ଭୁବନେଶ୍ୱର: ଭାରତୀୟ ସାଂସ୍କୃତିକ ବିଚାରଧାରା ଓ ସ୍ୱତନ୍ତ୍ର ଅର୍ଥନୈତିକ ଚିନ୍ତାଧାରାର ପ୍ରସାର କ୍ଷେତ୍ରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସର୍ବାଧିକ ଅବଦାନ ରହିଛି। ଜଣେ ମୌଳିକ ଚିନ୍ତାନାୟକ ଭାବେ ଦେଶ ପ୍ରତି ତାଙ୍କର ଅନେକ ଅବଦାନ ରହିଛି। କିନ୍ତୁ ଇତିହାସରେ ତାଙ୍କୁ ଯେଉଁ ସମ୍ମାନ ମିଳିବାର କଥା, ତାହା ମିଳିପାରି ନାହିଁ। ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଭଳି ଜଣେ ମହାନ ବ୍ୟକ୍ତିତ୍ବଙ୍କ ପ୍ରତି ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦା ପ୍ରଦାନ କରିବାର ପ୍ରକୃଷ୍ଟ ସମୟ ଆସିଛି। ଦେଶ ପ୍ରତି ପଣ୍ଡିତ ଦୀନଦୟାଲଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏବଂ ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ରାଜ୍ୟ ସରକାର ତାଙ୍କ ନାମରେ ଭୁବନେଶ୍ୱରରେ ଏକ ସୁଦୃଶ୍ୟ ପାର୍କ ନିର୍ମାଣ କରିବେ। ସେହି ପାର୍କରେ ପଣ୍ଡିତ ଦୀନଦୟାଲଙ୍କ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ମଧ୍ୟ ପ୍ରତିଷ୍ଠା କରାଯିବ। ଆଜି ସ୍ଥାନୀୟ ଜୟଦେବ ଭବନରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।

Advertisment

ଅନ୍ୟତମ ଅତିଥି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଥିଲେ ଭାରତବର୍ଷର ଅନନ୍ୟ ରାଜନୀତିଜ୍ଞ ଓ ବିଶିଷ୍ଟ ଦାର୍ଶନିକ। ଭାରତବର୍ଷରେ ଏକ ନୂତନ ଦର୍ଶନ ତତ୍ତ୍ବ ସେ ଆରମ୍ଭ କରିଥିଲେ। ଆଜି ରାଜ୍ୟ ସରକାର ପଣ୍ଡିତ ଜୀଙ୍କ ଏକାତ୍ମ ମାନବବାଦ ଓ ଅନ୍ତ୍ୟୋଦୟ ତତ୍ତ୍ବକୁ ଆଧାର କରି ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବା ପାଇଁ ଚେଷ୍ଟା ଜାରି ରଖିଛି। ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ଭୁବନାନନ୍ଦ ତ୍ରିପାଠୀ ପଣ୍ଡିତ ଦୀନଦୟାଲଙ୍କ ଜୀବନୀ, ଦର୍ଶନ ଓ ରାଜନୈତିକ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ଉପଦେଷ୍ଟା ଗୋଲକ ପ୍ରସାଦ ମହାପାତ୍ର କହିଲେ, ପଣ୍ଡିତ ଦୀନଦୟାଲଙ୍କ ଏକାତ୍ମ ମାନବବାଦର ଦର୍ଶନକୁ  ଶାସନର ୧୦୦ ଦିନ ମଧ୍ୟରେ କାମରେ କରି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନା ଓ ଲୋକ ସଂପର୍କ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ସ୍ବାଗତ ଭାଷଣ ଦେଇଥିଲେ।