ଓଡ଼ିଶାରେ ପଙ୍ଗପାଳ ଆକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଉପରେ ପଙ୍ଗପାଳ ଆକ୍ରମଣ ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି। ଯଦିଓ ଅତୀତରେ କେବେ ଓଡ଼ିଶାକୁ ପଙ୍ଗପାଳ ଆସିବାର ନଜୀର ନାହିଁ, କିନ୍ତୁ ଯେହେତୁ ସେମାନେ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ମାଡ଼ିଆସିଲେଣି, ତେଣୁ ରାଜ୍ୟକୁ ଆସିବା ଆଶଙ୍କାକୁ ପୂରା ଏଡାଇ ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ ସାହୁ। ଏଥି ସହ ସେ କହିଛନ୍ତି ଯେ, ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ଲାଗି ଓୟୁଏଟି ପକ୍ଷରୁ ଚାଷୀମାନଙ୍କ ଲାଗି ଆଡଭାଇଜରି ଜାରି କରାଯାଇଛି। କୃଷି ବିଭାଗ ପକ୍ଷରୁ ପଙ୍ଗପାଳମାନଙ୍କର ଗତି ଉପରେ ନଜର ରଖାଯାଇଛି। ଯଦି ସେମାନେ ଓଡ଼ିଶା ମୁହାଁ ହୁଅନ୍ତି, ତେବେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଡ.ସାହୁ କହିଛନ୍ତି ଯେ, ୧୯୬୨ ମସିହାରେ ପ୍ରଥମ କରି ଭାରତରେ ପଙ୍ଗପାଳ ଆକ୍ରମଣ ହୋଇଥିଲା। ସେମାନେ ବହୁ ପରିମାଣରେ ଫସଲ ନଷ୍ଟ କରିଥିଲେ। ଏହା ପରେ ୧୯୯୩ ମସିହାରେ ଭାରତକୁ ମଧ୍ୟ ପଙ୍ଗପାଳମାନଙ୍କର ଆଗମନ ହୋଇଥିଲା। ତେବେ ଏହାର ମୁକାବିଲା କରାଯାଇପାରିଥିଲା। ମାତ୍ର ଏହି ୨ ଥର ଯାକ ଫଙ୍ଗପାଳ ଓଡ଼ିଶାକୁ ଛୁଇଁ ନାହାନ୍ତି । ବିଶେଷ କରି ପଙ୍ଗପାଳମାନେ ଉଷ୍ନ ଓ ମରୁ ଅଞ୍ଚଳକୁ ଆସିଥାଆନ୍ତି। ତେଣୁ ଓଡ଼ିଶାକୁ ସେମାନଙ୍କର ଆକ୍ରମଣରୁ ବାଦ ରହିଛି।

ଅନ୍ୟପକ୍ଷରେ ପଙ୍ଗପାଳମାନେ କିଭଳି ଭୟାନକ ସେ ସଂପର୍କରେ ମଧ୍ୟ ମନ୍ତ୍ରୀ ଡ. ସାହୁ ତଥ୍ୟ ପ୍ରଦାନ କରିଛନ୍ତି। ଏକ ବର୍ଗ କିଲୋମିଟର ଅଞ୍ଚଳରେ ୮କୋଟି ପଙ୍ଗପାଳ ରହିପାରନ୍ତି ଓ ଦିନକୁ ପବନର ଗତି ଅନୁସାରେ ୨୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରନ୍ତି। ତେଣୁ ମଧ୍ୟପ୍ରଦେଶରେ ପ୍ରବେଶ କରିଥିବା ପଙ୍ଗପାଳ ଓଡ଼ିଶାରେ ଦାଖଲ ହେବା କିଛି ବଡ଼ କଥା ନୁହେଁ।

ସମ୍ବନ୍ଧିତ ଖବର