ଅନୁଗୁଳ: ‘ଗୋଟିଏ ଦଶନ୍ଧି ଧରି ଆପଣ କେନ୍ଦ୍ରରେ କ୍ୟାବି‌ନେଟ୍ ମନ୍ତ୍ରୀ ଅଛନ୍ତି। ଆପଣ ଚାହିଁଥିଲେ ଏହି ଅଞ୍ଚଳକୁ ସୁନା କରି ଦେଇଥାନ୍ତେ। ଏ ଅଞ୍ଚଳର ରୋଜଗାର ବଢ଼ିଥାନ୍ତା। ଏ ଅଞ୍ଚଳର ଶିକ୍ଷାନୀତିର ସମ୍ପୂର୍ଣ୍ଣ ରୂପାନ୍ତର କରି ପାରିଥାନ୍ତେ। ହେଲେ ଆପଣ ନିଜ ମାଟିରେ ଗୋଟିଏ ସ୍କୁଲ ଖୋଲିପାରିଲେନି। ନିଜ ଗାଁରେ ଗୋଟେ ସ୍ମାର୍ଟ କ୍ଲାସ ରୁମ୍‌ କରିପାରିଲେନି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଜିଲ୍ଲା ଅନୁଗୁଳର ବଅଁରପାଳ ବ୍ଲକ୍‌ ଗଡ଼ସନ୍ତ୍ରୀଠାରେ ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ଦେଇ ଏମିତି କଡ଼ା କଡ଼ା କଥା କହିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସିଧା ସିଧା ଧର୍ମେନ୍ଦ୍ରଙ୍କୁ ପଚାରିଛନ୍ତି , ‘ମୁଁ ବିନମ୍ରତାର ସହ ପଚାରୁଛି- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ମାଟିର ସନ୍ତାନ। ଏ ମାଟି ତାଙ୍କୁ ନେଇ ଗର୍ବ କରିବା କଥା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସବୁଠୁ ଅଧିକ ସୁଯୋଗ ସେ ପାଇଛନ୍ତି। କେନ୍ଦ୍ରରେ ଦୀର୍ଘ ଦିନ ଧରି ପ୍ରଭାବଶାଳୀ ମନ୍ତ୍ରୀ ହୋଇ ରହିଛନ୍ତି। କିନ୍ତୁ ଏ ଅଞ୍ଚଳ ପାଇଁ ଆପଣଙ୍କର ଅବଦାନ କ’ଣ?’

Advertisment

ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ୩୦ଟି ଯାକ ବ୍ଲକରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ କମ୍ୟୁନିଟି କଲେଜ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିଥାନ୍ତେ। ଫଳରେ ଏ ଅଞ୍ଚଳର ପିଲାମାନେ ସିବିଏସ୍‌ଇ ପାଠ ପଢ଼ିବାର ସୁଯୋଗ ପାଇଥାନ୍ତେ। ମାତ୍ର ବିଡ଼ମ୍ବନା ହେଲା ଏତେ ବର୍ଷ ହେଲା ମନ୍ତ୍ରୀ ରହି ମଧ୍ୟ ନିଜ ଅଞ୍ଚଳ ପାଇଁ କିଛି କଲେ ନାହିଁ।
କେନ୍ଦ୍ରୀୟ ବିଦ୍ୟାଳୟ ଉଦାହରଣ ଦେଇ ଶ୍ରୀ ପାଣ୍ଡିଆନ କହିଲେ, ଗଞ୍ଜାମ ଜିଲ୍ଲାପାଳ ସେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସେଠାରେ ତିନିଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ହେଲେ କେନ୍ଦ୍ରମନ୍ତ୍ରୀ ଥାଇ ତାଙ୍କ ଜିଲ୍ଲାରେ ମାତ୍ର ଦୁଇଟି ଇନଷ୍ଟିଟ୍ୟୁସନାଲ କେନ୍ଦ୍ରୀୟ ବିଦ୍ୟାଳୟ ରହିବା ଦୁର୍ଭାଗ୍ୟଜନକ। ସତ କଥା ହେଲା- କେନ୍ଦ୍ରମନ୍ତ୍ରୀଙ୍କ ନିଜ ପଞ୍ଚାୟତରେ ଥିବା ସ୍କୁଲକୁ ରାଜ୍ୟ ସରକାର ୫-ଟି ଉପକ୍ରମରେ ରୂପାନ୍ତର କରିଛନ୍ତି ଓ ସ୍ମାର୍ଟସ୍କୁଲ କରିଛନ୍ତି।

ଶିକ୍ଷା, ଦକ୍ଷତା ଓ ଜାତୀୟ ରାଜପଥ ପ୍ରସଙ୍ଗରେ ଜବାବ ମାଗିଲେ
୪୦ଥର ଗସ୍ତ କରିଛନ୍ତି, କିଛି ବି ବିକାଶ ହୋଇନି
ଥରକରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ୧୦୦ କୋଟି

ଦକ୍ଷତା ବିକାଶ ବିଭାଗ ସଂପର୍କରେ ପ୍ରଶ୍ନ ଉଠାଇ ଶ୍ରୀ ପାଣ୍ଡିଆନ ଆହୁରି କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ସବୁବେଳେ କହୁଛନ୍ତି ଯେ ଏ ଅଞ୍ଚଳର ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି। ସେ ନିଜେ ଦକ୍ଷତା ବିଭାଗର ମନ୍ତ୍ରୀ ଅଛନ୍ତି। ସେ ଚାହିଁଥିଲେ ଏ ଅଞ୍ଚଳର ସବୁ ବ୍ଲକରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିପାରିଥାନ୍ତେ। ଏ ଅଞ୍ଚଳରେ ଏମ୍‌ସିଏଲ୍, ନାଲକୋ ଭଳି ସଂସ୍ଥା ରହିଛି। ଦକ୍ଷତା ବିକାଶ ହୋଇଥିଲେ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼ ଆଦି ଅଞ୍ଚଳର ଯୁବ ପିଢି ଭଲ ଚାକିରି ପାଇଥାନ୍ତେ। ମାତ୍ର ଏଠାରେ କାହିଁକି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ହେଲା ନାହିଁ?

ଶ୍ରୀ ପାଣ୍ଡିଆନ ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ୫୫ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ କଟକରୁ ଅନୁଗୁଳ ଦେଇ ସମ୍ବଲପୁର ଯିବା ପାଇଁ ରହିଥିବା ୫୫ ନମ୍ବର ଜାତୀୟ ରାଜପଥ ଏତେ ବିପଜ୍ଜନକ ଯେ ପ୍ରତିଦିନ ଲୋକଙ୍କ ପ୍ରାଣ ଯାଉଛି। ଓଡ଼ିଶା ଭିତରେ ସବୁ ରାସ୍ତା ଭଲ। ଓଡ଼ିଶା ଦେଇ ଭାରତ ସରକାର ବିଛାଇଥିବା ଅନ୍ୟ ରାସ୍ତା ବି ଭଲ। କେବଳ ଧର୍ମେନ୍ଦ୍ର ବାବୁଙ୍କ ଅଞ୍ଚଳ ଦେଇ ଯାଇଥିବା ଗୋଟିଏ ରାଜପଥ କାହିଁକି ଅବହେଳିତ? ଯଦି ଜିଲ୍ଲାପାଳମାନେ ରାସ୍ତା ଠିକ୍ କରିପାରୁଛନ୍ତି, କେନ୍ଦ୍ରମନ୍ତ୍ରୀ କାହିଁକି କରିପାରୁନାହାନ୍ତି? କେବେ କାମ ସରିବ, ତାହା କାହାକୁ ଜଣାନାହିଁ ବୋଲି ଶ୍ରୀ ପାଣ୍ଡିଆନ କଟାକ୍ଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ମଧ୍ୟ ଶ୍ରୀ ପାଣ୍ଡିଆନ ପ୍ରଶ୍ନ ଉଠାଇବାକୁ ଭୁଲିନାହାନ୍ତି। ସେ କହିଛନ୍ତି,ଧର୍ମେନ୍ଦ୍ର ବାବୁ ୪୦ ଥର ଅନୁଗୁଳ ଗସ୍ତରେ ଆସିଛନ୍ତି। ପ୍ରତିଥର ଟିକିଏ ଟିକିଏ ବିକାଶମୂଳକ କାମ କରିଥିଲେ, ଅନୁଗୁଳର ବିକାଶ ଅନୁଭୂତ ହୋଇଥାନ୍ତା। ସେ ଗତ ଜୁନ ମାସରେ ଥରୁଟିଏ ଅନୁଗୁଳ ଗସ୍ତରେ ଆସିଥିଲେ। ଅନୁଗୁଳ ନିର୍ବାଚନମଣ୍ଡଳୀକୁ ୧୦୦ କୋଟି ଟଙ୍କା ଦେଇଥିଲେ। ରାଜନୀତିରେ ତାଙ୍କର ଦୀର୍ଘ ଅନୁଭୂତି ନାହିଁ, କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେବାର ଯୋଗ୍ୟତା ବି। ଏଣୁ ସେ ବିନମ୍ରତାର ସହିତ କହୁଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଞ୍ଚଳ ପାଇଁ ଓ ନିଜ କର୍ତ୍ତବ୍ୟ ସଂପର୍କରେ ଆତ୍ମସମୀକ୍ଷା କରନ୍ତୁ। ଯଦି ସେ ଏ ଅଞ୍ଚଳ ପାଇଁ ଠିକ୍ କାମ କରନ୍ତି, ତେବେ ନାମାଙ୍କନ ପତ୍ର ଦାଖଲ କରି ଘରେ ବସିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ୨ଲକ୍ଷ ଭୋଟରେ ବିଜୟୀ ହୋଇପାରିବେ ବୋଲି ଶ୍ରୀ ପାଣ୍ଡିଆନ କଟାକ୍ଷ କରିଥିଲେ। ଉଲ୍ଲେଖଥାଉକି, ଶ୍ରୀ ପାଣ୍ଡିଆନ ଧାମନଗର ଗସ୍ତ ବେଳେ ଦେଇଥିବା ବିବୃତି ଦୋହରାଇଥିଲେ।

ବିଜୁବାବୁଙ୍କଠୁ ବିଶ୍ବେଶ୍ୱର...
ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଠାରେ ଆୟୋଜିତ ସାଧାରଣ ସଭାରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିନ୍ନ ଢଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ପ୍ରବାଦ ପୁରୁଷ ବିଜୁ ବାବୁ କେନ୍ଦ୍ରରେ ମନ୍ତ୍ରୀ ଥିବା ବେଳେ ଓ ପରବର୍ତ୍ତୀ ସମୟରେ ସୁନାବେଡ଼ାରେ ହାଲ, ପାରାଦୀପରେ ବନ୍ଦର ପ୍ରତିଷ୍ଠା ଭଳି ବହୁ ବଡ଼ ବଡ଼ କାମ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଥିଲା ବେଳେ ପାରାଦୀପରେ ଆଇଓସିଏଲ୍‌ର ବଡ଼ କାରଖାନା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଓ ପରେ ସଫଳତା ମଧ୍ୟ ପାଇଥିଲେ। କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡ଼ୁ ତାଙ୍କ ଅଞ୍ଚଳରେ ଏକବଲ୍ୟ ସ୍କୁଲ୍‌ ପ୍ରତିଷ୍ଠା କରିଛନ୍ତି। ଜୁଏଲ୍‌ ଓରାମ କେନ୍ଦ୍ର ମନ୍ତ୍ରୀ ଥିଲା ବେଳେ ସୁନ୍ଦରଗଡ଼ରେ ଏକଲବ୍ୟ ସ୍କୁଲ୍‌ ପ୍ରତିଷ୍ଠା କରିଥିଲେ। ଚନ୍ଦ୍ରଶେଖର ସାହୁ କେନ୍ଦ୍ରରେ ରାଷ୍ଟ୍ର ମନ୍ତ୍ରୀ ଥିଲା ବେଳେ ଗଞ୍ଜାମ ଜିଲ୍ଲାକୁ ତିନିଟି କେନ୍ଦ୍ରୀୟ ବିଦ୍ୟାଳୟ ଆଣିଥିଲେ। କାମାକ୍ଷା ପ୍ରସାଦ ସିଂହଦେଓ କେନ୍ଦ୍ରରେ ମନ୍ତ୍ରୀ ଥିଲା ବେଳେ ଢେଙ୍କାନାଳରେ ଆଇଆଇଏମ୍‌ସି ପ୍ରତିଷ୍ଠା କରିଥିଲେ। କିନ୍ତୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ନିଜ ଅଞ୍ଚଳ ପାଇଁ ଅବଦାନ କ’ଣ?