କଟକ : ଦିନ ୧୦ଟାରୁ ରାତି ସାଢେ ୭ଟା ପର୍ଯ୍ୟନ୍ତ କଟକ ବଡମେଡିକାଲର ସର୍ଜରୀ ବିଭାଗ, ପୁଲିସ ଫାଣ୍ଡି, ପୁରୁଣା ଅଧୀକ୍ଷକଙ୍କ ଅଫିସ୍ ଓ ୱାର୍ଡ ରହିଥିଲା ଅନ୍ଧାରରେ। ଅସ୍ତ୍ରୋପଚାର ବନ୍ଦ ରହିଲା। ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ରୋଗୀ ଛଟପଟ ହେଲେ। ସର୍ଜରୀ ବିଭାଗରେ ଓଲଡିଂ ପାଇଁ ସଂଯୋଗ ନେବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ଟ୍ରାନ୍ସଫର୍ମର ପ୍ୟାନେଲ ବୋର୍ଡ ପୋଡି ଯିବା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜୁଥିଲା। ଏହାକୁ ନେଇ ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ସମୟ ଭିତରେ ବିଭିନ୍ନ କାରଣରୁ ୨ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ଏସ୍ସିବିରେ ଏଭଳି ବିଦ୍ୟୁତ ବିଭ୍ରାଟ ସାଙ୍ଗକୁ କେତେକ ୱାର୍ଡରେ ପଙ୍ଖା ନ ବୁଲିବା ଘଟଣା ଅସନ୍ତୋଷର କାରଣ ହୋଇଛି। ଏଭଳି ସ୍ଥିତିରେ ଆଜି ବର୍ଣ୍ଣ ୱାର୍ଡରେ ଥିବା ରୋଗୀ ବିଶେଷ ଭାବେ ସମସ୍ୟାରେ ପଡିଥିଲେ। ବାଲେଶ୍ବରରୁ ଆସିଥିବା ଜଣେ ରୋଗୀ କହିବା ଅନୁଯାୟୀ ତାଙ୍କର ୪ଦିନ ତଳେ ଅସ୍ତ୍ରୋପଚାର ହୋଇଥିଲା। ସେ ଏବେ ୪ର୍ଥ ମହଲାରେ ରହୁଛନ୍ତି। ପ୍ରବଳ ଗରମରେ ଛଟପଟ ହେବା ଛଡା ତାଙ୍କ ପାଖରେ ବିକଳ୍ପ ନାହିଁ ବୋଲି ସେ କହିଛନ୍ତି। ସର୍ଜରୀ ବିଭାଗରେ ଅସ୍ତ୍ରୋପଚାର ହେଉଥିବା ରୋଗୀଙ୍କ ପାଇଁ ଏସି ବ୍ୟବସ୍ଥା ନଥିବାରୁ ରୋଗୀମାନେ ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ସେ ଅଭିଯୋଗ କରିଛନ୍ତି। କେବଳ ବିଜୁଳି ସମସ୍ୟା ନୁହେଁ, ସର୍ଜରୀ ବିଭାଗର ବିଭିନ୍ନ ୱାର୍ଡରେ ଆସୁଥିବା ପାଣିରେ ଅଧିକ ବ୍ଲିଚିଂ ଭାଗ ଆସୁଥିବାରୁ ତାକୁ ପିଇ ହେଉ ନଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି।