ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରେ ଡି‌ପ୍‌ଥେରିଆ ଆତଙ୍କ ଦେଖାଦେଇଛି। ୬ ଜଣ ଶିଶୁଙ୍କଠାରେ ଲକ୍ଷଣ ଥିବା ଯୋଗୁଁ ଭବାନୀପାଟଣା ମେଡିକାଲ କଲେଜ ହସ୍ପିଟାଲକୁ ନିଅାଯାଇଛି। ରାୟଗଡ଼ା ପରେ କଳାହାଣ୍ଡିକୁ ଏହି ‌ରୋଗ ବ୍ୟାପିବା ଘଟଣା ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍‌ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ମୁନୁଷପଦର ଗାଁରେ ୪ଜଣ ଶିଶୁ ମାରାତ୍ମକ ଡିପ୍‌ଥେରିଆ ରୋଗରେ ପ୍ରାଣ ହରାଇବା ଘଟଣା ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ସରାଫାସ ଗ୍ରାମର ୬ ଜଣ ଶିଶୁଙ୍କଠାରେ ଡିପ୍‌ଥେରିଆ ଲକ୍ଷଣ ଥିବା ଜଣାପଡ଼ିଛି। ସୋମବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସ୍ବାସ୍ଥ୍ୟକର୍ମୀ ସରାଫାସ ଗାଁକୁ ଯାଇ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରିବା ସହିତ ପରୀକ୍ଷା ପାଇଁ କୋଲକାତା ପଠାଇଛନ୍ତି। କଳାହାଣ୍ଡି ସିଡିଏମ୍‌ଓ ଡା. ସୁଚେତା ପାଣିଙ୍କ ନେତୃତ୍ବରେ ଏହି ଟିମ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment

ସିଡିଏମ୍‌ଓ ଡା. ପାଣି କହିଛନ୍ତି, ସେଠାରେ ୫ ଜଣ ଶିଶୁଙ୍କଠାରେ ଡିପ୍‌ଥେରିଆ ‌ଲକ୍ଷଣ ଦେଖିବାକୁ ମିଳିଛି। ସେମାନଙ୍କର ଲାଳ ଓ ରକ୍ତ ନମୁନା କୋଲକାତାକୁ ପରୀକ୍ଷା ନିମନ୍ତେ ପଠାଯାଇଛି। ପ୍ରାୟ ୨ ସପ୍ତାହ ପରେ ରିପୋର୍ଟ ମିଳିବ। ଏହାପୂର୍ବରୁ ଲକ୍ଷଣ ଥିବା ଯୋଗୁଁ ଚିକିତ୍ସା ଆରମ୍ଭ କରାଯାଇଛି। ଆଜି ପୁଣି ଆଉ ଜଣକ ଲକ୍ଷଣ ଥିବା ଜଣାପଡ଼ିବା ପରେ ଆକ୍ରାନ୍ତ ସମସ୍ତ ୬ ଜଣ ଶିଶୁଙ୍କୁ ଭବାନୀପାଟଣା ଅଣାଯାଇଛି। ହସ୍ତଗତ ସୂଚନା ଅନୁସାରେ, ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ଅସୁସ୍ଥମାନଙ୍କୁ ଚିକିତ୍ସାସେବା ଉପଲବ୍ଧ ହୋଇପାରୁ ନଥିବା ଯୋଗୁଁ ସେମାନଙ୍କୁ ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜ ଟିଚିଂ ହସ୍ପିଟାଲକୁ ନିଆଯାଇଛି। ଶିଶୁମାନଙ୍କୁ ଡଙ୍ଗାରେ ପାର୍‌ କରି ସନ୍ଧ୍ୟାରେ ଡି. ଚେପଟାଘାଟଠାରେ ପହଞ୍ଚା ଯାଇଥିଲା। ସେଠାରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ ପଠାଯାଇଛି। ରାତିରେ ସେମାନେ ଭବାନୀପାଟଣା ଡାକ୍ତରଖାନାରେ ପହଞ୍ଚିବେ। ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।