ଏବେ ଚେତିଲା ବନ ବିଭାଗ : ବଜ୍ରକାପ୍ତା ଶିକାରୀ ଧରିବାକୁ ସବୁ ଡିଏଫ୍ଓଙ୍କୁ ନିର୍ଦେଶ, ବସଷ୍ଟାଣ୍ଡ ଓ ରେଳଷ୍ଟେସନ ଉପରେ ଚଢ଼ଉ ହେବ

ଆଠଗଡ଼ରେ କିଙ୍ଗପିନ୍‌ ମାଧବକୁ ଧରାଇଲା ମୋବାଇଲ
କାରବାରରେ ବ୍ୟବହୃତ ସାଙ୍କେତିକ ମୁଦ୍ରା ଓ କୋଡିଂ ଜବତ

ଭୁବନେଶ୍ବର/କଟକ : ବିଳମ୍ବରେ ହେଲେ ବି ଅତି ସମ୍ବେଦନଶୀଳ ପ୍ରାଣୀ ବଜ୍ରକାପ୍ତା ସୁରକ୍ଷା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଢିଛନ୍ତି। ଗୋଟିଏ ପଟେ ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା ଆଜି ସକାଳେ ପାଙ୍ଗୋଲିନ୍ କାରବାରର ଅନ୍ୟତମ କିଙ୍ଗ୍‌ପିନ୍ ମାଧବକୁ ଗିରଫ କରିଥିବା ସୂଚନା ମିଳିଛି। ଅନ୍ୟପଟେ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ସମସ୍ତ ଡିଏଫ୍ଓଙ୍କୁ ନିର୍ଦେଶ ଦିଆଯାଇଛି େଯ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ଧର। କେବଳ ସେତିକି ନୁହେଁ, ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ବଜ୍ରକାପ୍ତା ଅତ୍ୟନ୍ତ ଛୋଟ ଓ ନିରୀହ ପ୍ରାଣୀ। ଏହାକୁ ବ୍ୟାଗ ବା ଅଖାରେ ପୂରାଇ ବସ ବା ରେଳଯୋଗେ ଯେ କେହି ନେଇ ଯାଇପାରିବେ। ଏଣୁ ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେସନ ଉପରେ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ଚଢଉ କରିବା ଲାଗି ଡିଏଫ୍ଓଙ୍କୁ କୁହାଯାଇଛି।

ରାଜ୍ୟରେ ପାଖାପାଖି ୫୦ରୁ ଅଧିକ ବଡ଼ ମାଫିଆ ସକ୍ରିୟ ରହିଥିବା ପରିପ୍ରେକ୍ଷୀରେ ବଜ୍ରକାପ୍ତା ବଂଶ ଲୋପ ପାଇଯିବ ବୋଲି ଆଶଙ୍କା ପ୍ରକାଶ କରି ‘ସମ୍ବାଦ’ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ସୁଦ୍ଧା ଆଠଗଡରେ ୧୬ଜଣଙ୍କୁ ଏହି ଘଟଣାରେ ଧରାଯାଇଛି। ୨୦ରୁ ଅଧିକ ବଜ୍ରକାପ୍ତା କିନ୍ତୁ ଚାଲାଣ ସରିଲାଣି। କୋଲକାତାରେ ବଜ୍ରକାପ୍ତା ମାଂସ କେଜି ପିଛା ୨୨ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହାର ଏକ କେଜି କାତିର ମୂଲ୍ୟ ୨ଲକ୍ଷ ୧୬ ହଜାର ଟଙ୍କା।

ଏଣୁ ଓଡ଼ିଶାର ଶିକାରୀମାନେ ସକ୍ରିୟ ହୋଇଉଠିଛନ୍ତି ଓ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ନିୟମିତ ଓଡ଼ିଶାର ବିଭିନ୍ନ ଜଙ୍ଗଲରୁ ବଜ୍ରକାପ୍ତା ଚୋରା ଚାଲାଣ ଜାରି ରହିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି ବନବିଭାଗ ଏହି ରୢାକେଟ୍‌ ପଛର କିଙ୍ଗପିନ୍‌ ତଥା ବିଭିନ୍ନ ସାଙ୍କେତିକ ମୁଦ୍ରା, ଟଙ୍କା ବ୍ୟବହାର କରି ବେପାର ଚଳାଇ ଆସୁଥିବା କଟକ ଜିଲ୍ଲାର କାନପୁର ନିମସାହିର ମାଧବ ଚନ୍ଦ୍ର ପାତ୍ରଙ୍କୁ ଗିରଫ କରିଛି। ରିମାଣ୍ଡରେ ଆସିଥିବା ଶ୍ବଶୁର-ଜ୍ବାଇଁଙ୍କ ସୂଚନାକୁ ଆଧାର କରି ମାଧବ ପାଖରେ ପହଞ୍ଚିଛି ବନବିଭାଗ। ତେବେ ଘଟଣା ପରଠାରୁ ଫେରାର୍‌ ଥିବା ମାଧବକୁ ଧରିବା ପାଇଁ ବନବିଭାଗ ସାଇବର ସେଲ୍‌ର ସହାୟତା ନେଇଥିଲା ଓ ମୋବାଇଲ ଫୋନ୍‌ ହିଁ ଆଜି ତାଙ୍କୁ ଧରାଇଛି। ‌ବାରଙ୍ଗ ଥାନା ଗୋଡ଼ିସାହି ଅଞ୍ଚଳରୁ ତାକୁ ଗିରଫ କରାଯାଇଥିବା ବେଳେ ତା ପାଖରୁ ବଜ୍ରକାପ୍ତା ଚୋରାଚାଲାଣ ପାଇଁ ଏଜେଣ୍ଟମାନଙ୍କୁ ପଠାଯାଉଥିବା ଗୁରୁତ୍ବପୂର୍ଣ୍ଣ ଭିଡିଓ, ବିଭିନ୍ନ କୋଡ୍‌ ନମ୍ବର ଓ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି।

ମାଧବ ଚନ୍ଦ୍ର ପାତ୍ରଙ୍କଠାରୁ ମିଳିଥିବା ଭିଡିଓ (ଡିସେମ୍ବର ୨ ତାରିଖ)ରେ ଅଖା ଭିତରେ ତାଙ୍କ ନାମର ଏକ ଚିଟ୍ ସହ ବଜ୍ରକାପ୍ତା ରଖାଯାଇଥିଲା। ସେଥିରେ ୧୦ଟଙ୍କା ରଖାଯାଇଥିଲା, ଯାହାର ଅର୍ଥ ଉକ୍ତ ବଜ୍ରକାପ୍ତାର ଓଜନ ୧୦କେଜି ବୋଲି କୁହାଯାଉଛି। ୧୭ଟି ଗାର ଓ ସୂର୍ଯ୍ୟ ଚିହ୍ନ ଥିବା ଟଙ୍କିକିଆ କଏନ୍‌, ସୂର୍ଯ୍ୟ ଚିହ୍ନ ଥିବା ୨୫ପଇସା କଏନ୍‌, ୨୦୦୧ ଓ ୨୦୦୨ ମସିହାର ପୁରୁଣା ୫ଶହ ଟଙ୍କା, ଛତୁ ଚିହ୍ନ ଥିବା ବଡ଼ ୨ଟଙ୍କିଆ କଏନ୍‌ ତଥା ବିଭିନ୍ନ ମସିହା ଲେଖା ହୋଇଥିବା କାଗଜ ଓ ଭିଡିଓ ସବୁ ଜବତ୍‌ ହୋଇଛି। ଜବତ୍‌ କୋଡ ୱାର୍ଡକୁ ନେଇ ବନବିଭାଗ ଖୋଳତାଡ ଆରମ୍ଭ କରିଛି। କେଉଁ ମସିହାର କଏନ୍‌କୁ ସାଙ୍କେତିକ ଭାବେ କେତେ ଟଙ୍କା ଅଥବା କେତେ କିଲୋଗ୍ରାମ ଓଜନ ଭାବେ ବ୍ୟବହାର କରୁଥିଲେ ତାହା ଲେଖାଯାଇଥିବା ଏକ କାଗଜ ମିଳିଥିଲେ ବି ତାହା ବୁଝି ପାରିବା କଷ୍ଟକର ହୋଇଛି ବୋଲି ଆଠଗଡ ଡିଏଫ୍‌ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି।
ତେବେ ଚାଲାଣ ହେଉଥିବା ବସ୍ତାରେ ଗୋଟିଏ ନୁହେଁ, ଦୁଇଟି ବଜ୍ରକାପ୍ତା ଥିବା ମାଧବ ଜେରା ବେଳେ ମାନିଛି। କେବଳ ସେତିକି ନୁହେଁ, ଆଉ କିଛି ଲିଙ୍କ୍ ମଧ୍ୟ ଦେଇଛି, ଯାହା ଆଲୋଡନ ସୃଷ୍ଟି କରିବା ଭଳି।

ଆଠଗଡରେ ପାଙ୍ଗୋଲିନର ଏ ବିଶାଳ ଗ୍ୟାଙ୍ଗ ଓ ଅପରେସନ୍ ସଂପର୍କରେ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ଜାଣିବା ପରେ ଏବେ ସମଗ୍ର ରାଜ୍ୟରେ ପାଙ୍ଗୋଲିନ୍ ଅପରେସନ୍ ଜୋରଦାର ନିଷ୍ପ୍ତତି ହୋଇଛି। ବଜ୍ରକାପ୍ତା ଯେମିତି ସୁରକ୍ଷିତ ରହନ୍ତି, ସେ ଦିଗରେ ଧ୍ୟାନ ଦେବା ସହିତ ଶିକାରୀଙ୍କୁ ନିପାତ କରିବା ଲାଗି ସମସ୍ତଙ୍କୁ ନିର୍ଦେଶ ଯାଇଛି। ଖୁବ ଶୀଘ୍ର ଡିଏଫ୍ଓମାନେ ନିଜ ନିଜ ସ୍ତରରେ ଅପରେସନ୍ ଜୋରଦାର କରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଆଜି ‘ସମ୍ବାଦ’କୁ ସୂଚନା ଦେଇ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଶ୍ରୀ ବାସ୍ତବ ଆହୁରି କହିଛନ୍ତି ଯେ ଏହି ଘଟଣାରେ ତଦନ୍ତ କରିବା ଲାଗି ଇତିମଧ୍ୟରେ ବିଭାଗ କ୍ରାଇମବ୍ରାଞ୍ଚ ଏସଟିଏଫକୁ କହିଛି। ଏପଟେ ଆଜି ରାଜ୍ୟ କ୍ରାଇମବ୍ରାଞ୍ଚ ମୁଖ୍ୟ ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ବଜ୍ରକାପ୍ତା ଅପରେସନ୍ ଆରମ୍ଭ କରିବା ଲାଗି ଏସଟିଏଫ୍ ଡିଆଇଜି ଜୟ ନାରାୟଣ ପଙ୍କଜଙ୍କ ସହିତ ତାଙ୍କର ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ତାଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ ପଦକ୍ଷେପ ନେବ।

ସମ୍ବନ୍ଧିତ ଖବର