ବିଧାନସଭା ଗୃହ ଓ ଲବିର ପୁନରୁଦ୍ଧାର ହେବ, ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ

ଭୁବନେଶ୍ବର : ବିଧାନସଭା ଗୃହ ଓ ଲବିର ପୁନରୁଦ୍ଧାର କରାଯିବ। ଏହାସହିତ ବିଧାୟକ ଓ ବିଧାୟିକାମାନଙ୍କ ବାସଗୃହ ଅଭାବ ସମସ୍ୟାକୁ ଦୂର କରିବା ପାଇଁ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଆଜି ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ପୂର୍ତ୍ତ ବିଭାଗ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ। ଏହି କମିଟିରେ ଅର୍ଥ, ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରତିନିଧି ସଦସ୍ୟ ରହିବେ। ଏହାସହିତ ପୂର୍ତ୍ତ ମୁଖ୍ୟଯନ୍ତ୍ରୀ ( କୋଠାବାଡ଼ି) ସଭ୍ୟ-ଆବାହକ ଭାବେ କାର୍ଯ୍ୟ କରିବେ। ବିଧାନସଭା ଗୃହକୁ ସ୍ମାର୍ଟ୍ କୋଠାରେ ପରିବର୍ତ୍ତିତ କରାଯିବା ସହ ନୂତନ ଆଲୋକମାଳାରେ ସଜ୍ଜିତ କରିବାକୁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ବାଚସ୍ପତି ଶ୍ରୀ ପାତ୍ର ପୂର୍ତ୍ତ ବିଭାଗ ଶାସନ ସଚିବ କ୍ରିଷନ୍ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା ପରିସରକୁ ଏନଆଇସି ସହାୟତାରେ ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ସହ ଵାଇଫାଇ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଅର୍ଥ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ପି.କେ. ନନ୍ଦ, ମୁଖ୍ୟ ସ୍ଥପତି ବିଶ୍ବରଞ୍ଜନ ନାୟକ, ମୁଖ୍ୟଯନ୍ତ୍ରୀ(କୋଠାବାଡ଼ି) ଏସ.ଆର୍ ସେଠୀ, ଏନ.ଆଇ.ସିର ଉପମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ଅଧିକାରୀ ପ୍ରତିଭା ସିଂହ, ବିଡିଏର ଅତିରିକ୍ତ କମିସନର ଏଚ୍.ସି. ନାୟକଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର