ପୁରୀ ସ୍ବର୍ଗଦ୍ବାରରେ ପଣ୍ତିତ ଦାମୋଦର ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ବିଶେଷଜ୍ଞ ପଣ୍ତିତ ଡଃ ଦାମୋଦର ହୋତାଙ୍କ ପାର୍ଥୀବ ଶରୀର ଆଜି ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ବର୍ଗତ ହୋତାଙ୍କୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତାଙ୍କ ଜ୍ୟୋଷ୍ଠ ପୁତ୍ର ଶିବାଶିଷ ହୋତା ମୁଖାଗ୍ନି ଦେଇଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୮୭ ବର୍ଷ ବୟସ ହୋଇଥିଲା । ଗତ ଶନିବାର ରାତିରେ ତାଙ୍କର ଦେହାନ୍ତ ହୋଇଥିଲା । ପୁରୀ ସ୍ବର୍ଗଦ୍ବାର ଠାରେ ତାଙ୍କ କନିଷ୍ଠ ଭ୍ରାତା ଶ୍ୟାମସୁନ୍ଦର ହୋତା, ସାନ ପୁଅ ଦୁର୍ଗାଶିଷ ହୋତା, ତିନି ଝିଅ ପ୍ରିୟମ୍ବଦା ମିଶ୍ର, କଳ୍ପନା ପାଢୀ, ମାନସୀ ହୋତା, ତିନି ଜ୍ବାଇଁ, ପୁତୁରା ଦେବାଶିଷ ହୋତା, ଆତ୍ମୀୟ ସ୍ବଜନ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ସ୍ବର୍ଗତ ହୋତାଙ୍କ ମର ଶରୀର ପୁରୀରେ ପହଞ୍ଚିବା ପରେ ଗୌଡବାଡସାହିସ୍ଥିତ ତାଙ୍କ ନିଜସ୍ବ ବାସଭବନ, ଜମ୍ବେଶ୍ବର, ଅଡଙ୍ଗ ତିୱାଡି ଯାଗା, ସାହି ଠାକୁରାଣୀ, ଗୌଡବାଡ ସାହି ଓ ହରଚଣ୍ତି ସାହି ଆଖଡା ନିଆଯାଇଥିଲା । ସେଠାରେ ଜ୍ଞାତିକୁଟୁମ୍ବ ଓ ଅନ୍ୟମାନେ ସ୍ବର୍ଗତ ହୋତାଙ୍କୁ ଶେଷ ଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ରିଜର୍ଭ ଇନିସପେକ୍ଟର ଚନ୍ଦ୍ରଶେଖର ଦାଶ, ସମୁଦ୍ରକୂଳ ଥାନାଧିକାରୀ ଚିନ୍ମୟ ରାଉତ ପ୍ରମୁଖ ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।

ସମ୍ବନ୍ଧିତ ଖବର