ବୋଲି କହିଥିଲେ।
ରଣପୁର ପୂର୍ବରୁ ବାଣପୁରର ଭଗବତୀଙ୍କ ପୀଠରେ ଶ୍ରୀ ପାଣ୍ଡିଆନ ପହଞ୍ଚି ଦେବୀଙ୍କ ଦର୍ଶନ କରିବା ପରେ ରୂପାନ୍ତର କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ଭଗବତୀ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକ ପାଣ୍ଡିଆନଙ୍କୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା, ଚିଲିକା ଜିଲ୍ଲା ପର୍ଯ୍ୟବେକ୍ଷକ ସୌମ୍ୟଶଙ୍କର ଚକ୍ର ଓ ସ୍ଥାନୀୟ ନେତୃବୃନ୍ଦ ସ୍ବାଗତ କରିଥିଲେ। ୫-ଟି ଅଧ୍ୟକ୍ଷଙ୍କୁ ସାଂସଦ ମଙ୍ଗରାଜ ପାଇକଙ୍କ ପ୍ରତୀକ ଏକ ଢାଲ, ଖଣ୍ଡା ଓ ଶିରୋପା ପ୍ରଦାନ କରିଥିଲେ। ପଲଟଣ ପଡ଼ିଆରେ ଆୟୋଜିତ ସଭାରେ ବୀର ପାଇକ ମାଟିକୁ ପ୍ରଣାମ ଜଣାଇ ଶ୍ରୀ ପାଣ୍ଡିଆନ ଅଭିଭାଷଣ ପ୍ରଦାନ କରିଥିଲେ। ଗତ ୪ ମାସ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୯୦ କୋଟି ଟଙ୍କା ପ୍ରଦାନ କରିଥିବା କହିଥିଲେ। ଯାହା ମଧ୍ୟରେ ଭଗବତୀ ମନ୍ଦିର ପାଇଁ ୩୩ କୋଟି, ଗୋଦାବରୀଶ ମହାବିଦ୍ୟାଳୟ ପାଇଁ ୨ କୋଟି ୨୫ ଲକ୍ଷ, ବାଲୁଗାଁ ମହାବିଦ୍ୟାଳୟକୁ ୧ କୋଟି ୫୦ ଲକ୍ଷ, ବାଣପୁର ଏନ୍ଏସି ଅଞ୍ଚଳର ଡ୍ରେନ୍ ଓ ରାସ୍ତା ପାଇଁ ୨୬ କୋଟି ଟଙ୍କା ଅନ୍ତର୍ଭୁକ୍ତ ଥିବା କହିଥିଲେ। ଆସନ୍ତା ଫେବ୍ରୁଆରିରୁ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ବସ୍ ଗଡ଼ିବ ଏବଂ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ୍ର ଶାଖା ଖୋଲିବ ବୋଲି କହିଥିଲେ।