ନୂଆଦିଲ୍ଲୀ: ବିଶିଷ୍ଟ ଉର୍ଦ୍ଦୁ କବି ଗୁଲଜାର ଓ ସଂସ୍କୃତ ପଣ୍ଡିତ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଗୁଲଜାର ନାମରେ ପରିଚିତ ସମ୍ପୂରଣ ସିଂହ କାଲରା ହିନ୍ଦୀ ସିନେମାରେ ତାଙ୍କର କାର୍ଯ୍ୟ ପାଇଁ ଜଣାଶୁଣା ଏବଂ ତାଙ୍କୁ ଏହି ଯୁଗର ଅନ୍ୟତମ ଶ୍ରେଷ୍ଠ ଉର୍ଦ୍ଦୁ କବି ଭାବରେ ବିବେଚନା କରାଯାଏ। ଅପରପକ୍ଷେ ଚିତ୍ରକୂଟସ୍ଥିତ ତୁଳସୀ ପୀଠର ପ୍ରତିଷ୍ଠାତା ତଥା ମୁଖ୍ୟ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରସିଦ୍ଧ ହିନ୍ଦୁ ଆଧ୍ୟାତ୍ମିକ ନେତା, ଶିକ୍ଷାବିତ୍ ଏବଂ ୪ଟି ମହାକାବ୍ୟ ସମେତ ୨୪୦ରୁ ଅଧିକ ପୁସ୍ତକର ଲେଖକ। ଜ୍ଞାନପୀଠ ଚୟନ କମିଟି ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି।

Advertisment

ଗୁଲଜାରଙ୍କୁ ୨୦୦୨ରେ ଉର୍ଦ୍ଦୁ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦାସାହେବ ଫାଲକେ ପୁରସ୍କାର, ୨୦୦୪ରେ ପଦ୍ମଭୂଷଣ ଏବଂ ତାଙ୍କ କୃତି ପାଇଁ ଅତି କମ୍‌ରେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ୨୦୦୯ରେ ଓସ୍କାର ପୁରସ୍କାର ଓ ୨୦୧୦ରେ ଗ୍ରାମି ପୁରସ୍କାର ପାଇଥିବା ଚଳଚ୍ଚିତ୍ର ‘ସ୍ଲମ୍‌ଡଗ୍ ମିଲିୟନେୟାର’ର ଗୀତ ‘ଜୟ ହୋ’ ଏବଂ ‘ମାଚିସ୍’ (୧୯୯୬), ‘ଓଙ୍କାରା’ (୨୦୦୬), ‘ଦିଲ୍ ସେ...’ (୧୯୯୮) ଏବଂ ‘ଗୁରୁ’ (୨୦୦୭) ଭଳି ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ଗୀତ ଆଦି ତାଙ୍କର କେତେକ ଶ୍ରେଷ୍ଠ କୃତିର ଅନ୍ତର୍ଭୁକ୍ତ। ଦୀର୍ଘ ଚଳଚ୍ଚିତ୍ର ଯାତ୍ରା ସହ ଗୁଲଜାର ସାହିତ୍ୟ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପିତ କରିଛନ୍ତି। ଗୁଲଜାର ତାଙ୍କ କବିତା ମାଧ୍ୟମରେ ସବୁବେଳେ କିଛି ନା କିଛି ନୂଆ ସୃଷ୍ଟି କରିଛନ୍ତି। ରାମଭଦ୍ରାଚାର୍ଯ୍ୟ ରାମାନନ୍ଦ ସମ୍ପ୍ରଦାୟର ବର୍ତ୍ତମାନର ଚାରିଜଣ ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟଙ୍କ ମଧ୍ୟରୁ ଅନ୍ୟତମ। ୨୨ଟି ଭାଷା କହୁଥିବା ରାମଭଦ୍ରାଚାର୍ଯ୍ୟ ସଂସ୍କୃତ, ହିନ୍ଦୀ, ଅବଧି ଏବଂ ମୈଥିଳୀ ସମେତ ଅନେକ ଭାରତୀୟ ଭାଷାରେ ଜଣେ କବି ଓ ଲେଖକ ଅଟନ୍ତି। ୨୦୧୫ରେ ତାଙ୍କୁ ପଦ୍ମବିଭୂଷଣ ପୁରସ୍କାର ମିଳିଥିଲା। ୧୯୪୪ ମସିହାରେ ସ୍ଥାପିତ ଜ୍ଞାନପୀଠ ପୁରସ୍କାର ପ୍ରତିବର୍ଷ ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଏ। ସଂସ୍କୃତ ଭାଷା ପାଇଁ ଦ୍ୱିତୀୟ ଥର ଏବଂ ଉର୍ଦ୍ଦୁ ଭାଷା ପାଇଁ ପଞ୍ଚମ ଥର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପୁରସ୍କାର ରାଶି ୨୧ ଲକ୍ଷ ଟଙ୍କା, ବାଗ୍‌ଦେବୀଙ୍କ ପ୍ରତିମୂର୍ତ୍ତି ଓ ପ୍ରଶଂସାପତ୍ର ରହିଛି।