ଭୁବନେଶ୍ୱର: ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ସେ ତତ୍‌କାଳୀନ ସମାଜରେ ପ୍ରଚଳିତ ଏକାଧିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ। ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ନୀଳକଣ୍ଠ ସକ୍ରିୟ ଯୋଗ ଦେଇଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ପଦମଣ୍ଡନ କରିବା ସହିତ ସେ ଓଡ଼ିଶା ସାହିତ୍ୟ ଏକାଡେମିର ପ୍ରଥମ ସଭାପତି ଥିଲେ। ସେ ଥିଲେ ଏକାଧାରରେ ସଂଗ୍ରାମୀ, ସଂସ୍କାରକ, ଅଧ୍ୟାପକ, ଶିକ୍ଷାବିତ୍‌, ରାଜନେତା, ବାଗ୍ମୀ ଓ ସୁଲେଖକ। ଓଡ଼ିଶା ଇତିହାସରେ ତାଙ୍କର କୃତି ଓ କୀର୍ତ୍ତି ଚିର ଉଜ୍ଜ୍ୱଳ ରହିବ ବୋଲି ଆଜି ତାଙ୍କ ଜୟନ୍ତୀ ଉତ୍ସବରେ ଉପସ୍ଥିତ ଅତିଥି ମତ ରଖିଛନ୍ତି।

Advertisment

ପଣ୍ଡିତ ନୀଳକଣ୍ଠ ଦାସଙ୍କର ୧୪୧ତମ ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ବାବୁ ସିଂ, ଗଣେଶ୍ୱର ବେହେରା ଓ ପ୍ରକାଶ ଚନ୍ଦ୍ର ସେଠୀ, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା, ପୂଜ୍ୟପୂଜା ସଂସଦର ସଭାପତି ପ୍ରଦ୍ୟୁମ୍ନ ଶତପଥୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର, ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ତ୍ରିବିକ୍ରମ ପ୍ରଧାନ ପ୍ରମୁଖ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। 

ଏହି ଅବସରରେ ବିଧାନସଭା ଗବେଷଣା ଶାଖା ପକ୍ଷରୁ ସଂକଳିତ ପୁସ୍ତକ ‘ସ୍ପିଚେସ୍ ଅଫ୍‌ ଫାଇନାନ୍ସ ମିନିଷ୍ଟର୍‌ ଅଫ୍‌ ଓଡ଼ିଶା ଫ୍ରମ୍‌ ୨୦୨୨ ଟୁ ୨୦୨୫-୨୬’କୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ଶ୍ରୀ ଅବିନାଶ ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।