ପୁରୀ: ଶ୍ରୀମନ୍ଦିର‌ରେ ଆଜି ପଣ୍ଡୁ ନୃସିଂହ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ପଣ୍ଡୁ ନୃସିଂହ ଆଜି ସ୍ବତନ୍ତ୍ର ବିମାନରେ ଶ୍ରୀକ୍ଷେତ୍ରରେ ଥିବା ପ୍ରାଚୀନ ଚାରି ଆଶ୍ରମ ବିଜେ କରିଛନ୍ତି। ଏ ନେଇ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ମାର୍ଗଶିର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ପଣ୍ଡୁ ନୃସିଂହ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ନୀତି ଶେଷ ପରେ ପଣ୍ଡୁ ନୃସିଂହ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଭିତର ସେବାୟତମାନେ ପଣ୍ଡୁ ନୃସିଂହଙ୍କୁ ଭିତର ସିଂହାସନକୁ ବିଜେ କରାଇଥିଲେ।

Advertisment

ସେଠାରେ ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ପ୍ରଦାନ କରିବା ପରେ ପଣ୍ଡୁ ନୃସିଂହଙ୍କୁ ବିମାନରେ ବିଜେ କରାଯାଇଥିଲା। ରୁନ୍ଧା ସରିବା ପରେ ବିମାନବଡ଼ୁ ସେବକମାନେ ବିଜେ ବିମାନକୁ ସିଂହଦ୍ବାର ଦେଇ ବାହାରକୁ ଆଣିବା ସହ ମାର୍କଣ୍ଡ, ଅଙ୍ଗିରା, ଭୃଗୁ ଓ କଣ୍ଡୁ ଆଦି ଶ୍ରୀକ୍ଷେତ୍ରର ପ୍ରାଚୀନ ଚାରି ଆଶ୍ରମ ବିଜେ କରାଇଥିଲେ। ଶୀତଳ ଭୋଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହେବା ପରେ ପଣ୍ଡୁ ନୃସିଂହଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ବିମାନ ଯୋଗେ ପୁନର୍ବାର ସିଂହଦ୍ବାର ଦେଇ ଫେରିବା ପରେ ପଣ୍ଡୁ ନୃସିଂହଙ୍କୁ ଦକ୍ଷିଣ ଘରେ ବିଜେ କରାଯାଇଥିଲା। ପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ମଇଲମ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ଟୋପର ଲାଗି ହୋଇ ରାତ୍ରପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା।