ଭୁବନେଶ୍ବର : ଭୁବନେଶ୍ବର ଉଠା ଜଳସେଚନ ବିଭାଜନରେ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ ଜଳର ସୁପରିଚାଳନା ଓ ରକ୍ଷଣାବେକ୍ଷଣା ସହିତ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା କୃଷକଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ବ ଦେଇଥିଲେ। ଏହାସହ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଜଳର ଉଚିତ୍ ବ୍ୟବହାର ସଂପର୍କରେ ଶପଥ ପାଠ କରାଯାଇଥିଲା।
ସମ୍ମାନିତ ଅତିଥି ଓଡ଼ିଶା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ କହିଥିଲେ, କେବଳ ଧାନ ଚାଷ ଉପରେ ନିର୍ଭର ନ କରି ଡାଲି, ପନିପରିବା, ତୈଳବୀଜ ଆଦି ଅର୍ଥକାରୀ ଫସଲ ଉପରେ ଚାଷୀମାନେ ଗୁରୁତ୍ବ ଦେବା ଉଚିତ୍। ଜଳର ସୁବିନିଯୋଗ ଓ କୃଷି କ୍ଷେତ୍ରରେ ଶେଷ ମୁଣ୍ଡକୁ ଜଳ ପହଞ୍ଚାଇବାରେ ପାଣି ପଞ୍ଚାୟତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ପାଣି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଓ ଜମି ପାଇଁ ଜଳସେଚନ ସୁବିଧା କରି ଅଧିକ କୃଷି ଉତ୍ପାଦନ ସହ କୃଷକମାନଙ୍କ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି ଶ୍ରୀ ପତ୍ରୀ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମୃତ୍ତିକା ସଂରକ୍ଷଣ, ଖୋର୍ଧାର ସହକାରୀ ନିର୍ଦେଶକ ରବୀନ୍ଦ୍ର ନାଥ ପଣ୍ଡା, ଉଦ୍ୟାନକୃଷି ସହକାରୀ ନିର୍ଦେଶକ ସ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉଠା ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ସୁଜିତ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ରଞ୍ଜନ କୁମାର ମାଝୀ ଧନ୍ୟବାଦ ଦେଇଥିଲେ।