ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପିତ : ପାଣି ପଞ୍ଚାୟତଗୁଡ଼ିକ ଉତ୍ତରଦାୟିତ୍ବ ନିର୍ବାହ କରନ୍ତୁ

ଭୁବନେଶ୍ବର : ପାଣି ପଞ୍ଚାୟତଗୁଡ଼ିକ ଚାଷୀ ଭାଇ ଭଉଣୀମାନଙ୍କର ଗୋଟିଏ ଗୋଟିଏ ସଂଗଠିତ ସଂଗଠନ। ରାଜ୍ୟ ସରକାର ପାଣି ପଞ୍ଚାୟତ ଜରିଆରେ ଉପଲବ୍ଧ ଜଳର ଉପଯୁକ୍ତ ବିନିଯୋଗ କରି କୃଷି ଓ କୃଷକର ଅର୍ଥନୈତିକ ବିକାଶ ପାଇଁ ଲକ୍ଷ୍ୟ ରଖିଛନ୍ତି। ଜଳସେଚନ ପାଇଁ ବିଭିନ୍ନ ଯୋଜନାରେ ପ୍ରକଳ୍ପ ନିର୍ମାଣ କରି ତା’ର ରକ୍ଷଣାବେକ୍ଷଣ ଦାୟିତ୍ବ ପାଣି ପଞ୍ଚାୟତକୁ ଦିଆ ଯାଇଛି। ତେଣୁ ଏଥିରେ ମିଳୁଥିବା ଜଳକୁ ଉପର, ମଝି ଓ ତଳ ମୁଣ୍ଡରେ ଥିବା ଚାଷ ଜମିଗୁଡ଼ିକୁ ଠିକ୍ ଭାବରେ ପହଞ୍ଚାଇବା ପାଇଁ ପାଣି ପଞ୍ଚାୟତଗୁଡ଼ିକ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିବା ଦରକାର ବୋଲି ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି।

ଆଜି ଓୟୁଏଟିସ୍ଥିତ ଡ. ଏମ୍‌.ଏସ୍‌ ସ୍ବାମୀନାଥନ୍ ହଲ୍‌ରେ ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନର ଉଦ୍‌ଯାପନ ଉତ୍ସବରେ ମନ୍ତ୍ରୀ ଶ୍ରୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ରାଜ୍ୟରେ ୨୭ହଜାରରୁ ଊର୍ଦ୍ଧ୍ବ ଉଠାଜଳସେଚନ ପ୍ରକଳ୍ପ ରହିଛି। ସେ ସବୁ କାର୍ଯ୍ୟକାରିତାରେ ଯେଉଁ ସବୁ ଛୋଟ ଛୋଟ ସମସ୍ୟା ଦେଖା ଦେଉଛି ତାହା ବିଭାଗୀୟ ଅଧିକାରୀ ଓ ପାଣି ପଞ୍ଚାୟତ ସଦସ୍ୟମାନେ ନିଜ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କଲେ ସମାଧାନ ହୋଇପାରିବ। ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ଆଧାରରେ ସବୁ କାର୍ଯ୍ୟ ଠିକ୍ ସମୟରେ ଠିକ୍ ଭାବେ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ।

ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ, କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜଳସେଚନ ଅପରିହାର୍ଯ୍ୟ। କିନ୍ତୁ ଅନିୟମିତ ମୌସୁମି ଚିନ୍ତାର କାରଣ ହୋଇଛି। ହେଲେ ଜଳର ବ୍ୟବହାରିକ ପରିବର୍ତ୍ତନ ପ୍ରତି ଦୃଷ୍ଟି ଦେଇ ପାଣି ପଞ୍ଚାୟତର ସଦସ୍ୟ ସଦସ୍ୟାମାନେ କାର୍ଯ୍ୟ କରିବା ଉଚିତ। ଉଭୟଙ୍କ ସହଯୋଗରେ ସହଭାଗୀ ଜଳସେଚନ ବ୍ୟବସ୍ଥା ପାଇଁ ଓଡ଼ିଶା ସରକାର ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ଆଗକୁ ଏହି ଧାରା ବଜାୟ ରହିବା ଦରକାର।

ଓୟୁଏଟି କୁଳପତି ପୱନ କୁମାର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ପାଣି ପଞ୍ଚାୟତ ଜରିଆରେ ଜଳର ସୁବିନିଯୋଗ କରି କୃଷି ଉତ୍ପାଦନ ବୃଦ୍ଧି କରିବା ସରକାର ଓ କୃଷକମାନଙ୍କର ବିଜ୍ଞତାର ପରିପ୍ରକାଶ। ପ୍ରକୃତିକୁ କମ୍‌ କ୍ଷତି ପହଞ୍ଚାଇ କମ୍‌ ପାଣି ବ୍ୟବହାର କରି କିପରି ଅଧିକ ଫସଲ ଅମଳ କରାଯାଇପାରିବ ସେ ସମ୍ପର୍କରେ ଶ୍ରୀ ଅଗ୍ରୱାଲ କହିଥିଲେ।

ଏଥିରେ ଜଳସମ୍ପଦ ବିଭାଗ ଅତିରିକ୍ତ ସଚିବ କମଳ ଲୋଚନ ମିଶ୍ର ଯୋଗଦେଇ ପାଣିପଞ୍ଚାୟତଗୁଡ଼ିକର ସମସ୍ୟା ଓ ଏହାର ସମାଧାନ ଦିଗରେ ମତ ରଖିଥିଲେ। ଏହି ଅବସରରେ ଜଳସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ, ଶ୍ରେଷ୍ଠ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୩୦ଟି ପାଣି ପଞ୍ଚାୟତ, ପ୍ରତ୍ୟେକ ଜିଲ୍ଲାର ଜଣେ ଜଣେ ସଫଳ କୃଷକ ଏବଂ ପ୍ରକଳ୍ପ କାର୍ଯ୍ୟକାରିତାରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅବନି କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଲାଲା ମନୋଜ କୁମାର ରାୟ, ଦୀପକ କୁମାର ମହାନ୍ତି, ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଜଳସମ୍ପଦ ବିଭାଗର ଯୋଜନା ଓ ନକ୍ସାଙ୍କନ ମୁଖ୍ୟ ଯନ୍ତ୍ରୀ ରବି ନାରାୟଣ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର