ପୁରୀ/ଖୋର୍ଦ୍ଧା/ରଣପୁର: ବିଜେପି କହୁଛି ଜୁନ୍ ୧୦ରେ ସରକାର ଗଢ଼ିବ, କିନ୍ତୁ ଆମେ ତା’ ପୂର୍ବରୁ ସରକାର ଗଢ଼ି ସାରିଥିବୁ। ଆପଣଙ୍କ ଆଶୀର୍ବାଦରେ ଜୁନ୍ ୯ରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓ ସରକାର ଗଢ଼ିବେ। ଶପଥ ନେବା ପରେ ପ୍ରଥମ ଭେଟି ହେବ ମାଗଣା ବିଜୁଳି। ଓଡ଼ିଶାର ୯୦ପ୍ରତିଶତ ପରିବାର ବିଜୁଳି ବିଲ୍ ଛାଡ଼ ପାଇବେ। ଦ୍ବିତୀୟରେ ଶତ ପ୍ରତିଶତ ପରିବାରକୁ ବିଏସ୍କେୱାଇରେ ସାମିଲ୍ ଓ ତୃତୀୟରେ ମିସନ ଶକ୍ତି କର୍ମୀ ଓ ସଦସ୍ୟାଙ୍କ ପାଇଁ ୬୦ ବର୍ଷ ପରେ ପେନ୍ସନ୍ ବ୍ୟବସ୍ଥା କରାଯିବ। ଆଜି ପୁରୀ ଜିଲ୍ଲାରେ ମାରାଥନ୍ ନିର୍ବାଚନୀ ପ୍ରଚାର ବେଳେ ଏଭଳି ଦମ୍ଭୋକ୍ତି କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସତ୍ୟବାଦୀ ନିର୍ବାଚନମଣ୍ଡଳୀର କଣାସ ବ୍ଲକ୍ ଜଙ୍କିଆ ଗଡ଼ସାହିଠାରେ ଆୟୋଜିତ କର୍ମୀ ସମାବେଶରେ ଯୋଗଦେଇ ପାଣ୍ଡିଆନ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ କୁମାର ଦାସବର୍ମା ଓ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ଭୋଟ୍ ମାଗିଛନ୍ତି।
ବିଜେପିକୁ ଆକ୍ଷେପ କରି ସେ କହିଛନ୍ତି ଯେ ବିଜେପି ଆସିଲେ କହୁଛି, ମିସନ ଶକ୍ତିକୁ ବନ୍ଦ କରିବ, ବିଏସ୍କେୱାଇକୁ ବନ୍ଦ କରିଦେବ। ଏହାକୁ ବନ୍ଦ କରିବା କି? ଭୋଟରମାନେ ଭୋଟ୍ରେ ଏହାର ଉତ୍ତର ଦେବେ। ଶଙ୍ଖଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଏହାର କଡ଼ା ଜବାବ ଦେବେ। ବିଜେପି ଆହୁରି କହୁଛି, ସୋଲାର୍ ପ୍ୟାନେଲ୍ ମାଧ୍ୟମରେ ସୂର୍ଯ୍ୟକିରଣରୁ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣମାନେ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ। ଏପରି କହି ବିଜେପି ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛି। ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ଜାଣିଛନ୍ତି, ସରକାରଙ୍କଠାରୁ କିପରି କାମ ଆଦାୟ କରିବାର ଅଛି, ସେ ଆଶୀର୍ବାଦ ପାଇଲେ ଅଞ୍ଚଳର ବିକାଶ ଡବଲ୍ ସ୍ପିଡ୍ରେ ଆଗେଇବ। ସେହିଭଳି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବ୍ରହ୍ମଗିରି ବ୍ଲକ୍ ଓ କୃଷ୍ଣପ୍ରସାଦ ବ୍ଲକରେ ଆୟୋଜିତ ବିଜେଡି ସମାବେଶରେ ଯୋଗଦେଇ ପାଣ୍ଡିଆନ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ବ୍ରହ୍ମଗିରି ବ୍ଲକ୍ କେରାଣ୍ଡିଆ ପଡ଼ିଆରେ ଆୟୋଜିତ ସମାବେଶରେ ପାଣ୍ଡିଆନ ଶ୍ରୀ ସାମନ୍ତରାୟଙ୍କ ପାଇଁ ଭୋଟ୍ ମାଗିବା ସହ ତାଙ୍କୁ ବିଜୟୀ କରି ବିକାଶର ପର୍ବକୁ ଆଗକୁ ନେବାକୁ ଆହ୍ବାନ ଦେଇଥିଲେ।
ଶପଥ ପରେ ପ୍ରଥମ ଭେଟି ମାଗଣା ବିଜୁଳି
ନବୀନବାବୁ ଚିଲିକାରେ ସେତୁ ନିର୍ମାଣ କରିବେ
ଚିଲିକା ମତ୍ସ୍ୟଜୀବୀଙ୍କୁ ମିଳିବ ୧୫ ହଜାର
ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିଜେପି ନେତାଙ୍କର ମୁଣ୍ଡ କାମ କରୁନି। କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି। ସବୁ ନେତା ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ୱର କରିବେ। ଆସାମ ମୁଖ୍ୟମନ୍ତ୍ରୀ କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ। ଡବଲ୍ ଇଞ୍ଜିନ ସରକାର ଥାଇ ଏ ପର୍ଯ୍ୟନ୍ତ କାହିଁକି ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ ବୋଲି ତାଚ୍ଛଲ୍ୟ କରିଥିଲେ। କୃଷ୍ଣପ୍ରସାଦ ବ୍ଲକ୍ ମାଲୁଦ ପଞ୍ଚୁଦୋଳ ପଡ଼ିଆରେ ସେ କହିଥିଲେ, ବର୍ଷବର୍ଷ ଧରି କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କ ଆଶା ଓ ଦୀର୍ଘ ଦିନର ସ୍ୱପ୍ନ ଜହ୍ନିକୁଦାଠାରୁ ସାତପଡ଼ା ସେତୁ ନିର୍ମାଣ। ଯଦି କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ, ତେବେ ନବୀନ ବାବୁ ୩ ବର୍ଷ ମଧ୍ୟରେ ଚିଲିକା ଉପରେ ସେତୁ କରି ଦେଖାଇଦେବେ। ଚିଲିକାର ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ୧୫ ହଜାର ଟଙ୍କା ମିଳିବ। ପିପିଲି ଓ ଡେଲାଙ୍ଗରେ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭୋଟ୍ ମାଗି ପାଣ୍ଡିଆନ କହିଲେ ଯେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଯେଉଁଭଳି ଅସମ୍ମାନ କରୁଛନ୍ତି, ଓଡ଼ିଶାବାସୀ ତା’ର ଉଚିତ ଜବାବ ଦେବେ। ରଣପୁର ସଦର ମହକୁମା ପଞ୍ଚୁଦୋଳ ପଡ଼ିଆଠାରେ ଅନୁଷ୍ଠିତ ସଭାରେ ପାଣ୍ଡିଆନ କହିଛନ୍ତି ଯେ ବିଜେଡି ସରକାରରେ ରଣପୁର ଜଗନ୍ନାଥ ମନ୍ଦିର, ଉପର ମଣିନାଗ, ତଳ ମଣିନାଗ, ମସଜିଦ ଆଦି ରୂପାନ୍ତରୀକରଣ କରାଯାଇଛି। ଏହି ଅବସରରେ ସେ ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଓ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ।