ଲୋପ ପାଇଯିବ ବଜ୍ରକାପ୍ତା ବଂଶ!

ଦି ଓ୍ୱାର୍ଲ୍ଡ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ ରିପୋର୍ଟ- ୨୦୨୦

ଜବତ କାତି ପରିମାଣ ୧୦ଗୁଣା ବଢ଼ିଛି, ୩.୭୦ଲକ୍ଷ ବଜ୍ରକାପ୍ତା ହତ୍ୟା
ଔଷଧ ପାଇଁ ଚୀନକୁ ଚୋରା ଚାଲାଣ ହେଉଛି
ଓଡ଼ିଶାରେ ୧% ବି ଜବତ ହେଉନାହାନ୍ତି, ଦଣ୍ଡବିଧାନ ଶୂନ
ରାଜନୈତିକ ଓ ପ୍ରଶାସନିକ ହସ୍ତକ୍ଷେପ ବଢ଼ୁଛି

ଭୁବନେଶ୍ୱର : ରାଜ୍ୟରେ ଅତିବିରଳ ବଜ୍ରକାପ୍ତା ଚୋରାଚାଲାଣ ବଢିବାରେ ଲାଗିଛି। ନିକଟରେ ଆଠଗଡରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ ବିଭାଗକୁ ଚୋରାଚାଲାଣର ପ୍ରମାଣ ମିଳିଛି। ହେଲେ ଏ ଦିଗରେ ସରକାର ଯେଭଳି ଠୋସ୍ ପଦକ୍ଷେପ ନେବା କଥା ତାହା ଦେଖାଯାଇନାହିଁ। ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ଏକ ଆଲୋଡ଼ନ ସୃଷ୍ଟି କରିବା ଭଳି ରିପୋର୍ଟ ସାମ୍ନାକୁ ଆସିଛି।

‘ଦି ଓ୍ୱାର୍ଲଡ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ ରିପୋର୍ଟ, ୨୦୨୦’ ଦର୍ଶାଉଛି ଯେ ଆଉ ହାତୀ ଦାନ୍ତ ନୁହେଁ, ବରଂ ବଜ୍ରକାପ୍ତା ଚୋରାଚାଲାଣ ଓ ବେଆଇନ କାରବାର ବୃଦ୍ଧିପାଇଛି। ଜବତ ହୋଇଥିବା ବଜ୍ରକାପ୍ତାର ପରିମାଣ ପ୍ରାୟ ୧୦ ଗୁଣ ବଢ଼ିଯାଇଛି, ଏସିଆ ମହାଦେଶରୁ ଅଧିକ ମାମଲା ଆସିଛି। ୨୦୧୪ରୁ ୨୦୧୮ ମଧ୍ୟରେ ପାଖାପାଖି ୧୮୫ ଟନ୍ ବଜ୍ରକାପ୍ତା ଜବତ ହୋଇଥିବା ରିପୋର୍ଟ କହୁଛି। ଏହି କାତିର ପରିମାଣକୁ ବିଚାରକୁ ନେଇ ବିଶେଷଜ୍ଞମାନେ ହିସାବ କରିଛନ୍ତି ଯେ ୩ଲକ୍ଷ ୭୦ ହଜାର ବଜ୍ରକାପ୍ତାଙ୍କୁ ଏହି ସମୟରେ ହତ୍ୟା କରାଯାଇଛି। ବିଶେଷଜ୍ଞମାନେ ଏ ଯୁକ୍ତି ବି ରଖିଛନ୍ତି ଯେ ଯେତେ ସ୍ତନ୍ୟପ୍ରାୟୀ ପ୍ରାଣୀଙ୍କୁ ହତ୍ୟା କରାଯାଇଛି, ତା ଭିତରେ ବଜ୍ରକାପ୍ତାର ପରିମାଣ ଅଧିକ।

The Samikhsya

ରିପୋର୍ଟ ଆହୁରି ସୂଚାଉଛି ଯେ ଏସିଆ ମହାଦେଶରେ ରହିଥିବା ସମସ୍ତ ୮ ପ୍ରଜାତିର ବଜ୍ରକାପ୍ତାଙ୍କ ସଂଖ୍ୟା କମିବାରେ ଲାଗିଛି। ଯେହେତୁ ବଜ୍ରକାପ୍ତା ମାଂସ ଟନିକ୍‌ ପ୍ରସ୍ତୁତିରେ ଲାଗୁଛି ଓ ତାର କାତିରେ ପ୍ରସ୍ତୁତ ଔଷଧ ରକ୍ତ ସଞ୍ଚାଳନ ଓ ଗର୍ଭବତୀ ମହିଳାଙ୍କ କ୍ଷୀର ଉତ୍ପାଦନ କ୍ଷେତ୍ରରେ ପ୍ରଭାବୀ ଭୂମିକା ନିର୍ବାହ କରୁଛି, ଏଣୁ ଏହି ଔଷଧର ଚାହିଦା ବଢୁଥିବା ପରିପ୍ରେକ୍ଷୀରେ ବଜ୍ରକାପ୍ତାଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଯାଉଛି।

ହେଲେ କୌତୂହଳ କଥା ହେଉଛି, ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ତୁ ତୁ ମେ ମେ ଭିତରେ ଚାଇନା ସାମଗ୍ରୀ ବର୍ଜନ ପାଇଁ ଦାବି ଜୋର ଧରିଲାଣି। ଅଥଚ ଅଧିକାଂଶ ବଜ୍ରକାପ୍ତା ଚୀନକୁ ଚୋରା ଚାଲାଣ ହେଉଛି, ଏପରିକି ଭାରତରୁ ବି। ଏହି ରିପୋର୍ଟ ସୂଚାଉଛି ଯେ ୨୦୦୭ରେ ଯେତିକି ବଜ୍ରକାପ୍ତା ଜବତ ହୋଇଥିଲା, ସେଥିରୁ ୫୦.୪% ଥିଲା ଚୀନରୁ। ୨୦୧୮ରୁ କିନ୍ତୁ ଏହା ୭୦.୯%କୁ ବୃଦ୍ଧି ପାଇଛି।

ଏହି ବିରଳ ପ୍ରଜାତିର ପ୍ରାଣୀ ଓଡ଼ିଶାର ଅଧିକାଂଶ ଜଙ୍ଗଲରେ ଅଛନ୍ତି। କିନ୍ତୁ ଅତି ସମ୍ବେଦନଶୀଳ ଏହି ସ୍ତନ୍ୟପ୍ରାୟୀ ପ୍ରାଣୀର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବନ ବିଭାଗ ଯେଭଳି ଗୁରୁତ୍ବ ଦେବା କଥା ତାହା ଏଯାଏ ପରିଲକ୍ଷିତ ହୋଇନାହିଁ। ଓଡ଼ିଶାରେ ବଜ୍ରକାପ୍ତା ଚୋରାଚାଲାଣ ଘଟଣାର କ୍ରାଇମବ୍ରାଞ୍ଚ ଏସଟିଏଫ୍ ତଦନ୍ତ ଆଜି ବି ଅଧପନ୍ତରିଆ ଭାବେ ରହିଛି। ବରଂ ମାଫିଆଙ୍କ ସପକ୍ଷରେ ରାଜନୈତିକ ଓ ପ୍ରଶାସନିକ ଅଧିକାରୀଙ୍କ ଚାପ ଏତେ ବଢ଼ିଲାଣି ଯେ ଆଠଗଡ଼ରୁ ଆରମ୍ଭ କରି ବଲାଙ୍ଗୀର ପର୍ଯ୍ୟନ୍ତ ଯେତେବେଳେ ଯେଉଁଠାରେ ବଜ୍ରକାପ୍ତା ଧରାପଡ଼ୁଛି, ସେ ଦିଗରେ ତଦନ୍ତ ବିଶେଷ ଆଗେଇ ପାରୁନାହିଁ।

Mycitylinks

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ମୁତାବକ ବଜ୍ରକାପ୍ତା ଚୋରାଚାଲାଣ ନେଇ ‘ସମ୍ବାଦ’ରେ ନିୟମିତ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ଦିଗରେ ତନାଘନା ଲାଗି ବନ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ହେଲେ ପିସିସିଏଫ୍‌ଙ୍କ ଠାରୁ ଆରମ୍ଭକରି ଆରସିସିଏଫ୍‌, ଡ଼ିଏଫଓମାନେ ଏହି ପ୍ରସଙ୍ଗକୁ ଯେଭଳି ଗମ୍ଭୀର ଭାବେ ନେବା କଥା ତାହା ପରିଦୃଷ୍ଟ ହେଲା ନାହିଁ।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ବଜ୍ରକାପ୍ତା ଚୋରାଚାଲାଣ କାରବାର କେବଳ କଟକ, ନୟାଗଡ, କେରାପୁଟ, ବଲାଙ୍ଗୀର ଭିତରେ ସୀମିତ ଅଛି ତା ନୁହେଁ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସହିତ ମଧ୍ୟ ମାଫିଆଙ୍କ ସମ୍ପର୍କ ଥିବା ପୂର୍ବରୁ ପୁଲିସ ଜାଣିପାରିଛି। ଦୁର୍ଦାନ୍ତ ମାଫିଆ ସାମସୁଦ୍ଦିନ୍, ଯାହାଠାରୁ ୧୯୯୬ ମସିହାରେ ୨୦ଟି ବାଘ ଛାଲ ଜବତ ହୋଇଥିଲା, ପରବର୍ତୀ ସମୟରେ ଦେଖାଗଲା ୨୦୧୮ ମସିହାରେ ସେ ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ବି ମୁଖ୍ୟ ନାୟକ। ଏବେ ବି ଏହି ଗ୍ୟାଙ୍ଗ ଓଡ଼ିଶାରେ ସକ୍ରିୟ ଥିବା କୁହାଯାଉଛି। ହେଲେ ତଦନ୍ତରେ ସେଭଳି କିଛି ଅଗ୍ରଗତି ହୋଇନାହିଁ।

