ଆଠଗଡ଼ରୁ ଉଦ୍ଧାର ବଜ୍ରକାପ୍ତାର କରୋନା ନମୁନା ପରୀକ୍ଷା ହେବ : ଡିଏଫଓ

କଟକ: ଆଠଗଡ଼ ଅଞ୍ଚଳରେ ଥିବା ଏକ ସଂଗରୋଧ କେନ୍ଦ୍ରରୁ ସୋମବାର ରାତିରେ ଉଦ୍ଧାର ହୋଇଥିବା ମାଈ ବଜ୍ରକାପ୍ତାର କରୋନା ନମୁନା ପରୀକ୍ଷା ହେବ । ବନ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଜଙ୍ଗଲରେ ଛଡ଼ାଯିବା ପୂର୍ବରୁ ମାଈ ବଜ୍ରକାପ୍ତାର ସ୍ୱାବ ନମୁନା ପରୀକ୍ଷା ହେବ ବୋଲି ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି । ସେ କହିଛନ୍ତି, ସ୍ଥାନୀୟ ସରପଞ୍ଚଙ୍କଠାରୁ ସୂଚନା ମିଳିବା ପରେ ବନ ବିଭାଗ ଟିମ ସଂଗରୋଧ କେନ୍ଦ୍ରରେ ପହଞ୍ଚିଥିଲେ ଓ ସେଠାରୁ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ।

କଟକ ଜିଲ୍ଲା ଆଠଗଡ଼ ବନ ବିଭାଗର ଅନୁମାନ ଅନୁସାରେ ବଜ୍ରକାପ୍ତାର ବୟସ ପ୍ରାୟ ୫ ବର୍ଷ ହେବ । ଆଠଗଡ଼ ବନ ବିଭାଗ ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ମହୁଲିଆସ୍ଥିତ ୟୁଜିଏମଇ ସ୍କୁଲ ପରିସରରୁ ଏହି ବଜ୍ରକାପ୍ତାକୁ ସୋମବାର ରାତି ଉଦ୍ଧାର କରାଯାଇଛି । ବଜ୍ରକାପ୍ତାକୁ ଯେହେତୁ ସଂଗରୋଧ କେନ୍ଦ୍ରରୁ ଉଦ୍ଧାର କରାଯାଇଛି, ସେଥି ପାଇଁ ଏହାର ସ୍ୱାବ ନମୁନା ପରୀକ୍ଷା ହେବ । ଏଥି ପାଇଁ ଭୁବନେଶରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସହ ସଂପର୍କ କରାଯାଇଛି । ଡିଏଫଓ ଶ୍ରୀମତୀ ଲେଙ୍କା କହିଛନ୍ତି, ସଂଗରୋଧ କେନ୍ଦ୍ରକୁ ବଜ୍ରକାପ୍ତା କେମିତି ଆସିଲା, ତାହାର ତଦନ୍ତ ଚାଲିଛି ।

ଅନ୍ୟପକ୍ଷରେ ନିଜ ନାମ ଗୋପନ ରଖି ଓୟୁଏଟିର ଜଣେ ଅଧିକାରୀ କହିଛନ୍ତି, ଏଠାରେ ଥିବା ବନ୍ୟଜନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ ନମୁନା ପରୀକ୍ଷା ଅଥବା କୋଭିଡ-୧୯ ପରୀକ୍ଷା ପାଇଁ ଅନୁମତି ମିଳି ନାହିଁ । ବଜ୍ରକାପ୍ତାଠାରୁ ନମୁନା ସଂଗ୍ରହ ହେବା ପରେ ଏହାକୁ ଏହି ସୁବିଧା ଥିବା ପରୀକ୍ଷାଗାରକୁ ପଠାଇ ଦିଆଯିବ ।

ସମ୍ବନ୍ଧିତ ଖବର