ବଜ୍ରକାପ୍ତା ଚୋରାଚାଲାଣ: ପୁଣି ଦଶପଲ୍ଲାରେ ଆଡ୍ଡା

ବନ ବିଭାଗ କବ୍‌ଜାରେ ଅଲ୍ଲୀର ଦୁଇ ସହଯୋଗୀ, ବରମୁଣ୍ଡାରୁ ଦିଲୀପ, ନରାଜରୁ ତୀର୍ଥବାସୀ ଗିରଫ

ଭୁବନେଶ୍ବର: ବିରଳ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଆଜି ଆଠଗଡ଼ ବନବିଭାଗ ମାଷ୍ଟର ମାଇଣ୍ଡ୍‌ ଅଲ୍ଲୀର ଆଉ ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ଏସଂପର୍କରେ ସୂଚନା ଦେଇ ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା କହିଛନ୍ତି ଯେ ଯେଉଁ ଅଟୋରେ ବଜ୍ରକାପ୍ତା ଚୋରାଚାଲାଣ କରାଯାଉଥିଲା, ସେହି ଅଟୋ ସମେତ ତାର ଚାଳକ ଦିଲୀପ ନାୟକକୁ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ବନ ବିଭାଗ ଅଧିକାରୀମାନେ ଧରିଛନ୍ତି। ଭୁବନେଶ୍ବର ୬ ନମ୍ବର ଅଞ୍ଚଳରେ ଦିଲୀପ ରହେ। ଅଲ୍ଲୀ ଓ ତା ସହଯୋଗୀଙ୍କୁ ନେଇ ନୟାଗଡରୁ କଟକ ଯାଏ ସେ ତାର ଅଟୋରେ ବଜ୍ରକାପ୍ତା ବୋହୁଥିଲା। କେବଳ ସେତିକି ନୁହେଁ, ଅଲ୍ଲୀର ଅନ୍ୟତମ ସହଯୋଗୀ ତୀର୍ଥବାସୀ ମାଝୀକୁ ମଧ୍ୟ ବନ ବିଭାଗ ଅଧିକାରୀମାନେ ନରାଜ ନିକଟରୁ ଗିରଫ କରିଛନ୍ତି। ଏହାକୁ ମିଶାଇ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଏଯାଏ ମୋଟ ୨୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ବିଶଦ ତଥ୍ୟ ଦେବାକୁ ଡିଏଫ୍ଓ ମନା କରିଦେଇଛନ୍ତି।

ଅନ୍ୟପକ୍ଷରେ ବନ ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ସର୍ତରେ କହିଛନ୍ତି ଯେ ଅଲ୍ଲୀର ବୟାନକୁ ଆଧାର କରି ତଦନ୍ତ ଜାରି ରହିଛି। ଏହି ମାଫିଆମାନେ ଦଶପଲ୍ଲା ଯାଏ ସେମାନଙ୍କ ଜାଲ ବିଛାଇଥିଲେ। ସେହିଠାରୁ ସେମାନେ ଅଧା ଓଡ଼ିଶାକୁ ନିୟନ୍ତ୍ରଣ କରୁଛନ୍ତି। ଅଲ୍ଲୀ, ସନ୍ତୋଷ, ହାଡିବନ୍ଧୁ ସହିତ ତୀର୍ଥବାସୀ ଅଟୋରେ ବଜ୍ରକାପ୍ତା ଆଣୁଥିଲେ। ଅଟୋରେ ଆସୁଥିବା କାରଣରୁ କେହି ସେମାନଙ୍କୁ କେବେ ସନ୍ଦେହ ଦୃଷ୍ଟିରେ ଦେଖିନାହାନ୍ତି। କାରବାରରେ ଅଲ୍ଲୀ ସବୁଠାରୁ ଅଧିକ ଅର୍ଥ ନେଉଥିଲା, ବାକି ଟଙ୍କା ଅନ୍ୟମାନଙ୍କ ମଧ୍ୟରେ ବଣ୍ଟାଯାଉଥିଲା। ୨୦୧୮ରେ ଜୁନ ମାସରେ ଏସଟିଏଫ୍ ତନାଘନା ବେଳେ ମଧ୍ୟ ଦଶପଲ୍ଲାରୁ ଦୁର୍ଦାନ୍ତ ବଜ୍ରକାପ୍ତା ମାଫିଆ ସମସୁଦ୍ଦିନକୁ ଗିରଫ କରାଯାଇଥିଲା। ସେ ସମୟରେ ଜଣାପଡିଥିଲା େଯ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଆଦି ଅଞ୍ଚଳରୁ ବଜ୍ରକାପ୍ତା ଦଶପଲ୍ଲାରୁ ହିଁ ଚାଲାଣ ହେଉଥିଲେ। କେବଳ ସେତିକି ନୁହେଁ, ଏସଟିଏଫ୍ ତନାଘନା ବେଳେ ଏକଥା ବି ସାମ୍ନାକୁ ଆସିଥିଲା େଯ ମଧ୍ୟପ୍ରଦେଶର ସିଓନି, ଛିଣ୍ଡଵାରା ଠାରୁ ଆରମ୍ଭକରି ମହାରାଷ୍ଟ୍ରର ଚନ୍ଦ୍ରପୁର, ଗଡଚିରୋଲି ଯାଏ ଏହି ଚେର ଲମ୍ବିଥିଲା। ମିଜୋରାମ ଯାଇ ଦୁଇ ଅଭିଯୁକ୍ତଙ୍କୁ ଧରିଥିଲେ ବନ ବିଭାଗ ଅଧିକାରୀ। ଏହି ଘଟଣାରେ ଏସଟିଏଫ୍ ତଦନ୍ତ ଏବେ ଯାଏ ନିର୍ଣ୍ଣାୟକ ମୋଡ଼ ନେଇନାହିଁ। ପୁଲିସ ଅଧିକାରୀମାନେ ଅପେକ୍ଷା କରିଛନ୍ତି େଯ ମିଆଁମାର ସରକାର ସେମାନଙ୍କୁ କିଛି ଖିଅ ଦେବେ। ହେଲେ ଏବେ ଆଠଗଡ ବନ ବିଭାଗର ତନାଘନା ପରେ ଏକଥା ସାମ୍ନାକୁ ଆସିଲାଣି ଯେ ଦଶପଲ୍ଲାରେ ପୁଣି ଥରେ ବଜ୍ରକାପ୍ତା ଚୋରା ଚାଲାଣ ଗ୍ୟାଙ୍ଗ ସକ୍ରିୟ େହାଇଗଲେଣି। କିନ୍ତୁ ସ୍ଥାନୀୟ ବନ ବିଭାଗ ଏ ନେଇ ଯେଭଳି ତନାଘନା କରିବା କଥା ତାହା ଦେଖିବାକୁ ମିଳୁନାହିଁ, ଏସଟିଏଫ୍ ବି ବଡ଼ ମାଛ ଅପେକ୍ଷାରେ ହାତ ବାନ୍ଧି ବସିଛି।

ସମ୍ବନ୍ଧିତ ଖବର