ଇତିମଧ୍ୟରେ ନେପାଳ ସରକାର ବଜ୍ରକାପ୍ତା ସଂରକ୍ଷଣ ନେଇ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କ ବିରୋଧରେ ୧୫ବର୍ଷ ଜେଲ୍ ଓ ୯୦୦୦ ଡଲାର ଜରିମାନା ଭଳି କଠୋର ଦଣ୍ଡବିଧାନ ବ୍ୟବସ୍ଥା ସେଠାରେ କରାଯାଇଛି। ସେହିଭଳି ମିଆଁମାରରେ ୩ରୁ ୧୦ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୬୬୮ ଡଲାର ଜରିମାନା ବ୍ୟବସ୍ଥା ରହିଛି। ହେଲେ ଭାରତରେ ୩ରୁ ୭ବର୍ଷ ଜେଲ୍ ଦଣ୍ଡ ଓ ୧୦ ହଜାର ଟଙ୍କା ଫାଇନ୍ ବ୍ୟବସ୍ଥା ରହିଥିଲେ ହେଁ, ଆଖିଦୃଶିଆ ଦଣ୍ଡବିଧାନ ହୋଇପାରିନାହିଁ। ଓଡ଼ିଶାରେ ଏହାର ପରିସଂଖ୍ୟାନ ଆହୁରି ଚିନ୍ତାଜନକ।

World Wildlife Fund

ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ ମହାନ୍ତି ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଯେତିକି ବଜ୍ରକାପ୍ତା ଚୋରାଚାଲାଣ ହେଉଛି, ତା ମଧ୍ୟରୁ ୧ ପ୍ରତିଶତ ବି ଘଟଣା ଧରାପଡୁନି। ମୟୂରଭଂଜ ଠାରୁ ଆରମ୍ଭ କରି ଅନୁଗୁଳ, କେନ୍ଦୁଝର, ଦେବଗଡ, ସମ୍ବଲପୁର ଆଦି ଜଙ୍ଗଲରେ ବ୍ୟାପକ ପରିମାଣରେ ବଜ୍ରକାପ୍ତା ଚୋରାଚାଲାଣ ଚାଲିଛି। ସେମାନଙ୍କୁ ଟ୍ରାକିଂ କରି ଧରିବାରେ ବନ ବିଭାଗ ବି​ଫ​ଳ ହୋଇଛି। ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ ଗତ ଦିନରେ ଆଠଗଡ଼ ଠାରୁ ଆରମ୍ଭକରି ବିଭିନ୍ନ ଅଞ୍ଚଳରେ ଯେଉଁ ଚାରି ଛଅଟି ମାମଲା ହୋଇଛି, ତାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ବନ ବିଭାଗ ଅଧିକାରୀମାନେ କେବଳ ବଜ୍ରକାପ୍ତା ଓ କାତି ଜବତ କରୁଛନ୍ତି ଏବଂ ମାମଲା ରୁଜୁ କରି କେତେ ଜଣଙ୍କୁ ଗିରଫ କରୁଛନ୍ତି। କିଛି ଦିନ ପରେ ସେମାନେ ଜାମିନରେ ଚାଲିଆସୁଛନ୍ତି। ଯେ ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ େହବ, ସେଯାଏ ଏହି ସିଡ୍ୟୁଲ୍ଡ-୧ ଶ୍ରେଣୀଭୁକ୍ତ ପ୍ରାଣୀଙ୍କ ଜୀବନ ବିପଦପୂର୍ଣ୍ଣ ରହିବ ଓ ସେମାନଙ୍କ ବଂଶ ଲୋପ ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ସମ୍ବନ୍ଧିତ ଖବର

Comments are closed.