ଯାଜପୁର/ଟାଉନ/ସଦର/ବ୍ୟାସନଗର: ଯାଜପୁର ଜିଲ୍ଲାକୁ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନଙ୍କର ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି। ଯାଜପୁରରୋଡ଼ ଚାନ୍ଦମା ପଡିଆରେ ଏସଏଚ୍ଜି ନେତ୍ରୀମାନଙ୍କର ସମାବେଶ ପରେ ଯାଜପୁର ଟାଉନର କୁସୁମା ପଡ଼ିଆରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ସମାବେଶରେ ସଚିବ ଶ୍ରୀ ପାଣ୍ଡିଆନ ଯୋଗଦେଇ ମହିଳା ଓ ମହାବିଦ୍ୟାଳୟର ବିକାଶ ପାଇଁ ସରକାରଙ୍କର ଏକାଧିକ ଯୋଜନା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ପାଣ୍ଡିଆନଙ୍କ ଗସ୍ତକୁ ଉଭୟ ସ୍ଥାନରେ କଂଗ୍ରେସ ତୀବ୍ର ବିରୋଧ କରିଛି। ଯାଜପୁର ସହରରେ କଂଗ୍ରେସ ନେତା ଓ ସଙ୍ଗଠକମାନେ କଳାପତାକା ସହିତ ଏକ ଶୋଭାଯାତ୍ରାରେ ସଭାମଞ୍ଚ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ମେଡ଼ିକାଲ ଛକ ନିକଟରେ ପୁଲିସ ଅଟକାଇଥିଲା। ଏହି ସମୟରେ ୫-ଟି ସାର୍ଟ ପିନ୍ଧିଥିବା ଯୁବକମାନେ ଠେଙ୍ଗାବାଡ଼ି ଧରି କଂଗ୍ରେସ ଆନ୍ଦୋଳନକାରୀଙ୍କ ଆଡ଼କୁ ମାଡ଼ିଯାଇଥିଲେ। ଉଭୟ ପକ୍ଷ ମୁହାଁମୁହିଁ ହେବାରୁ କିଛି ସମୟ ଉତ୍ତେଜନା ଲାଗିରହିଥିଲା। କଂଗ୍ରେସ ଆନ୍ଦୋଳନକାରୀ ଧାରଣା ଦେଇଥିଲେ। ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ସଭାସ୍ଥଳରେ ଫୁଲ, ବାହାରେ କଳାପତାକା; ଥାନାରେ ମାମଲା
ଏସ୍ଏଚ୍ଜି ମହିଳା ଓ କଲେଜ ଛାତ୍ରଛାତ୍ରୀଙ୍କ ସମାବେଶରେ ସଚିବଙ୍କ ଅନେକ ଘୋଷଣା
ବିଜେପି ସମ୍ପୂର୍ଣ୍ଣ ନିରବ
ସେହିପରି ବ୍ୟାସନଗର ଗୋପବନ୍ଧୁ ଛକରୁ ମହିଳା କଂଗ୍ରେସ କର୍ମକର୍ତ୍ତାମାନେ କଳାଶାଢ଼ି ପିନ୍ଧି କଳାପତାକା ସହିତ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଚାନ୍ଦମା ପଡିଆ ଯାଉଥିଲେ। ପୁଲିସ ସେମାନଙ୍କୁ ଚୋରଦା ଛକରେ ଅଟକାଇଥିଲା। ସଭାସ୍ଥଳରେ କେତେକ ଯୁବ କଂଗ୍ରେସ କର୍ମୀ ପାଣ୍ଡିଆନ ଗୋ ବ୍ୟାକ୍ ସ୍ଲୋଗାନ ଦେବା ସହିତ କଳାପତାକା ପ୍ରଦର୍ଶନ କରୁଥିବା ବେଳେ ପୁଲିସ ଘଉଡ଼ାଇ ଦେଇଥିଲା। ପ୍ରକାଶ ଥାଉକି, ଆଜି ସକାଳେ ପ୍ରାୟ ୧୦ଟା ୩୦ ବେଳକୁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ହେଲିକପଟର୍ ଯୋଗେ ଆସି ଚାନ୍ଦମା ପଡ଼ିଆରେ ପହଞ୍ଚିଥିଲେ। ହେଲିପ୍ୟାଡ୍ଠାରୁ ସଭାମଞ୍ଚ ପର୍ଯ୍ୟନ୍ତ ଉପସ୍ଥିତ ମହିଳାମାନଙ୍କ ସହିତ ହାତ ମିଳାଇଥିଲେ। ମହିଳାମାନେ ତାଙ୍କ ଉପରେ ଫୁଲବର୍ଷା କରିଥିଲେ। କେତେକ ମହିଳା ରାଖି ବାନ୍ଧିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ନୂତନ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି ବୋଲି ସଚିବ ଶ୍ରୀ ପାଣ୍ଡିଆନ ମତବ୍ୟକ୍ତ କରିଥିଲେ। ୨୦୦୧ ରୁ ମହିଳାଙ୍କ ସଶକ୍ତୀକରଣ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଆସିଛନ୍ତି। ରାଜ୍ୟରେ ୭୦ଲକ୍ଷ ମହିଳା ଏସଏଚଜିରେ ସାମିଲ ହୋଇଛନ୍ତି। ୧୧ହଜାର ୩ଶହ କୋଟି ଋଣ ନେଇ ସ୍ବାବଲମ୍ବୀ ହେଉଛନ୍ତି। ଏହି କ୍ଷେତ୍ରରେ ଯାଜପୁର ସର୍ବାଗ୍ରେ ରହିଛି। କେବଳ ଯାଜପୁର ଏସଏଚ୍ଜି ଗତ ବର୍ଷ ୫୪୦କୋଟି ଟଙ୍କା ଋଣ ନେଇଛନ୍ତି ବୋଲି ସେ କହିଥିଲେ। ମହିଳା ଫେଡେରେସନ କର୍ମକର୍ତ୍ତାଙ୍କୁ ଦରମା, ଗାଡ଼ି ଓ ସଂଗଠନ ପାଇଁ ଘର ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଥିଲେ।
ପରବର୍ତ୍ତୀ କାର୍ଯ୍ୟକ୍ରମ ଯାଜପୁର ଟାଉନ କୁସୁମା ପଡ଼ିଆରେ ଜିଲ୍ଲାର ୬୫ ମହାବିଦ୍ୟାଳୟର ହଜାର ହଜାର ଛାତ୍ରୀଙ୍କୁ ସଚିବ ଶ୍ରୀ ପାଣ୍ଡିଆନ ସମ୍ବୋଧିତ କରି ସମସ୍ତ ମହାବିଦ୍ୟାଳୟ ୫-ଟି ଅନ୍ତର୍ଭୁକ୍ତ କରି ସ୍ମାର୍ଟ କ୍ଲାସ ରୁମ୍ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହିଥିଲେ। ଏଥିପାଇଁ ୬୫ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାର ମହିଳା ଓ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯାଇଥିଲା। ଆଜିର ବିରୋଧ କାର୍ଯ୍ୟକ୍ରମକୁ ଟାଉନ୍ରେ କଂଗ୍ରେସ ଜିଲ୍ଲା ସଭାପତି ମନୋଜ ରାଉତ, ବିଧାନସଭା ପ୍ରାର୍ଥୀ ସନ୍ତୋଷ ନନ୍ଦ ନେତୃତ୍ବ ନେଇଥିବା ବେଳେ ବ୍ୟାସନଗରରେ ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡା, ଜିଲ୍ଲା ମହିଳା ସଭାନେତ୍ରୀ ରୀତାଶ୍ରୀ ମହାନ୍ତି, ଆରତି ସ୍ୱାଇଁ, ଆରତି ଦେଓ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟବ୍ରତ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ୫-ଟି ଗଞ୍ଜି ପିନ୍ଧା ଯୁବକଙ୍କ ବିରୋଧରେ କଂଗ୍ରେସ ଏତଲା ଦେଇଛି। କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲ୍ଲା ସଭାପତି ମନୋଜ ରାଉତ ଚେତାବନୀ ଦେଇଛନ୍ତି।