କୋହିନୁର ଓ ରାଧାରମଣ ପଞ୍ଜିକାକୁ ପଣ୍ଡିତସଭାର ସ୍ବୀକୃତି

ଶ୍ରୀମନ୍ଦିରରେ ଆରମ୍ଭ ହେଲା ବ୍ରାହ୍ମଣଭୋଜନ

ପୁରୀ : କୋଭିଡ୍‌ ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିଥିବା ଶ୍ରାଦ୍ଧ ସନ୍ତର୍ପଣ, ଅନ୍ନଦାନ, ଦରିଦ୍ର ନାରାୟଣ ସେବା, ଜନ୍ମତିଥି ଆଦିରେ ବ୍ରାହ୍ମଣଭୋଜନ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି। ବିଜ୍ଞ ପଣ୍ଡିତଙ୍କ ପରାମର୍ଶକ୍ରମେ କୋଭିଡ୍‌ କାଳରେ ବନ୍ଦ ରହିଥିବା ଏହି କାର୍ଯ୍ୟ ପ୍ରତିମାସର କୃଷ୍ଣପକ୍ଷ ଏକାଦଶୀ ଓ ଅମାବାସ୍ୟା ତିଥିରେ ପର୍ଯ୍ୟାୟକ୍ରମେ ସଂପାଦାନ କରାଯାଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁକ୍ତିମଣ୍ଡପ ପଣ୍ଡିତସଭା କହିଛନ୍ତି। ଏଥିସହିତ, ମୁକ୍ତିମଣ୍ଡପ ପଣ୍ଡିତସଭା କୋହିନୁର ଓ ରାଧାରମଣ ପଞ୍ଜିକାକୁ ସ୍ବୀକୃତି ପ୍ରଦାନ କରିଛନ୍ତି।

କରୋନା ଯୋଗୁଁ ଶ୍ରୀମନ୍ଦିର ବନ୍ଦ ରହିବାରୁ ଗତ ୧୦ ମାସ ହେଲା ଏହି କାର୍ଯ୍ୟ ସଂପାଦନ ହୋଇ ପାରୁନଥିଲା। ଏବେ ମୁକ୍ତିମଣ୍ଡପ ପଣ୍ଡିତସଭା ପୁଣିଥରେ ଏହି କାର୍ଯ୍ୟ ଆରମ୍ଭ କରିଛି। କୋଭିଡ୍‌ ପାଇଁ ଗତ ମାର୍ଚ୍ଚରୁ ନଭେମ୍ବର ମାସ ଭିତରେ ଯେଉଁମାନଙ୍କ ବ୍ରାହ୍ମଣ ଭୋଜନ ବନ୍ଦ ରହିଥିଲା, ‌ପ୍ରତିମାସ କୃଷ୍ଣପକ୍ଷ ଏକାଦଶୀ ଓ ଅମାବାସ୍ୟାରେ ଏ ବାବଦ ବ୍ରାହ୍ମଣଭୋଜନ ଦିଆଯାଉଛି। ଏ ସମ୍ପର୍କରେ ସୂଚନା ଦେଇ ମୁକ୍ତିମଣ୍ଡପ ପଣ୍ଡିତସଭାର କାର୍ଯ୍ୟକାରୀ କାର୍ଯ୍ୟକାରୀ ସଭାପତି ଅାଦିତ୍ୟ ହୃଦୟ ମିଶ୍ର କହିଛନ୍ତି, ଗଜପତି ମହାରାଜଙ୍କ ପୃଷ୍ଠପୋଷକତା ଓ ଗୋବର୍ଦ୍ଧନ ପୀଠାଧୀଶଙ୍କ ସ୍ଥାୟୀ ସଭାପତିତ୍ବରେ ମୁକ୍ତିମଣ୍ଡପ ପଣ୍ଡିତସଭାର ସୃଷ୍ଟି। ଏହା ଏକ ଧାର୍ମିକ ଅନୁଷ୍ଠାନ। ଏହି ଅନୁଷ୍ଠାନ ଦ୍ବାରା ଦାନ, ହୋମ, ଯଜ୍ଞ, ଗରିବ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ, ଦରିଦ୍ର ନାରାୟଣ ସେବା, ଶ୍ରାଦ୍ଧସନ୍ତର୍ପଣ ଆଦି କାର୍ଯ୍ୟ ସଂପାଦାନ ହୋଇ ଆସୁଛି। ବିଭିନ୍ନ ବ୍ୟକ୍ତିବିଶେଷ ପ୍ରତିବର୍ଷ ଏଥିପାଇଁ ମୁକ୍ତିମଣ୍ଡପ ପଣ୍ଡିତସଭାକୁ କିଛି ଟଙ୍କା ଦେଇଥାନ୍ତି। ବ୍ୟକ୍ତିମାନେ ସର୍ବନିମ୍ନ ୫ହଜାରରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇଥାନ୍ତି। ଏହି ଟଙ୍କାକୁ ମୁକ୍ତିମଣ୍ଡପ ପଣ୍ଡିତସଭା ଶ୍ରୀମନ୍ଦିର ଶାଖା ବ୍ୟାଙ୍କରେ ସ୍ଥାୟୀ ଜମା ରଖିଥାଏ। ସ୍ଥାୟୀ ଜମାରୁ ଆସୁଥିବା ବାର୍ଷିକ ସୁଧର ଶତକଡ଼ା ୮୫ ଭାଗ ଅର୍ଥ ଏହି କାର୍ଯ୍ୟରେ ଖର୍ଚ୍ଚ କରାଯାଏ। ବାକି ୧୫ ପ୍ରତିଶତ ପ୍ରଶାସନିକ କାର୍ଯ୍ୟ ବାବଦକୁ ଖର୍ଚ୍ଚ କରାଯାଇଥାଏ।

ଅନ୍ୟପକ୍ଷରେ, ସଙ୍ଗଠନ ବିରୋଧୀ କାର୍ଯ୍ୟ ତଥା ବିଶୃଙ୍ଖଳିତ ଆଚରଣ ପାଇଁ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ପରିଷଦର ସଭ୍ୟ ସୂର୍ଯ୍ୟନାରାୟଣ ରଥ, ପ୍ରତିନିଧି ସଭାର ସଭ୍ୟ ହରିଶଙ୍କର ମିଶ୍ର ଓ ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ବହିଷ୍କାର କରାଯାଇଥିବା ମୁକ୍ତିମଣ୍ଡପ ପଣ୍ଡିତସଭାର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର