ଜୟପୁର: ରାଜରାଜୁଡ଼ା ଅମଳରୁ ଶାସ୍ତ୍ରୀୟ ସଂଗୀତ ଠାରୁ ଆରମ୍ଭ କରି ବିଭିନ୍ନ ସଂଗୀତରେ ତବଲା ବାଦ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କାଠ କିମ୍ବା ଷ୍ଟିଲଧାତୁ ଉପରେ ଚମଡ଼ା ଲାଗିଥିବା ବାଦ୍ୟରେ ବିଭିନ୍ନ ଶବ୍ଦ ବାହାର କରି କାନକୁ ଶ୍ରୃତି ମଧୁର କରିବାରେ ତଥା ବିଭିନ୍ନ ଶାସ୍ତ୍ରୀୟ, ଲୋକନୃତ୍ୟ  ଆଦି କରୁଥିବା ନୃତ୍ୟ କଳାକାରଙ୍କୁ ଏହାର ତାଳେତାଳେ ନୃତ୍ୟ କରାଇବାରେ ଏହା ପ୍ରମୁଖ ଭୁମିକା ଗ୍ରହଣ କରିଥାଏ। ଆଜି ବି ବହୁ କମ୍ ଲୋକେ ତବଲା ବଜାଇବାକୁ ପସନ୍ଦ କରୁଛନ୍ତି। ଅତ୍ୟୁଧୁନିକ ଯନ୍ତ୍ର ସଂଗୀତ ଦୁନିଆରେ ଏଭଳି ବାଜାକୁ ବଜାଇବା କମ୍ ଲୋକ ବଂଚି ରହିଛନ୍ତି।

Advertisment

ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ରେ ନିଜର କଳା ନୈପୁଣ୍ୟତାକୁ ପ୍ରଦଶର୍ନ କରି ଜିଲ୍ଲାର ଟେକ ରଖିଥିବା କଳାକାର ତରୁଣ (ବୁଲୁ)ପାଣିଙ୍କ ଜୀବନ ଅତି ସଂଘର୍ଷପୂର୍ଣ୍ଣ। ଝୁଙ୍କ ଓ ନିଶାରେ ସେ ଗୁରୁ ଶେଖର ଦଳପତି ଓ ଗୁରୁ ଭରତ ଚଳାଣଙ୍କ ଠାରୁ ତବଲା ବଜାଇବା ଶିଖିଥିଲେ। ଆକାଶବାଣୀ ଜୟପୁର କେନ୍ଦ୍ରରେ ସେ ସ୍ବୀକୃତି ପ୍ରାପ୍ତ ‘ବି’ଗ୍ରେଡ କଳାକାର। ସେ ପରିବାର ଚଳାଇବା ପାଇଁ କେତେ ବେଳେ ଅଟୋ ତ ଆଉ କେତେ ବେଳେ ବସର ଚାଳକ ସାଜିଥାନ୍ତି। ଘରେ ମା , ସ୍ତ୍ରୀ, ୨ଝିଅ ଏଭଳି ୫ଜଣ ରହୁଛନ୍ତି। ସବୁ ବେଳେ ବାପା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି, ନାଟକ ଆଦିରେ ଭାଗ ନେବାକୁ ଯାଉଥିବା ଦେଖି ତାଙ୍କ ୨ଝିଅରୁ ବଡ଼ଝିଅ ତବଲା ବଜାଇବା ଏବଂ ସାନଝିଅ ଗୀତ ଗାଉଛନ୍ତି।

ବୁଲୁଙ୍କ ଗୁରୁ ଭରତଙ୍କ ନିକଟରୁ ବଡ଼ଝିଅ ବାଜା ବଜାଇବା ଶିଖିସାରିଛନ୍ତି। ବଡଝିଅ ସଲଭିଆ ପାଣି ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇର ପ୍ରଥମ ବର୍ଷରେ ପଢ଼ୁଛନ୍ତି। ସାନଝିଅ ସାଲୋନୀ ପାଣି ଏବେ ଜେଇଏଲସି ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ବାପାଙ୍କ ପାଦ ଅନୁସରଣ କରି ଦୁଇ ଭଉଣୀ ଯଥାକ୍ରମେ  ତବଲା ବଜାଇବା ସହ ଗୀତ ଗାଉଛନ୍ତି। ଏପରିକି ଅବିଭକ୍ତ କୋରାପୁଟ ଜିଲ୍ଳାରେ କେହି ମହିଳା ତାବଲା ବାଦକ ନଥିବା ବେଳେ ଏହା ଶିଖି ନୂଆ କିର୍ତ୍ତୀମାନ ସ୍ଥାପନ କରିବା ଲକ୍ଷ୍ୟ ରଖିଛନ୍ତି ବଡ଼ଝିଅ। ତବଲା କିଣିକି ଦେବା ଗରିବ ପରିବାର ପାଇଁ କଷ୍ଠ ସାଧ୍ୟ ହୋଇଥିଲେ ଝିଅର ତାବଲା ଶିଖିବା ଝୁଙ୍କ ନିକଟରେ ବୁଲୁଙ୍କ ଗରିବୀ ହାର ମାନିବା ସହ ସେମାନଙ୍କ ପାଇଁ ବି ସେ ତାବଲା କିଣି ଦେଇଥିବା କହିଛନ୍ତି। ଏହି କଳାକାର ପରିବାରକୁ ଯଦିଓ ସରକାରୀ ପ୍ରତ୍ସାହନ ନଥିଲେ ହେଁ କଳାକୁ ତଥା ଡୁବି ଡୁବି ଆସୁଥିବା ତବଲା ବଜାଇବା କଳାକୁ ବଂଚାଇ ରଖିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ବୁଲୁ।

ବାପାଙ୍କ ଲକ୍ଷ୍ୟକୁ ବଜାୟ ରଖିବା ଏବଂ ଅବିଭକ୍ତ କୋରାପୁଟ ଜିଲ୍ଳାର ୧ମ ମହିଳା ବାଦକ ଭାବେ ନାଁ କମାଇବା ଲକ୍ଷ୍ୟ ବୋଲି କହିଛନ୍ତି ସାଲଭିଆ। ଝିଅ ବି ପୁଅଙ୍କ ଠାରୁ କମ୍ ନୁହନ୍ତି ଏହା ପ୍ରମାଣ କରିବା ଆମ ଲକ୍ଷ୍ୟ ଏବଂ ଏହା ଆମେ ପ୍ରମାଣିତ କରିବୁ ବୋଲି ଉଭୟ କହିଛନ୍ତି। ଏପରିକି ଆକାଶବାଣୀର ଏକ ସଂଗୀତ ମୁର୍ଚ୍ଛନା କାର୍ଯ୍ୟକ୍ରମରେ ସାଲଭିଆ୍ ଭାଗ ନେଇ ନିଜର ତାବାଲା ବାଦ୍ୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ବି ହୋଇଛନ୍ତି। କଳା ପାଇଁ ସମର୍ପିତ ଏହି ପରିବାରର ଲକ୍ଷ୍ୟ ପୁରଣ କରିବା ଦିଗରେ ସରକାର ସହାୟତା କରିବା ସହ ପ୍ରତ୍ସାହିତ କରିବା ନିହାତି ଆବଶ୍ୟକତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।