ସୁନ୍ଦରଗଡ଼ ଜିଲ୍ଲାରେ ବଜ୍ରକାପ୍ତା ଚାଲାଣ ରାକେଟ ସକ୍ରିୟ, ଭିଡ଼ିଓ ତିଆରିକରି କ୍ରେତାଙ୍କ ପାଖକୁ ପଠାଉଛନ୍ତି ଦଲାଲ୍

ସୁନ୍ଦରଗଡ଼: ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ ପ୍ରସଙ୍ଗ ହୁଲ୍‌ସ୍ତୁଲ୍ ସୃଷ୍ଟି କରିଥିବାବେଳେ ସେଥିରେ ସୁନ୍ଦରଗଡ଼ ଜିଲ୍ଲାର ନାଁ ପ୍ର‌ାୟତଃ ନଥିଲା। କିନ୍ତୁ ଉକ୍ତ ବଜ୍ରକାପ୍ତା ଚାଲାଣକାରୀ ରାକେଟ୍ ଏହି ଜିଲ୍ଲାର ଗ୍ରାମାଞ୍ଚଳରେ ବି ସକ୍ରିୟ ହେଲାଣି। ସୁନ୍ଦରଗଡ଼ ଜିଲ୍ଲାର ବଡଗାଁ ବନାଞ୍ଚଳ ଅନ୍ତର୍ଗତ ପଞ୍ଚରା ସେକସନ୍‌ରୁ ଏ ବାବଦରେ ସ୍ପଷ୍ଟ ପ୍ରମାଣ ମିଳିଛି।

ସୂଚନା ଅନୁସାରେ, ଜଙ୍ଗଲ ନିକଟସ୍ଥ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରଭାବିତ କରି ଦଲାଲମାନେ ଅତି ଚତୁରତାର ସହ ନିଜ ବେପାର ଚଳାଇଛନ୍ତି। ସେମାନେ ଗାଁ ଲୋକଙ୍କୁ ମୋଟା ଟଙ୍କାର ଲୋଭ ଦେଖାଇ ତାଙ୍କ ଜରିଆରେ ଅଳ୍ପ ଦରରେ ବଜ୍ରକାପ୍ତା ସଂଗ୍ରହ କରୁଛନ୍ତି ଏବଂ ତା’କୁ ବିକି ବେଶ୍ ମୁନାଫା କରୁଛନ୍ତି। ବଜ୍ରକାପ୍ତା ଧରା ହେଲା ପରେ ତା’ର ମୂଲ୍ୟ ନିର୍ଦ୍ଧାରଣ ପାଇଁ ମୋବାଇଲ୍‌ରେ ତା’ର ଫଟୋ ଓ ଭିଡିଓ ଉଠାଇ ଦଲାଲମାନେ ତାଙ୍କ କ୍ରେତାମାନଙ୍କ ପାଖକୁ ପଠାନ୍ତି। ‌ଭାବର ଆଦାନପ୍ରଦାନ ପାଇଁ ସେମାନେ ଏକ ନିର୍ଦ୍ଦିଷ୍ଟ କୋଡ୍‌ ବ୍ୟବହାର କରନ୍ତି। ବଜ୍ରକାପ୍ତା କିଣିବା ପୂର୍ବରୁ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଏ। ଯଥା, ପାଣି ପାତ୍ରରେ ବଜ୍ରକାପ୍ତା କାତିକୁ ପକାଇଲେ ତାହା ପାଣିରେ ବୁଡୁଛିକି ନାହିଁ ଦେଖାଯାଏ, କାତିକୁ ରଖି ତଳପଟୁ ଟର୍ଚ୍ଚ ମରାଯାଇ ଆଲୁଅ ଆରପଟେ ଦିଶୁଛି କି ନା ପରୀକ୍ଷା କରାଯାଏ। ପୁଣି ତା’ ପିଠିରେ ଟେଷ୍ଟର ଛୁଆଁଇ କିଛି ଲକ୍ଷଣ ଦେଖି ବଜ୍ରକାପ୍ତାଟି ଉନ୍ନତ ମାନର କି ନା ନିର୍ଦ୍ଧାରଣ କରାଯାଏ। ଏସବୁ ସରିଲା ପରେ ଜୀବଟିର ଆକାର ଓ ଓଜନ ମଧ୍ୟ ମପାଯାଏ। ଏ ସମସ୍ତ କାର୍ଯ୍ୟର ଭିଡିଓ ତିଆରି କରି ଦଲାଲ ତା’ ଉପର ଦଲାଲ ପାଖକୁ ପଠାଏ। ତା’ ପରେ ବଜ୍ରକାପ୍ତାର ମୂଲ୍ୟ ନିର୍ଦ୍ଧାରଣ କରାଯାଏ। ଏପରି ଏକ ଭିଡିଓ ମଧ୍ୟ ଆମର ହସ୍ତଗତ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଗାଁ ଲୋକଙ୍କଠାରୁ ବା ଅନ୍ୟ ମାଧ୍ୟମରେ ବଜ୍ରକାପ୍ତା ସଂଗ୍ରହକରି ସ୍ଥାନୀୟ ଦଲାଲମାନେ ତା’କୁ ବଡ଼ ଦଲାଲମାନଙ୍କୁ ୫୦-୬୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ବଡ଼ ଦଲାଲମାନେ ତାହାକୁ ବାହାରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ବନ ବିଭାଗ ଏ ଦିଗରେ ଆଦୌ ସତର୍କ ନଥିବାରୁ ଅନ୍ୟ ବନ୍ୟପ୍ରାଣୀଙ୍କ ସମେତ ବଜ୍ରକାପ୍ତା ଚାଲାଣ ବର୍ତ୍ତମାନ ଗ୍ରାମାଞ୍ଚଳକୁ ବ୍ୟାପି ଗଲାଣି। ଜିଲ୍ଲାରେ ବଜ୍ରକାପ୍ତା ଉଲ୍ଲେଖନୀୟ ସଂଖ୍ୟାରେ ଅଛନ୍ତି।

ବଜ୍ରକାପ୍ତା ଶାନ୍ତଶିଷ୍ଟ ପ୍ରାଣୀ ହୋଇଥିବାରୁ ଏହାକୁ ଧରିବା ବିଶେଷ କଷ୍ଟକର ମଧ୍ୟ ନୁହେଁ। ବନ୍ଦ କାଠବାକ୍ସ ଭିତରେ ଏହାକୁ ଅତି ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆ ଯାଇପାରେ। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଅନ୍ୟମାନଙ୍କ ଅଲକ୍ଷ୍ୟରେ ଏହାକୁ ଚାଲାଣ କରୁଥିବା ରାକେଟ୍ ବେଶ୍ ସକ୍ରିୟ ରହିଛି। ଏହାକୁ ବନ୍ଦ କରିବା ଦିଗରେ ବନବିଭାଗ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନ ନେଲେ ଏହି ନିରୀହ ପ୍ରାଣୀର ବଂଶ ଲୋପ ପାଇଯିବ।

ସମ୍ବନ୍ଧିତ ଖବର