ବଜ୍ରକାପ୍ତା ରାକେଟ୍ : ମିଳିତ ତଦନ୍ତ ପାଇଁ ପାଗ ଭିଡ଼ିଲେ

ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ସମ୍ମତି ଦେଲା

ଅପରାଧୀଙ୍କ ତାଲିକା ଓ ଲିଙ୍କ୍ ନେଇ ଖୋଳତାଡ଼
ଗତବର୍ଷ ତନାଘନା କରୁଥିଲା ଏସଟିଏଫ୍, ଏବେ ଚୁପ୍‌
ବନ ବିଭାଗର ଅପରାଧ ନିୟନ୍ତ୍ରଣ ଶାଖା ବି ନିଷ୍କ୍ରିୟ

ଭୁବନେଶ୍ବର : କୋଟି କୋଟି ଟଙ୍କାର ବିରଳ ବଜ୍ରକାପ୍ତା ଚୋରା ଚାଲାଣ ପ୍ରସଙ୍ଗ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସରକାରୀ ତନାଘନା ଆରମ୍ଭ େହାଇଛି। ଏହି ଅପରାଧ ସହିତ ଅନ୍ୟ ରାଜ୍ୟ ଓ ବିଦେଶର ସିଧାସଳଖ ସଂପର୍କ ରହିଥିବାରୁ ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା ଅଧିକ ତଦନ୍ତ ପାଇଁ ରାଜ୍ୟ ପ୍ରଧାନ ବନ ସଂରକ୍ଷକ (ବନ୍ୟପ୍ରାଣୀ)ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶାର ଅନୁରୋଧ ରକ୍ଷା କରି େକନ୍ଦ୍ର ସରକାରଙ୍କ ଅଧୀନସ୍ଥ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ମିଳିତ ଭାବେ ଏହି ଅପରାଧର ତଦନ୍ତ କରିବା ଲାଗି ସମ୍ମତି ଜଣାଇଛନ୍ତି। ଖୁବ୍ ଶୀଘ୍ର ଉଭୟ ଏକ ଟିମ୍ ଗଠନ କରି ଏହି ରାକେଟ୍ ଧରିବା ପାଇଁ ଉଭୟ ଅଭିଯାନ ଆରମ୍ଭ କରିବେ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଅଧିକାରୀମାନଙ୍କ ସହିତ ଦୁଇଦିନ ପରେ ଏ ସଂପର୍କରେ ଅଧିକ ଆଲୋଚନା ହେବ। ସେମାନେ ଓଡ଼ିଶାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି ଓ ମିଳିତ ପଦକ୍ଷେପ ପାଇଁ ସହମତି ଜଣାଇଛନ୍ତି। ଆଜି ଶ୍ରୀ ଉପାଧ୍ୟାୟ ଏ ସଂକ୍ରାନ୍ତରେ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋକୁ ଚିଠି ଲେଖି ତାଙ୍କର ହସ୍ତକ୍ଷେପ ଲୋଡିଥିଲେ।

ଅନ୍ୟପକ୍ଷରେ ଡିଏଫଓ ସସ୍ମିତା ଲେଙ୍କା କହିଛନ୍ତି ଯେ ଓଡ଼ିଶାର କେଉଁ କେଉଁ ସ୍ଥାନରେ କେବେ ବଜ୍ରକାପ୍ତା ଧରାହୋଇଛନ୍ତି ଓ ଏଥିରେ ସଂପୃକ୍ତ ଶିକାରୀଙ୍କ ତାଲିକା କରାଯାଉଛି। ଏହି ଶିକାରୀମାନେ କିଭଳି ଓ କେଉଁମାନଙ୍କ ସହିତ ଯୋଗାଯୋଗ କରୁଥିଲେ, ଏସବୁକୁ ଏକାଠି କରାଯିବ। ସବୁ ଓ ପୁରୁଣା ନୂଆ ଲିଙ୍କକୁ ଧରି ଏହି ରାକେଟ୍ ମୂଳ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଯୋଜନା ହୋଇଛି।

ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁସାରେ ସିଡ୍ୟୁଲଡ ଵାନ ଶ୍ରେଣୀଭୁକ୍ତ ବିରଳ ସ୍ତନ୍ୟପ୍ରାୟୀ ପ୍ରାଣୀ ବଜ୍ରକାପ୍ତା ଚାଲାଣ ରାକେଟ୍ ଏବେ ଓଡ଼ିଶାରେ ସକ୍ରିୟ ହୋଇ ଉଠିଛି। ନିକଟରେ ଆଠଗଡ ଜଙ୍ଗଲରୁ େଗାଟିଏ ବଡ ଗ୍ୟାଙ୍ଗ ଧରାହୋଇଛନ୍ତି, ଯେଉଁଥିରେ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାଟି ବଜ୍ରକାପ୍ତା େଚାରାଚାଲାଣ ଘଟଣାର ଏକ ନୂଆ ଦିଗକୁ ମଧ୍ୟ ଉନ୍ମୋଚନ କରିଥିଲା। ହ୍ବାଟସ୍ ଆପ୍ ଓ ଅନ୍ ଲାଇନ୍ ଜରିଆରେ ଏହି କାରବାର ଚାଲିଥିବା ଜଣାପଡିଥିଲା।

ଅଧିକ ଖୋଳତାଡ ପରେ ଜଣାପଡିଛି େଯ ଦକ୍ଷିଣ ଓଡ଼ିଶା, ଆଠଗଡ ଅଧୀନସ୍ଥ ବଡ଼ମ୍ବା, ନରସିଂହପୁର, େଢଙ୍କାନାଳ, ଅନୁଗୁଳ, ମୟୂରଭଂଜ, ମାଲକାନଗିରି ଜଙ୍ଗଲରୁ ଏହି ଜାଲ ଲମ୍ବିଛି ପଶ୍ଚିମବଙ୍ଗ ଦେଇ ବିଦେଶ ପର୍ଯ୍ୟନ୍ତ। ମଧ୍ୟପ୍ରଦେଶ ଓ ଉତ୍ତରପୂର୍ବ ରାଜ୍ୟରେ ମଧ୍ୟ ଏହି ଗ୍ୟାଙ୍ଗ ସକ୍ରିୟ ଥିବା ବନ ବିଭାଗ ଜାଣିପାରିଛି।

ଗୋଟିଏ ଗୋଟିଏ ବଜ୍ରକାପ୍ତାର ଦାମ ୮ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି ଶିକାରୀ। କାତି ୨ସେମି େହାଇଥିଲେ ୪ ହଜାର ଟଙ୍କା ଓ ୪ ସେମିି ହୋଇଥିଲେ ୮ ହଜାର ଟଙ୍କାରେ େନଇଥାଏ ଦଲାଲ। ବର୍ଷକୁ ଏହି ଢଙ୍ଗରେ କୋଟି େକାଟି ଟଙ୍କାର ବଜ୍ରକାପ୍ତା ଚାଲାଣ ହେଉଛି ବିଦେଶକୁ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର କୁମାର ଶର୍ମା ଗତବର୍ଷ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ସମୟରେ କୁହାଯାଇଥିଲା େଯ ‘ମ୍ୟୁଚୁଆଲ ଲିଗାଲ ଆସିଷ୍ଟାନ୍ସ ଟ୍ରିଟ୍ରି’ବଳରେ ମିଆଁମାର ସହିତ ଯୋଗାଯୋଗ କରାଯାଇ ମୁଖ୍ୟ ଅପରାଧୀଙ୍କୁ ଧରିବା ଲାଗି ପଦକ୍ଷେପ ନିଆଯିବ। ଏହି ଚୁକ୍ତି ବଳରେ ସାଧାରଣତଃ ଅନ୍ୟ ଦେଶର ଆଇନ ସହାୟତା ନିଆଯାଇଥାଏ।

କେବଳ ସେତିକି ନୁହେଁ, ସେ ସମୟରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ତନାଘନା ବେଳେ ଜଣାପଡିଥିଲା େଯ ଓଡ଼ିଶା, ପଶ୍ଚିମବଙ୍ଗ ଓ ମିଜୋରାମ ସହିତ ଏହି ଅନ୍ତର୍ଜାତୀୟ ଅପରାଧୀମାନେ ନିୟମିତ େଯାଗାେଯାଗରେ ଅଛନ୍ତି। ଓଡ଼ିଶାର ନୟାଗଡ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ ଓ ରାୟଗଡାରେ ମଧ୍ୟ ଏହି ରାକେଟ୍ ସକ୍ରିୟ ରହିଛି। ବିଶେଷକରି ଗଞ୍ଜାମ-କନ୍ଧମାଳ-ନୟାଗଡ କରିଡରକୁ ଏହି ଗ୍ୟାଙ୍ଗ ବ୍ୟବହାର କରିଥାନ୍ତି। ହେଲେ ଏସଟିଏଫ୍ ଏହି ପ୍ରସଙ୍ଗରେ ଏବେ ନିରବ ରହିଛି। ଏବର୍ଷ ଗୋଟିଏ ବି ମକଦ୍ଦମା ଏ ସଂକ୍ରାନ୍ତରେ େହାଇନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ ମହାନ୍ତିଙ୍କର କହିବା କଥା ହେଉଛି, ଏହି ରାକେଟ୍ ଓଡ଼ିଶାରେ ଢେର୍ ଦିନ ହେଲା ସକ୍ରିୟ ଅଛନ୍ତି। ଏ ସଂପର୍କରେ ବନ ବିଭାଗକୁ ବହୁ ଆଗରୁ ସତର୍କ କରିଦିଆଯାଇଛି। ମାତ୍ର ଗତଦିନ ମାନଙ୍କରେ ବନ ବିଭାଗ ଅପେକ୍ଷା ପୁଲିସ ହିଁ ବେଶି ବଜ୍ରକାପ୍ତା ଶିକାରୀଙ୍କୁ ଧରିଥିଲା। ବନପ୍ରାଣୀ ବିଭାଗରେ ଥିବା ଅପରାଧ ନିୟନ୍ତ୍ରଣ ଶାଖାର ନିଷ୍କ୍ରିୟତା କାରଣରୁ ଓଡ଼ିଶାରେ କେବଳ ବଜ୍ରକାପ୍ତା ନୁହେଁ, ହାତୀଦାନ୍ତ ଓ ବାଘଚାଲ ରାକେଟ୍ ସକ୍ରିୟ ଅଛନ୍ତି। ଏହି ଶାଖାକୁ ବିଭାଗ େଯତିକି ଶକ୍ତିଶାଳୀ କରିବା କଥା, ତାହା କରିନାହିଁ େବାଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର