ପାଣ୍ଡିଆନ୍‌ଙ୍କ ସମଲେଇ ପ୍ରକଳ୍ପ ସମୀକ୍ଷା

ସମ୍ବଲପୁର: ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସମ୍ବଲପୁର ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ୍‌ ଓ ମାନବସମ୍ବଳ ବ୍ୟବହାର କରି କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୩୧ ସୁଦ୍ଧା ପ୍ରକଳ୍ପ କାମ ସଂପୂର୍ଣ୍ଣ କରିବାକୁ ସେ କହିଛନ୍ତି।

ସକାଳ ୫ଟାରେ ସେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ଅଧିକାରୀମାନଙ୍କ ସହିତ ସମଲେଇ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ମନ୍ଦିରରେ ପହଂଚି ମା’ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ପ୍ରକଳ୍ପସ୍ଥଳ ବୁଲି ନିର୍ମାଣକାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ। ସମୀକ୍ଷା କାଳରେ ଭକ୍ତମାନଙ୍କ ପାଇଁ ସବୁ ସୁବିଧାସୁଯୋଗ ଲାଗି ଆବଶ୍ୟକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ। ଯାତ୍ରୀମାନେ ଯେପରି ଏକ ସୁନ୍ଦର ଆଧ୍ୟାତ୍ମିକ ଅନୁଭବ ନେଇ ଫେରିବେ ତାକୁ ଆଖିରେ ରଖି ସବୁ କାମ କରିବାକୁ କହିଥିଲେ। ଯାତ୍ରୀଙ୍କ ସୁବିଧା ପାଇଁ ପ୍ରାଥମିକ ଚିକିତ୍ସା ଓ ଅନ୍ୟ ମେଡିକାଲ ସେବାର ସୁବିଧା ବ୍ୟବସ୍ଥା ରଖିବାକୁ ମଧ୍ୟ କହିଥିଲେ। ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକୁ ଶୀଘ୍ର ଆଗେଇ ନେବା ପାଇଁ ଅଧିକ ମେସିନ୍‌ ଓ ମାନବ ସମ୍ବଳ ବ୍ୟବହାର କରିବା ସହ ଫୁଟ୍‌ଓଭର ବ୍ରିଜ, ମନ୍ଦିର ଭିତର ବିଭିନ୍ନ କାମ, ଲ୍ୟାମ୍ପ ରୁମ୍, ଐତିହ୍ୟ କରିଡ଼ର, ପୁଷ୍କରିଣୀ ସ୍ଥଳ, ପାର୍କିଂ କାମ ଆଦି ସାରିବା ଉପରେ ଗୁରୁତ୍ବରୋପ କରିଥିଲେ।

ବଳକା ରହି ଯାଇଥିବା ବିଭିନ୍ନ ଷ୍ଟ୍ରକ୍‌ଚରକୁ ୧୦ ଦିନ ମଧ୍ୟରେ ସଫା କରି କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଐତିହ୍ୟ କରିଡ଼ର ଓ ମନ୍ଦିର ଚାରି ପାଖେ ଖ‌ଣ୍ଡଲାଇଟ୍‌ ପଥର ବିଛେଇବା କାମ ଶୀଘ୍ର ସରିବା, ସୌନ୍ଦର୍ଯ୍ୟୀକରଣ ପାଇଁ ସ୍ଥାନୀୟ ବୃକ୍ଷଲତାର ବ୍ୟବହାର ଓ ସ୍ଥାନୀୟ ସଂସ୍କୃତିକୁ ଗୁରୁତ୍ଵ ଦେବାକୁ ସେ ପରାମର୍ଶ ଦେଇଥିଲେ। ମନ୍ଦିର ଭିତରେ ନିର୍ମାଣ ହେଉଥିବା ବିଭିନ୍ନ କାମ, କ୍ଲକ୍ ଟାୱାର ଓ ଲାମ୍ପ ରୁମ୍ କାମର ‌ସୌନ୍ଦର୍ଯ୍ୟୀକରଣ ଉପରେ ଶ୍ରୀ ପଣ୍ଡିଆନ ଗୁରୁତ୍ଵ ଦେଇଥିଲେ। ଦୁଇ ନମ୍ବର ଐତିହ୍ୟ ଗେଟ୍‌, ପାର୍କିଂ, ଐତିହ୍ୟ କରିଡ଼ରର ବାହାର ପଟରେ କୋବଲ ପଥର ବିଛାଇବା କାମ ଜଲ୍‌ଦି ସରିବା ସହିତ ପାନୀୟ ଜଳ ସୁବିଧା, ପରିସ୍ରାଗାର, ସିସିଟିଭି ଓ ଆଲୋକୀକରଣ କାମ ମଧ୍ୟ ତୁରନ୍ତ ସାରିବାକୁ କହିଥିଲେ। ନଦୀ ସମ୍ମୁଖ ସୌନ୍ଦର୍ଯ୍ୟୀକରଣ ଓ ବିକାଶ କାମକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ସିଂହ ଯାଦବ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ୍‌ କ୍ରିଷ୍ଣା, ଉତ୍ତରାଂଚଳ ରାଜସ୍ବ କମିସନର ଡ. ସୁରେଶ ଚନ୍ଦ୍ର ଦଳେଇ, ଆଇଟି ସଚିବ ମନୋଜ ମିଶ୍ର, ପୁଲିସ ଆଇଜି ଡ. ଦୀପକ କୁମାର, ଜିଲ୍ଲପାଳ ଅନନ୍ୟା ଦାସ, ଏସ୍‌ପି ମୁକେଶ ଭାମୁ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର